ତଥ୍ୟରେ ବ୍ୟାପକ ଅନିୟମିତତା ସନ୍ଦେହ : ପ୍ରକାଶ ପାଇବନି ଡୁଇଂ ବିଜନେସ୍‌ ରିପୋର୍ଟ

ପୂର୍ବ ୫ଟି ରିପୋର୍ଟର ସମୀକ୍ଷା ହେବ
ସେହି ୫ ବର୍ଷରେ ଭାରତର ରୢାଙ୍କ୍‌ ୧୩୦ରୁ ଆସି ୬୩ରେ ପହଞ୍ଚିଛି

ନୂଆଦିଲ୍ଲୀ : ତଥ୍ୟରେ ବ୍ୟାପକ ଅନିୟମିତତା ଥିବାର ସନ୍ଦେହ କରାଯାଉଥିବାରୁ ଆସନ୍ତା ଅକ୍ଟୋବରରେ ପ୍ରକାଶ ପାଇବାକୁ ଯାଉଥିବା ଇଜ୍ ଅଫ୍‌ ଡୁଇଂ ବିଜନେସ୍ ରୢାଙ୍କିଙ୍ଗ୍‌ ରିପୋର୍ଟକୁ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯିବ ନାହିଁ। ବିଶ୍ବର ବିଭିନ୍ନ ଦେଶ ପାଇଁ ବିଶ୍ବବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରୁଛି। ଯେଉଁ ଦେଶର ରୢାଙ୍କ ଯେତେ ଭଲ ସେଠାରେ ବ୍ୟବସାୟ କିମ୍ବା ପୁଞ୍ଜିନିବେଶ କରିବା ସେତେ ସହଜ ଓ ସୁରକ୍ଷିତ ବୋଲି ବିଚାର କରାଯାଏ। ବିଗତ ପାଞ୍ଚ ବର୍ଷରେ ଭାରତର ରୢାଙ୍କରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହା ଏବେ ୬୩ତମ ସ୍ଥାନରେ ରହିଛି।

ବିଶ୍ବବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଅକ୍ଟୋବରରେ ପ୍ରକାଶ ପାଇବାକୁ ଥିବା ଡୁଇଂ ବିଜନେସ୍‌ ରିପୋର୍ଟକୁ ସ୍ଥଗିତ ରଖାଯାଇଛି। ବିଗତ ପାଞ୍ଚଟି ରିପୋର୍ଟରେ ତଥ୍ୟକୁ ନେଇ ବ୍ୟାପକ ଅନିୟମିତତା ରହିଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଶ୍ବବ୍ୟାଙ୍କ ପୁଣି ଥରେ ସଠିକ୍ ତଥ୍ୟ ସଂଗ୍ରହ କରିବ ଏବଂ ତଥ୍ୟ ଅନିୟମିତତା ଦ୍ବାରା ଯେଉଁ ଦେଶଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ରୢାଙ୍କିଙ୍ଗ୍‌ରେ ସଂଶୋଧନ କରିବ। ସଂଯୋଗର ବି‌ଷୟ ହେଉଛି ଭାରତ ହେଉଛି ଏକ ଦେଶ ଯାହାର ରୢାଙ୍କ୍ ଗତ ପାଞ୍ଚ ବର୍ଷ ଭିତରେ ଅବିଶ୍ବସନୀୟ ଭାବେ ଉନ୍ନତି ହୋଇଛି।

