ଡଲାର ମୂଲ୍ୟ ୭୨.୮୦ ଟଙ୍କା ହୋଇପାରେ

ମୁମ୍ବାଇ: ମୁଦ୍ରା ବିନିମୟ ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ସେପ୍ଟେମ୍ବର ମାସର ପ୍ରଥମ ୧୫ ଦିନ ଭିତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୨ ଟଙ୍କା ୮୦ ପଇସା ଭଳି ସ୍ତରରେ ପହଞ୍ଚିଯାଇପାରେ। ସେମାନେ କହିଛନ୍ତି ଯେ, ମୁଦ୍ରାସ୍ଫୀତି ହାର, ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ସାରା ବିଶ୍ୱରେ ଡଲାର ମହଙ୍ଗା ହେଉଥିବାରୁ ଟଙ୍କା ମୂଲ୍ୟରେ ଅବନତି ହେଉଛି।

ଆଜି ମଧ୍ୟ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଏକ ଡଲାରର ମୂଲ୍ୟ ୭୧ ଟଙ୍କା ୭୫ ପଇସା ହୋଇଯାଇଛି। ଗତକାଲି ଗୋଟିଏ ଡଲାର କିଣିବା ପାଇଁ ୭୧ ଟଙ୍କା ୫୭ ପଇସା ଗଣିବାକୁ ପଡ଼ୁଥିଲା। ଆଜି ସେଥିପାଇଁ ଆଉ ୧୮ ପଇସା ଅଧିକ ଗଣିବାକୁ ପଡ଼ିଛି। ଅଗଷ୍ଟ ମାସର ଶେଷ ସପ୍ତାହରେ ଟଙ୍କାର ଦୁର୍ବଳ ସ୍ଥିତି ଏତେଟା ଚିନ୍ତାଜନକ ନଥିଲା। କାରଣ ମାସ ଶେଷ ଯୋଗୁ ବ୍ୟାଙ୍କ ଓ ଆମଦାନିକାରୀମାନେ ପେମେଣ୍ଟ୍‌ କରିବା ପାଇଁ ଅଧିକ ଡଲାର କିଣୁଥିଲେ। ଫଳରେ ଚାହିଦା ବଢ଼ିବାରୁ ଡଲାର ଦର ବଢ଼ିଥିଲା। କିନ୍ତୁ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ମଧ୍ୟ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିବା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବାର କିଛି ସମୟ ପରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୨ ଟଙ୍କା ସ୍ତର ଆଡ଼କୁ ମୁହାଁଇଥିଲା। କିନ୍ତୁ ଠିକ୍‌ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବାରୁ ଟଙ୍କା ମୂଲ୍ୟରେ ଆଉ ଅବନତି ହୋଇନଥିଲା।

ଆନ୍ତର୍ଜାତିକ କାରକ ଦାୟୀ: ଜେଟ୍‌ଲି
ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଯେଉଁ ଅବନତି ଦେଖାଦେଇଛି ସେଥିପାଇଁ ଆନ୍ତର୍ଜାତିକ କାରକକୁ ଦାୟୀ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ସେ କହିଛନ୍ତି ଯେ, ଦେଶ ଭିତର କୌଣସି କାରଣ ନୁହେଁ, ଆନ୍ତର୍ଜାତିକ କାରକ ଯୋଗୁ ଡଲାର ମହଙ୍ଗା ହେଉଛି। କିଛି ମାସ ହେଲାଣି ବିଶ୍ୱର ପ୍ରାୟ ସବୁ ଦେଶର ମୁଦ୍ରା ତୁଳନାରେ ଡଲାର ମହଙ୍ଗା ହୋଇଛି। ବିଗତ ଚାରି ପାଞ୍ଚ ବର୍ଷ ପୂର୍ବର ସ୍ଥିତିକୁ ଯଦି ବିଚାରକୁ ନିଆଯାଏ ତେବେ ଏବେ ଡଲାର ତୁଳନାରେ ଟଙ୍କା ଭଲ ସ୍ଥିତିରେ ଥିବା କୁହାଯାଇପାରିବ ବୋଲି ସେ କହିଛନ୍ତି। ଟଙ୍କା ମୂଲ୍ୟକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ବ୍ରିଟିଶ ପାଉଣ୍ଡ୍‌ ଓ ୟୁରୋ ତୁଳନାରେ ମଧ୍ୟ ଡଲାର ଅଧିକ ଶକ୍ତିଶାଳୀ ହୋଇଛି। ଏହି ମୁଦ୍ରାଗୁଡ଼ିକ ତୁଳନାରେ ଟଙ୍କା ଭଲ ସ୍ଥିତିରେ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର