ଆର୍ଥିକ ସ୍ଥିରତା ବଜାୟ ରଖିବୁ: ଶକ୍ତିକାନ୍ତ

ଡିଏମ୍ ସ୍କୁଲ ଆଲୁମ୍‌ନି ମିଟ୍ ୨୦୧୯

ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ କାର୍ଯ୍ୟ କହିଲେ ଅଧିକାଂଶ ଲୋକ ବୁଝନ୍ତି ଦେଶ ପାଇଁ ନୋଟ୍ ଛାପିବା ଏବଂ ନୋଟ୍‌ରେ ଦସ୍ତଖତ କରିବା। ନୋଟ୍ ଛାପିବା ବ୍ୟତୀତ ରିଜର୍ଭ ବ୍ୟାଙ୍କକୁ ବହୁ ଗୁଡ଼ିଏ କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବା ସହିତ ସୁଧ ହାର ନିର୍ଧାରଣ କରିବା, ଟଙ୍କା ତୁଳନାରେ ଅନ୍ୟ ଦେଶର ମୁଦ୍ରା ମଧ୍ୟରେ ବିନିମୟ ମୂଲ୍ୟକୁ ନିୟନ୍ତ୍ରଣ କରିବା, ବ୍ୟାଙ୍କ ଓ ଅଣ ବ୍ୟାଙ୍କିଂ ସଂସ୍ଥା ଗୁଡ଼ିକୁ ନିୟନ୍ତ୍ରିତ କରିବା, ଡି‌ଜିଟାଲ ପେମେ‌ଣ୍ଟକୁ ନିରୀକ୍ଷଣ କରିବା ଆଦି ଦାୟିତ୍ବ ରିଜର୍ଭ ବ୍ୟାଙ୍କ ଉପରେ ନ୍ୟସ୍ତ ରହିଛି। ତେଣୁ ରିଜର୍ଭ ବ୍ୟାଙ୍କକୁ ପ୍ରତିଦିନ ସତର୍କ ରହିବାକୁ ପଡ଼ିଥାଏ। ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ, ବ୍ରେକଜିଟ ଉପରେ ବ୍ରିଟେନ ସରକାର କି ନିଷ୍ପତ୍ତି ନେଉଛନ୍ତି, ଅନ୍ୟ ଦେଶର କେନ୍ଦ୍ର ବ୍ୟାଙ୍କ କଣ ପଦକ୍ଷେପ ନେଉଛି ତାହା ଉପରେ ରିଜର୍ଭ ବ୍ୟାଙ୍କର ନଜର ରଖିବାକୁ ପଡେ। ପ୍ରଥମ ଓଡ଼ିଆ ଭାବେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇ କାର୍ଯ୍ୟ କରୁଥିବା ଡି ଏମ ସ୍କୁଲର ପୂରାତନ ଛାତ୍ର ଶକ୍ତିକାନ୍ତ ଦାସ ଏହା କହିଛନ୍ତି। ସେ କହିଛନ୍ତି, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ବ ତାଙ୍କ ପାଇଁ ହଠାତ୍ ଆସିଥିଲା। ଏହି ଦାୟିତ୍ବ ଗ୍ରହଣ କରିବା ଇତିମଧ୍ୟରେ ପ୍ରାୟ ୨ ମାସ ୧୦ ଦିନ ହେଲାଣି। ଏହି ସମୟ ମଧ୍ୟରେ ଭାରତୀୟ ଅର୍ଥନୀତିର ସ୍ବାର୍ଥକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅନେକ ଗୁଡ଼ିଏ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ମଧ୍ୟ ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବା ସହିତ ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ବରସ୍ଥିତ ଡି ଏମ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନଙ୍କ ବାର୍ଷିକ ସମ୍ମିଳନୀ ୨୦୧୯ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଦାସ ଏହି ସୂଚନା ଦେଇଛନ୍ତି। ଭଲ ମଣିଷ ଓ ଉତ୍ତମ ନାଗରିକ ସୃଷ୍ଟି‌ କରିବାରେ ଡି ଏମ ସ୍କୁଲର ଅବଦାନକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ସମ୍ମିଳନୀରେ ସ୍କୁଲର ପୂରାତନ ଛାତ୍ର ତଥା ଦେଶର ଖ୍ୟାତନାମା ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଆଲୁମିନି କମିଟିର ସଭାପତି ରାଜୀବ ଶେଖର ସାହୁ, ପ୍ରଧାନ ଶିକ୍ଷକ ଅଖିଳେଶ୍ବର ମିଶ୍ର, ଆରଆଇଇର ପ୍ରିନ୍ସିପାଲ ପ୍ରଫେସର ପି. ସି ଅଗ୍ରୱାଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ସିଦ୍ଧାର୍ଥ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଉପସଭାପତି ସୁଶାନ୍ତ ପୂଜାରୀ ଓ ଅଶ୍ବିନୀ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ତୁଷାରକାନ୍ତି ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ମିତାଲି ଚିନାରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୁଲୱାମା ସହିଦଙ୍କ ପାଇଁ ଏହି ଅବସରରେ ଅତିଥି ଓ ପୂରାତନ ଛାତ୍ରଛାତ୍ରୀମାନେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରତ୍ୟେକ ସହିଦ ପରିବାରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ସାହୁ ଏହି ଅବସରରେ ସୂଚନା ଦେଇଥିଲେ। ଆଲୁମ୍‌ନି ପକ୍ଷରୁ ବିଦ୍ୟାଳୟର ପୂରାତନ ଛାତ୍ର ଏବଂ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ବ୍ୟକ୍ତିବିଶେଷ ସମେତ ଚଳିତବର୍ଷ ସୁବର୍ଣ୍ଣ ଜୟନ୍ତୀ ବ୍ୟାଚରେ ପଦାର୍ପଣ କରିଥିବା ୧୯୬୯ ବ୍ୟାଚର ମାଟ୍ରିକ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଅତିଥିମାନେ କୃତୀ ଛାତ୍ରଛାତ୍ରଙ୍କୁ ଅର୍ଥରାଶି ସହ ପୁରସ୍କୃତ କରିଥିଲେ। ଅତିଥିମାନେ ଏକ ସ୍ମରଣିକା ସମେତ ପୀତବାସ ରାଉତରାୟଙ୍କ ଦ୍ବାରା ଲିଖିତ ପୁସ୍ତକ ଧର୍ମପତ୍ନୀଙ୍କ ଧର୍ମଘଟକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଫ୍ୟାସନ ସୋ ସମେତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉତ୍ସବରେ ସ୍କୁଲର ପୂର୍ବତନ ଓ ବର୍ତ୍ତମାନର ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ପୂରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ବହୁସଂଖ୍ୟାରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର