ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଆଜି ଟଙ୍କା ଆଉ କିଛି ପଇସା ଦୁର୍ବଳ ହୋଇ ୭୯ ଟଙ୍କା ୯୯ ପଇସାକୁ ଖସି ଆସିଛି। ଭାରତରୁ ବିଦେଶୀ ନିବେଶକମାନେ ଷ୍ଟକ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି। ଏହା ବ୍ୟତୀତ ରପ୍ତାନି ତୁଳନାରେ ଆମଦାନି ଅଧିକ ରହିବା ଯୋଗୁଁ ଡଲାରର ଚାହିଦା ବଢ଼ିଛି। ସେଥିପାଇଁ ଟଙ୍କା ଦୁର୍ବଳରୁ ଆହୁରି ଦୁର୍ବଳ ହେବାରେ ଲାଗିଛି। ଦୁର୍ବଳ ଟଙ୍କା ଭାରତୀୟ ଅର୍ଥନୀତି ପାଇଁ ବହୁ ବଡ଼ ଧରଣର ସମସ୍ୟା ସୃଷ୍ଟି କରିବ। ବିଶେଷ କରି ବ୍ୟାଙ୍କ, ଆମଦାନିକାରୀ ଓ ବିଦେଶରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନେ ଅଧିକ ପ୍ରଭାବିତ ହେବେ। ଯେଉଁମାନେ ଡଲାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ତାହା ପାଇବା ଲାଗି ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଗତ ଫେବ୍ରୁଆରି ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୭ ଥର ହ୍ରାସ ପାଇଲାଣି। ଡଲାର ଜରିଆରେ ଯେଉଁ ସବୁ ସାମଗ୍ରୀ ଆମଦାନି କରାଯାଉଛି ତାହା ଦେଶ ଭିତରେ ଆହୁରି ମହଙ୍ଗା ହେବ। ଫଳରେ ଦରଦାମ୍ ସ୍ଥିତି ଆହୁରି ବିଗିଡ଼ିବ। ବିଦେଶରେ ପାଠପଢ଼ିବା କିମ୍ବା ବୁଲିଯିବା ଲାଗି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଗତ ଛଅ ମାସରେ ଆମେରିକାରେ ପାଠପଢ଼ା ଖର୍ଚ୍ଚ ୭ ପ୍ରତିଶତ ବୃଦ୍ଧି ପାଇଛି। ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଆରମ୍ଭ ହୋଇଥିଲା। ପ୍ରଥମ ଥର ପାଇଁ ମାର୍ଚ୍ଚରେ ଏକ ଡଲାର ମୂଲ୍ୟ ୭୭ ଟଙ୍କାରୁ ଅଧିକ ହୋଇଥିଲା। ଏହାପରେ ପ୍ରତିଦିନ ଟଙ୍କା ଦୁର୍ବଳ ହେଉଥିବା ବେଳେ ଡଲାର ଶକ୍ତିଶାଳୀ ହେଉଛି।

Advertisment

ଅତୀତରେ ବହୁବାର ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଥିଲା। ୧୯୪୭ରେ ଭାରତ ସ୍ବାଧୀନ ହେବା ପରଠାରୁ ଟଙ୍କାର ମୂଲ୍ୟ ନିର୍ଧାରଣ ଆରମ୍ଭ ହୋଇଥିଲା। ସେତେବେଳେ ଏକ ଡଲାର ଦାମ୍ ୪ ଟଙ୍କା ୭୬ ପଇସା ଥିଲା। ୧୯୬୭ ପର୍ଯ୍ୟନ୍ତ ଦାମ୍ ସେହିଭଳି ସ୍ତରରେ ରହିଥିଲା। ୧୯୭୩ରେ ଦେଖାଦେଇଥିବା ତୈଳ ସଙ୍କଟ ଟଙ୍କାକୁ ଆହୁରି ଦୁର୍ବଳ କରିଦେଲା। ସେହି ସମୟରେ ଏକ ଡଲାର ଦାମ୍ ୮ ଟଙ୍କା ୧୦ ପଇସାକୁ ବୃଦ୍ଧି ପାଇଥିଲା। ୧୯୯୦ ବେଳକୁ ଡଲାର ଦାମ୍ ୧୭ ଟଙ୍କା ୫୦ ପଇସା ହୋଇଯାଇଥିଲା। ନବେ ଦଶକ ଟଙ୍କା ପାଇଁ ସବୁଠୁ ଖରାପ ସମୟ ଥିଲା। ଭାରତୀୟ ଅର୍ଥନୀତି ଏହାର ଦୁର୍ବଳ ସ୍ଥିତି ଦେଇ ଗତି କରୁଥିବା ବେଳେ ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟ ଶେଷ ହେବାକୁ ବସିଥିଲା। ୧୯୯୨ ବେଳକୁ ଏକ ଡଲାର ମୂଲ୍ୟ ୨୫ ଟଙ୍କା ୯୨ ପଇସା ହୋଇଯାଇଥିଲା। ତା’ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଲଗାତାର ହ୍ରାସ ପାଉଛି। ୨୦୦୪ରେ ଡଲାର ମୂଲ୍ୟ ୪୫ ଟଙ୍କା ୩୨ ପଇସା ଥିଲା। ୨୦୧୬ ସୁଦ୍ଧା ତାହା ୬୮ ଟଙ୍କା ୮୦ ପଇସା ହୋଇଯାଇଥିଲା। ୨୦୨୧ରେ ଏକ ଡଲାର ମୂଲ୍ୟ ୭୪ ଟଙ୍କା ୫୭ ପଇସା ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ୨୦୨୨ ମାର୍ଚ୍ଚରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ଏକ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୭ ଟଙ୍କା ସ୍ତର ଟପିଯାଇଥିଲା। ଯେଉଁ ଭଳି ଭାବେ ଟଙ୍କାର ପ୍ରଦର୍ଶନ ଦୁର୍ବଳ ରହିଛି, ତାହା ବିଚାରକୁ ନେଲେ ଆଗାମୀ କିଛି ଦିନ ଭିତରେ ଏକ ଡଲାର ମୂଲ୍ୟ ୮୦ ଟଙ୍କାରୁ ଅଧିକ ହୋଇଯିବ ବୋଲି ଅନୁମାନ କରାଯାଉଛି।