ଏହି ବହୁ ଚର୍ଚ୍ଚିତ ଓ ପ୍ରତିକ୍ଷୀତ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଗ୍ରହଣ କରାଯାଇଥିବା ପଦ୍ଧତି ଉପରେ ଅସନ୍ତୋଷ ପ୍ରକଟ କରି ୨୦୧୮ ଜାନୁଆରିରେ ବିଶ୍ବବ୍ୟାଙ୍କର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ପଲ୍ ରୋମର ନିଜ ପଦରୁ ଇସ୍ତଫା ଦେଇଥିଲେ। ଚିଲିର ରୢାଙ୍କିଙ୍ଗ୍‌ରେ କରାଯାଇଥିବା ଅବନତିର ସେ ପ୍ରତିବାଦ କରିଥିଲେ। ବିଗତ ଚାରି ବର୍ଷରେ ପ୍ରକାଶ କରାଯାଇଥିବା ରିପୋର୍ଟର ପୁନଃ ସମୀକ୍ଷା କରି ରୢାଙ୍କକୁ ପୁଣି ଥରେ ହିସାବ କରିବା ଲାଗି ‌ରୋମର ଚାହୁଥିଲେ। ଯେଉଁ ପାଞ୍ଚ ବର୍ଷ ସମ୍ପର୍କରେ ବିଶ୍ବବ୍ୟାଙ୍କ କହୁଛି ସେହି ସମୟରେ ଭାରତର ରୢାଙ୍କ ୧୩୦ରୁ ଆହୁରି ଉନ୍ନତ ହୋଇ ୬୭ରେ ପହଞ୍ଚିଛି। ୨୦୧୬-୧୭ରେ ଭାରତର ରୢାଙ୍କ ଶ୍ରେଷ୍ଠ ୧୦୦ରେ ପ୍ରବେଶ କରିଥିଲା। ସେହି ସମୟରେ ଚିଲିର ରୢାଙ୍କ୍‌ ହ୍ରାସ ପାଇଥିଲା। ୨୦୧୨-୧୬ ପର୍ଯ୍ୟନ୍ତ ବିଶ୍ବବ୍ୟାଙ୍କ ଅର୍ଥନୀତିଜ୍ଞ ଭାବେ କାର୍ଯ୍ୟ କରିଥିବା କୌଶିକ ବସୁ କହିଥିଲେ ଯେ ରୢାଙ୍କ୍‌ ହିସାବ ଲାଗି ପଦ୍ଧତିରେ କରାଯାଇଥିବା ପରିବର୍ତନର ଲାଭ ଭାରତକୁ ମିଳିଛି। ୨୦୧୮ ଫେବ୍ରୁଆରିରେ ଶ୍ରୀ ବସୁ ଏ ସମ୍ପର୍କରେ ଏକ ନିବନ୍ଧ ଲେଖିଥିଲେ। ସେଥିରେ ସେ ଉଦାହରଣ ଦେଇଥିଲେ ଯେ, ୨୦୧୪ ଓ ୨୦୧୫ ଭିତରେ ଭାରତର ରୢାଙ୍କ ୧୪୨ରୁ ଉନ୍ନୀତ ହୋଇ ୧୩୦ରେ ପହଞ୍ଚିଥିଲା। ଯେଉଁ ୧୨ଟି କ୍ଷେତ୍ରରେ ଭାରତ ଉନ୍ନତି ହାସଲ କରିଛି ବୋଲି ପ୍ରଦର୍ଶନ କରାଯାଇଥିଲା ସେଥି ମଧ୍ୟରୁ ମାତ୍ର ଚାରିଟି କ୍ଷେତ୍ରର ପ୍ରତିଫଳନ ‌ଭାରତରେ ଦେଖିବାକୁ ମିଳିଥିଲା। ବଳକା କ୍ଷେତ୍ରର ଉନ୍ନତି କେବଳ ହିସାବ ପଦ୍ଧତିରେ କରାଯାଇଥିବା ପରିବର୍ତନ ଯୋଗୁଁ ସମ୍ଭବ ହୋଇଥିଲା। ତେବେ ବସୁ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଇଜ୍ ଅଫ୍ ଡୁଇଂ ବିଜନେସ୍ ରିପୋର୍ଟ ପ୍ରସ୍ତୁତ କରିବାରେ ଏକ ବହୁତ ବଡ଼ ଟିମ୍ କାର୍ଯ୍ୟ କରୁଛି। ସେମାନେ ବିଶ୍ବର ବିଭିନ୍ନ ସ୍ଥାନରୁ ଅର୍ଥନୈତିକ ତଥ୍ୟ ସଂଗ୍ରହ କରିଥାନ୍ତି। ତଥ୍ୟଗୁଡ଼ିକୁ ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇଥାଏ। ସେ ନିଜେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦାରଖ କରିଥିଲେ। ତଥ୍ୟ ସହ ହେରଫେର ହୋଇଥିବାର କୌଣସି ସଙ୍କେତ ମୁଁ ଦେଖିନାହିଁ ବୋଲି ସେ ଲେଖିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଶାସନ ଭାର ଗ୍ରହଣ କରିବା ବେଳେ ଭାରତର ରୢାଙ୍କିଙ୍ଗ୍‌ ୧୪୨ ଥିଲା। ୨୦୧୯ ସୁଦ୍ଧା ତାହା ୬୩କୁ ଉନ୍ନୀତ ହୋଇଛି। ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କୁହାଯାଉଛି। ଆସନ୍ତା ବର୍ଷ ଭାରତ ନିଜର ରୢାଙ୍କ୍‌କୁ ଶ୍ରେଷ୍ଠ ୫୦ ଭିତରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିଲା। ଏ ସମ୍ପର୍କରେ ନିତି ଆୟୋଗର ସିଇଓ ଅମିତାଭ କାନ୍ତ ସୂଚନା ଦେଇଥିଲେ। ବିଶ୍ବବ୍ୟାଙ୍କ ଚଳିତ ବର୍ଷର ରିପୋର୍ଟ ସ୍ଥଗିତ ରଖିବା ପରେ କଂଗ୍ରେସ ନେତା ଜୟରାମ ରମେଶ ସଙ୍ଗେ ସଙ୍ଗେ ଟୁଇଟ୍‌ କରି କେନ୍ଦ୍ର ସରକାରଙ୍କୁ ତାତ୍ସଲ୍ୟ କରିବାକୁ ପଛାଇ ନାହାନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ବିଶ୍ବବ୍ୟାଙ୍କ ସୂଚୀରେ ଉନ୍ନତି ପାଇଁ ଶ୍ରୀଯୁକ୍ତ ମୋଦୀ ଢୋଲ ବଜାଇବାରେ ବ୍ୟସ୍ତ ଥିଲେ। ତଥ୍ୟ ଓ ପଦ୍ଧତିରେ ଅନିୟମିତତା କାରଣରୁ ଏହି ରୢାଙ୍କିଙ୍ଗ୍‌ ରିପୋର୍ଟକୁ ଅଟକାଇ ଦିଆଯାଇଛି। ଏଭଳି ଜାଲ୍ ରୢାଙ୍କିଙ୍ଗ୍‌ ପ‌ଛରେ ଗୋଡ଼ାଇବାରେ ସରକାରଙ୍କ ଅନେକ ଶକ୍ତି ନଷ୍ଟ ହୋଇଛି, ଆମର ଏମ୍ଏସ୍‌ଏମ୍ଇଗୁଡ଼ିକ ଦୁର୍ବଳ ହୋଇ ପଡ଼ିରହିଛନ୍ତି।

ସମ୍ବନ୍ଧିତ ଖବର