୬୮ ସ୍ତରକୁ ଫେରିବ ଟଙ୍କା

ନୂଆଦିଲ୍ଲୀ: ଆଗାମୀ ଦିନରେ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ଆସିବ। ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଘଟିଲେ ଏବଂ ବହୁ ପରିମାଣରେ ଟଙ୍କା ବିକ୍ରି ହୋଇଛି ବୋଲି ନିବେଶକମାନେ ବୁଝିଗଲା ପରେ ଭାରତୀୟ ମୁଦ୍ରା ମୂଲ୍ୟରେ ସୁଧାର ଆସିବ ବୋଲି ସିଙ୍ଗାପୁରଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଉପସଭାପତି ଶାନ୍ତନୁ ଶୁକ୍ଳା କହିଛନ୍ତି। ଟଙ୍କା ବହୁ ତଳକୁ ଖସିଯାଇ ଥିବାରୁ ଏହା ରପ୍ତାନିକାରଙ୍କୁ ସୁହାଇବ। ଏହାପରେ ଆଗାମୀ ଦିନରେ ଟଙ୍କା ମୂଲ୍ୟରେ ଆପେ ସୁଧାର ଆସିବ ବୋଲି ସେ କହିଛନ୍ତି। ଏସିଆର ଅନ୍ୟ ଦେଶ ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ଡଲାର ତୁଳନାରେ ଏଥିରେ ପ୍ରାୟ ୧୨ ପ୍ରତିଶତ ହ୍ରାସ ଘଟିଲାଣି। ଚଳିତ ସପ୍ତାହରେ ୧ ଡଲାରର ମୂଲ୍ୟ ସର୍ବକାଳୀନ ସର୍ବନିମ୍ନ ସ୍ତର ୭୨ ଟଙ୍କା ୯୭ ପଇସାକୁ ଖସି ଆସିଛି। ତେବେ କେବେ ସୁଦ୍ଧା ଟଙ୍କା ମୂଲ୍ୟ ୬୮ ସ୍ତରକୁ ଫେରିବ ସେ ନେଇ ଶ୍ରୀ ଶୁକ୍ଳା କିଛି ସମୟସୀମା ଦେଇନାହାନ୍ତି। ଆଜିର କାରବାର ମଝିରେ ଟଙ୍କା ମୂଲ୍ୟରେ ୫୩ ପଇସା ସୁଧାର ଆସିଥିଲା। ତେବେ କାରବାର ଶେଷବେଳକୁ ଟଙ୍କା ମୂଲ୍ୟରେ ୧୭ ପଇସା ସୁଧାର ଆସି ୭୨ ଟଙ୍କା ୨୦ ପଇସାରେ ବନ୍ଦ ହୋଇଛି। ଗୁରୁବାର ଦେଶରେ ମହରମ୍‌ ଯୋଗୁ ମୁଦ୍ରା ବଜାର ବନ୍ଦ ରହିଥିଲା। ଗତ ବୁଧବାର ଟଙ୍କା ମୂଲ୍ୟରେ ସୁଧାର ଆସି ୭୨ ଟଙ୍କା ୩୭ ପଇସାରେ ବନ୍ଦ ହୋଇଥିଲା। ୨୦୧୭ ମାର୍ଚ୍ଚ ପରଠାରୁ କୌଣସି ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ଏତେ ବୃଦ୍ଧି ଦେଖାଦେଇ ନଥିଲା।

ସମ୍ବନ୍ଧିତ ଖବର