ଟଙ୍କା ତଳମୁହାଁ: ୧ ଡଲାର=୭୯.୩୬ ଟଙ୍କା, ୬ ମାସରେ ଖସିଲାଣି ୬%

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗତକାଲି ତୁଳନାରେ ଆଜି ଟଙ୍କା ମୂଲ୍ୟରେ ୪୧ ପଇସା ହ୍ରାସ ଘଟି ୭୯ ଟଙ୍କା ୩୬ ପଇସା ରହିଛି। ଅନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଆଜି କାରବାର ୭୯ ଟଙ୍କା ୦୪ ପଇସାରୁ ଆରମ୍ଭ ହୋଇଥିଲା। ପରେ ଏହାର ଉତ୍‌ଥାନ ପତନ ଜାରି ରହିଥିଲା। ଦିନରେ ଟଙ୍କାର ବିନିମୟ ମୂଲ୍ୟ ସର୍ବାଧିକ ୭୯ ଟଙ୍କା ୦୨ ପଇସାକୁ ବୃଦ୍ଧି ପାଇବା ସହିତ ୭୯ ଟଙ୍କା ୩୮ ପଇସାକୁ ହ୍ରାସ ପାଇଥିଲା। ତେବେ କାରବାର ୭୯ ଟଙ୍କା ୩୬ ପଇସାରେ ବନ୍ଦ ହୋଇଥିଲା। ସୋମବାର ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୮ ଟଙ୍କା ୯୫ ପଇସାରେ ବନ୍ଦ ହୋଇଥିଲା। ଆଜି ଜୁନ ମାସର ବାଣିଜ୍ୟ ନିଅଣ୍ଟ ତଥ୍ୟ ପ୍ରକାଶ ପାଇବା ପରେ ଏହାର ପ୍ରଭାବ ଟଙ୍କା ମୂଲ୍ୟ ଉପରେ ଅଧିକ ମାତ୍ରାରେ ପଡ଼ିଛି। ଭାରତର ବାଣିଜ୍ୟ ନିଅଣ୍ଟ ଜୁନ ମାସରେ ୨୫୬୩ କୋଟି ଡଲାରକୁ ବୃଦ୍ଧି ପାଇଛି, ଯାହାକି ଗତବର୍ଷ ଜୁନରେ ୯୬୧ କୋଟି ଡଲାର ରହିଥିଲା। ମୁଖ୍ୟତଃ କୋଇଲା ଓ ଅଶୋଧିତ ତେଲ ଆମଦାନି ପାଇଁ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇଛି।

ଗୋଟିଏ ପଟେ ଦେଶର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ଅନ୍ୟ ପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।ଚଳିତବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରାୟ ୬ ପ୍ରତିଶତ ହ୍ରାସ ଘଟିଲାଣି। ଆମେରିକା, ବ୍ରିଟେନ ସମେତ ଅନ୍ୟ ବିକଶିତ ଦେଶଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିବାରେ ଲାଗିଛନ୍ତି। ଏଥିଯୋଗୁ ଭାରତର ଷ୍ଟକ ମାର୍କେଟରୁ ବିଦେଶୀ ନିବେଶକମାନେ ଓହରିବାରେ ଲାଗିଛନ୍ତି। ଏହାର ବଡ଼ ପ୍ରଭାବ ଟଙ୍କା ମୂଲ୍ୟ ଉପରେ ପଡ଼ିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆଗାମୀ କିଛିଦିନ ପର୍ଯ୍ୟନ୍ତ ୭୮ ଟଙ୍କା ୫୦ରୁ ୮୦ ଟଙ୍କା ମଧ୍ୟରେ କାରବାର ହେବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି। ତେବେ ନୋମୁରା ପକ୍ଷରୁ କରାଯାଇଥିବା‌ ଆକଳନ ଅନୁଯାୟୀ ତୃତୀୟ ତ୍ରୟମାସରେ ଟଙ୍କା ମୂଲ୍ୟ ଡଲାର ତୁଳନାରେ ୮୨ ଟଙ୍କା ସ୍ତରକୁ ଖସିଯିବାର ଆଶଙ୍କା ବ୍ୟକ୍ତ କରାଯାଇଛି।

ସମ୍ବନ୍ଧିତ ଖବର