ଭୁବନେଶ୍ୱର: ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ପ୍ରତି ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍‌)କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ସେ ଡିଏଫ୍ଏମ୍‌ର ସମୀକ୍ଷା କରିଥିଲେ। ଲଘୁ ଖଣିଜ ପଦାର୍ଥରୁ ସଂଗୃହୀତ ଡିଏମ୍ଏଫ୍‌ ପାଣ୍ଠିକୁ ସେହି ଜିଲ୍ଲାର ଯେକୌଣସି ସ୍ଥାନରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ତାହାକୁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଗମନାଗମନ ଆଦି ବ୍ୟବସ୍ଥାରେ ଖର୍ଚ୍ଚ କର‌ାଯିବ। ଖଣି ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଲୋକଙ୍କୁ ସମ୍ପୂର୍ଣ୍ଣ ମୌଳିକ ସେବା ଯୋଗାଇଦେବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ୧୧ଟି ଡିଏମ୍ଏଫ୍‌ ଜିଲ୍ଲାରେ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଓ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି। ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ୧୦ଟି ଜିଲ୍ଲାରେ ଡିଏମ୍‌ଏଫ୍‌ ପୁନଃ ଗଠନ ହେବା ପରେ ଟ୍ରଷ୍ଟ ବୋର୍ଡ ବୈଠକ ହୋଇସାରିଥିବା ଜଣାପଡ଼ିଛି।

Advertisment

Blood Donation Camp: ରକ୍ତଦାନ ଶିବିରରୁ ୨୨ୟୁନିଟ୍‌ ରକ୍ତ ସଂଗ୍ରହ

ଡିଏମ୍ଏଫ୍‌ ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। ଡିଏମ୍ଏଫ୍‌ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଜାଗାଗୁଡିକରେ ଥିବା ଜନବସତିରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଜିଲ୍ଲାଗୁଡ଼ିକରେ ବର୍ଷକୁ ୧୦ କୋଟି ଟଙ୍କାରୁ ଅଧିକ ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ହେଉଛି, ସେମାନେ ଏକ ଏଣ୍ଡାଓମେଣ୍ଟ ପାଣ୍ଠି ଗଠନ କରିବେ। ସେହି ପାଣ୍ଠିକୁ ସରକାରୀ ପ୍ରତିଭୂତି କିମ୍ବା ବ୍ୟାଙ୍କ ବଣ୍ଡ୍‌ ଓ ଏଫ୍‌ଡିରେ ନିବେଶ କରାଯିବ। ଖଣିଜ ପଦାର୍ଥ ଶେଷ ହେବା ପରେ କିମ୍ୱା କୌଣସି କାରଣରୁ ଖଣି କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ଅଞ୍ଚଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଜୀବିକା ସୃଷ୍ଟି ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Goods Trading: ଉତ୍ପାଦ କାରବାର କ’ଣ ଜାଣନ୍ତୁ...