ନୂଆ ଏନ୍‌ଜିଓ ଆଇନକୁ ନେଇ ଅସନ୍ତୋଷ, ଲୁଚାଛପାରେ ବିଲ୍ ଆଗତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନିକଟରେ ଏନଜିଓମାନଙ୍କ ପାଇଁ ବିଦେଶୀ ପାଣ୍ଠି ପାଇବା ସଂକ୍ରାନ୍ତ ଆଇନରେ କେତେକ ସଂଶୋଧନ ଆଣିଛନ୍ତି। ଗତ ‌ସୋମବାର ଏହି ବିଲ୍‌ ଲୋକସଭାରେ ଏବଂ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ଆଇନ ପରିବର୍ତ୍ତନକୁ ବୁଦ୍ଧିଜୀବୀମାନେ ସମାଲୋଚନା କରିବା ଆରମ୍ଭ କରିଦେଲେଣି। ନିୟମରେ ସଂଶୋଧନ ଆଣି ସରକାର ଏନଜିଓ ଗୁଡ଼ିକୁ ଗୋଟିଏ ସ୍ପଷ୍ଟ ‌ରାଜନୈତିକ ବାର୍ତ୍ତା ଦେଇଛନ୍ତି। ତାହା ହେଲା ଆମ କଥା ମାନି ନଚାଲିଲେ ସତ୍ତା ରହିବ ନାହିଁ। ବିଶେଷକରି ଏହି ପରିବର୍ତ୍ତନ ଯୋଗୁ ଦେଶର ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ଲିଙ୍ଗଗତ ନ୍ୟାୟ ଏବଂ ଗଣତନ୍ତ୍ରର ସୁରକ୍ଷା ଆଦି କାର୍ଯ୍ୟ ଗୁରୁତର ପ୍ରଭାବିତ ହେବ ବୋଲି ମତ ପ୍ରକାଶ ପାଇଛି। ଏହି ବିଲ୍‌କୁ ସରକାର ଲୁଚାଛପାରେ ସଂସଦରେ ଆଗତ କରିଛନ୍ତି। ବିଲ୍‌ର ଚିଠାକୁ ସେପ୍ଟେମ୍ବର ୨୦ ତାରିଖରେ ସଂସଦରେ ଉପସ୍ଥାପନ କରିବା ପୂର୍ବରୁ ଏହାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇ ନାହିଁ। ସେହିଭଳି କୌଣସି ଅଂଶଧାରୀମାନଙ୍କର ମତାମତ କିମ୍ବା ପରାମର୍ଶ ସଂଗ୍ରହ କରାଯାଇନାହିଁ। ତେଣୁ ସରକାର ଏହି ବିଲ୍‌କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଆଣିଛନ୍ତି ବୋଲି ଧାରଣା ଦୃଢ଼ ହେବାରେ ଲାଗିଛି। ନୂଆ ଆଇନ ଏନଜିଓଗୁଡ଼ିକର ସାଧୁତା କିମ୍ବା ଉତ୍ତରଦାୟିତ୍ବ ମାନକୁ ଉନ୍ନତ କରିବାରେ କୌଣସି ପ୍ରକାରେ ସହାୟକ ହେବନାହିଁ। ବରଂ ଏମାନଙ୍କ ପାଇଁ ଅମଲାତାନ୍ତ୍ରିକ ପ୍ରତିବନ୍ଧକ ସୃଷ୍ଟି କରିବ। ଭାରତରେ ଏନଜିଓ ଗୁଡ଼ିକ ଅତ୍ୟଧିକ ନିୟନ୍ତ୍ରଣ ମଧ୍ୟରେ ପୂର୍ବରୁ ରହିଛନ୍ତି। ବିଦେଶୀ ପାଣ୍ଠି ପାଉଥିବା ଏନଜିଓଗୁଡ଼ିକୁ ବିଭିନ୍ନ ପ୍ରକାର ନିୟମ ପାଳନ କରିବାକୁ ପଡ଼ିଥାଏ। ଆୟକର ଠାରୁ ଆରମ୍ଭ କରି ଗୃହ ମନ୍ତ୍ରାଳୟର ଏଫସିଆରଏ ଶାଖା, ଚାରିଟି କମିସନର/ରେଜିଷ୍ଟ୍ରାର ଅଫ କମ୍ପାନିଜ୍‌ ଏବଂ ଦାନ ଦେଉଥିବା ସଂସ୍ଥାକୁ ଏମାନେ ରିପୋର୍ଟ ପଠାଇଥାନ୍ତି। ଅନ୍ୟ ସବୁ କ୍ଷେତ୍ର ଭଳି ଏନଜିଓ କ୍ଷେତ୍ରରେ ମଧ୍ୟ ଖରାପ ସଂସ୍ଥା ରହିଛନ୍ତି। କିନ୍ତୁ ପୂର୍ବରୁ ଏଥିପାଇଁ ରହିଥିବା ଆଇନକୁ କଡ଼ାକଡ଼ି ପାଳନ କରାଗଲେ ସେମାନଙ୍କୁ ସାବାଡ଼ କରାଯାଇ ପାରିବ। କିନ୍ତୁ ତାହା କରା ନଯାଇ ନୂଆ ଆଇନ ଦ୍ବାରା ଅମଲାତନ୍ତ୍ରିକ ହସ୍ତକ୍ଷେପ ବଢ଼ିବ। ଏଥିସହିତ ନୂଆ ଆଇନ ଏନଜିଓମାନଙ୍କ ଉତ୍ତରଦାୟିତ୍ବ ଓ ସାଧୁତାକୁ ବଢ଼ାଇବ ବୋଲି କିଛି କହିହେବ ନାହିଁ। ଏଥିଯୋଗୁ ଏନଜିଓମାନଙ୍କ କାଗଜପତ୍ର କାମ ବଢ଼ିଯିବ। ସରକାରୀ ଅଧିକାରୀ ବା କର୍ତ୍ତୃପକ୍ଷଙ୍କ କଥା ନମାନିଲେ ସେମାନଙ୍କୁ ଅଯଥାରେ ହଇରାଣ କରାଯିବାର ଆଶଙ୍କା ମଧ୍ୟ ରହିଛି। ଏଥିପାଇଁ ଉକ୍ତ ବିଲ୍‌କୁ ଏନଜିଓଗୁଡ଼ିକ ପାଇଁ ସାଂଘାତିକ ପାହାର ବୋଲି ଦି ଭଲ୍ୟୁଣ୍ଟାରି ଆକ୍ସନ ନେଟୱାର୍କ ଇଣ୍ଡିଆ କହିଛି।

ସମ୍ବନ୍ଧିତ ଖବର