ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି କ୍ଷତିକାରକ ଦର୍ଶାଇ ୨୦୨୦ରେ କେନ୍ଦ୍ର ସରକାର ୨୭ଟି ହାନିକାରକ କୀଟନାଶକକୁ ନିଷିଦ୍ଧ କରିଥିଲେ। ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। କମିଟିର ସୁପାରିସ ଆଧାରରେ ତିନିଟି କୀଟନାଶକ ଉପରେ ନିଷେଧାଦେଶ ବଳବତ୍ତର ରଖାଯାଇଥିବା ବେଳେ ଅନ୍ୟ ୨୪ଟି କୀଟନାଶକ ଉପରୁ କଟକଣା ହଟାଇ ଦିଆଯାଇଛି। କେଉଁ ଆଧାରରେ ଏଭଳି କାମ ହୋଇଛି ତାହାକୁ ନେଇ ନାଗରିକ ସମାଜ ଓ ଶିଳ୍ପ ସଂସ୍ଥା ଅସନ୍ତୋଷ ଜାହିର କରିଛନ୍ତି। ଯେଉଁ କୀଟନାଶକ ଉପରୁ କଟକଣା ପ୍ରତ୍ୟାହାର କରାଯାଇଛି ସେହି ତାଲିକାରେ ମୋକ୍ରୋଟୋଫସ୍ ନାମ ଥିବାରୁ ଶିଳ୍ପ ଜଗତ ଆଶ୍ଚର୍ଯ୍ୟ ପ୍ରକଟ କରିଛି।
କାହିଁକି ୩ଟି କୀଟନାଶକ ଉପରେ କଟକଣା ରହିଛି ତାହା ଜଣାଇବା ଲାଗି ଗତ ମାର୍ଚ୍ଚ ୨୭ରେ ସୁପ୍ରିମ୍କୋର୍ଟ ସରକାରଙ୍କୁ ଜବାବ ମାଗିଛନ୍ତି। ଚାରି ସପ୍ତାହ ଭିତରେ ଉତ୍ତର ଦେବାକୁ ସୁପ୍ରିମ୍କୋର୍ଟଙ୍କ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି। ହାନିକାରକ ରସାୟନ ଓ କୀଟନାଶକ ବ୍ୟବହାର ଦ୍ବାରା କ’ଣ କ୍ଷତି ହେଉଛି ସେ ବିଷୟରେ ଦୁଇଟି ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।