ଡଲାର ଦର ୭୩ ଟପିବ:ଏମାସରେ ଖସିଲାଣି ୯୭ ପଇସା

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ସୋମବାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟ ୪୬ ପଇସା ହ୍ରାସ ଘଟି ପ୍ରଥମ ଥର ପାଇଁ ସର୍ବକାଳୀନ ସର୍ବନିମ୍ନ ସ୍ତର ୭୨ ଟଙ୍କା ୯୭ ପଇସାକୁ ଖସିଆସିଛି। ଏଭଳି ସ୍ଥିତି ଜାରି ରହିଲେ ଟଙ୍କା ୭୩ ଟଙ୍କା ତଳକୁ ଖସିଯିବ। ପୂର୍ବରୁ ଚଳିତ ମାସ ୧୨ ତାରିଖରେ କାରବାର ମଝିରେ ଟଙ୍କା ମୂଲ୍ୟ ୭୨ ଟଙ୍କା ୯୧ ପଇସାକୁ କମି ଯାଇଥିଲା। ଟଙ୍କାର ମୂଲ୍ୟ ହ୍ରାସକୁ ରୋକିବା ପାଇଁ ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଡଲାର ବିକ୍ରି କରିଥିଲା। ଏହାସତ୍ତ୍ୱେ ଟଙ୍କା ଦୁର୍ବଳ ହୋଇଚାଲିଛି। ଆଜିର କାରବାର ଆରମ୍ଭରେ ଟଙ୍କା ମୂଲ୍ୟ ଗତକାଲି ତୁଳନାରେ ୧୦ ପଇସା ବୃଦ୍ଧି ଘଟି ୭୨ ଟଙ୍କା ୪୧ ପଇସାରେ କାରବାର ହୋଇଥିଲା। କିନ୍ତୁ ପୂର୍ବାହ୍ନରେ ଦେଖାଦେଇଥିବା ସୁଧାର ଅପରାହ୍ଣ କାରବାରରେ ମିଳେଇ ଯାଇଥିଲା।
ଟଙ୍କା ମୂଲ୍ୟ ହ୍ରାସ ପାଇଁ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ଅନ୍ତର୍ଜାତୀୟ ସ୍ତରର ଏକାଧିକ କାରଣକୁ ଦାୟୀ କରିଛନ୍ତି। ଏଥିରେ ଆମେରିକା ଓ ଚୀନ୍‌ ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟ ଯୁଦ୍ଧ ଅନ୍ୟତମ ବୋଲି କୁହାଯାଉଛି।
ଚଳନ୍ତି ଖାତା ନିଅଣ୍ଟକୁ ରୋକିବା ସହିତ ଟଙ୍କା ମୂଲ୍ୟରେ ସୁଧାର ଆଣିବା ଲାଗି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୫ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।
ଚଳିତବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୨ ପ୍ରତିଶତ ହ୍ରାସ ଘଟିଲାଣି। ଏସିଆର ଅନ୍ୟ ଦେଶ ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ସବୁଠୁ ଖରାପ ରହିଛି।
ଗତମାସ ୩୧ ତାରିଖରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରଥମ ଥର ପାଇଁ ୭୧ ଟଙ୍କାରେ ବନ୍ଦ ହୋଇଥିଲା। ତେଣୁ ଏହାକୁ ଦେଖିଲେ ଚଳିତମାସ ଆଜି ସୁଦ୍ଧା ଟଙ୍କା ମୂଲ୍ୟ ୯୭ ପଇସା ତଳକୁ ଖସିଗଲାଣି। ଟଙ୍କା ମୂଲ୍ୟ ଯଦି ଏଭଳି ଭାବେ ଖସିଚାଲେ ତାହେଲେ ଆଗାମୀ ଦିନରେ ଅର୍ଥନୀତି ପାଇଁ ଏହା ଅନେକ ସମସ୍ୟା ସୃଷ୍ଟି କରିବ। ଆମଦାନି ହେଉଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ। ଫଳରେ ଦେଶରେ ବିଭିନ୍ନ ଆମଦାନିକୃତ ସାମଗ୍ରୀ ମହଙ୍ଗା ହୋଇଯିବ।

ସମ୍ବନ୍ଧିତ ଖବର