ନୂଆଦିଲ୍ଲୀ: ଆଜିକାଲି ପୋଷାକ, ମୋବାଇଲ୍, ଫଳପନିପରିବାଠାରୁ ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଅନଲାଇନରେ ବରାଦ କରାଯାଉଛି । ଅନଲାଇନ୍ ଆପ୍ ସାହାଯ୍ୟରେ ଖାଦ୍ୟ ବରାଦ କରିବା ଏବେ ଖୁବ୍ ସାଧାରଣ କଥା। ଖାଦ୍ୟ ଯୋଗାଇ ଦେଉଥିବା ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ଆବଶ୍ୟକତାର ବିଶେଷ ଯତ୍ନ ବି ନେଉଛନ୍ତି । କିନ୍ତୁ ବେଳେବେଳେ ଅନଲାଇନ୍ ବରାଦ ସହିତ ଜଡିତ କିଛି ଅଜବ ମାମଲା ସାମ୍ନାକୁ ଆସିଥାଏ।
ଉତ୍ତର ପ୍ରଦେଶରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ଜଣାଶୁଣା ଖାଦ୍ୟପ୍ରସ୍ତୁତକାରୀ କମ୍ପାନି ଡୋମିନୋଜରୁ ପିଜା ବରାଦ କରିଥିଲେ, କିନ୍ତୁ ଡେଲିଭରି ବୟ ତାଙ୍କ ପ୍ରତି ଏପରି ଆଚରଣ କରିଥିଲେ ଯେ ମହିଳାଙ୍କୁ କମ୍ପାନି ଏବଂ ପୁଲିସ ନିକଟରେ ଅଭିଯୋଗ କରିବାକୁ ପଡ଼ିଲା।
ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଡେଲିଭରି ବୟ ଜଣକ ତାଙ୍କୁ ପସନ୍ଦ କରିବା କିମ୍ବା ପ୍ରେମ ନିବେଦନ କରିବା ତାଙ୍କ ରାଗର କାରଣ ନୁହେଁ। ମାତ୍ର ସେ ବିବ୍ରତ ଏଥିପାଇଁ ଯେ ଯୁବକ ଜଣକ ମହିଳା ରେଜିଷ୍ଟ୍ରେସନ୍ କରିଥିବା ଫୋନ୍ ନମ୍ବରର ଦୁରୁପଯୋଗ କରିଛନ୍ତି। ସେ ଖାଦ୍ୟ ବରାଦ କରିବାକୁ ଯେଉଁ ନମ୍ବର ଦେଇଥିଲେ, ଯୁବକ ତାଙ୍କୁ ସେହି ନମ୍ବରରେ ମେସେଜ୍ କରିଛନ୍ତି।
ଯାହାଫଳରେ ପୀଡ଼ିତା ଯୁବତୀ ଜଣକ ଉଭୟ ଡୋମିନଜ୍ ଓ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ପୀଡ଼ିତା ଯୁବତୀଙ୍କ ନାମ କନିଷ୍କା। ସେ ଏକ ଟ୍ୱିଟ୍ କରି ତାଙ୍କ ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର ହୋଇଥିବା ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଟ୍ୱିଟରରେ ୟୁପି ପୁଲିସ ଏବଂ ଡୋମିନୋଜ୍ର ସହାୟତା ଲୋଡିଛନ୍ତି।
ଟ୍ୱିଟରରେ ମହିଳା ଟ୍ୱିଟ୍ କରି ଯୁବକ ପଠାଇଥିବା ମେସେଜ୍କୁ ଲେଖିଛନ୍ତି, ‘ସରି, ମୋ ନାମ କବୀର। ଗତକାଲି ମୁଁ ଆପଣଙ୍କ ଘରକୁ ପିଜା ଡେଲିଭର କରିବାକୁ ଆସିଥିଲି। ମୁଁ ଆପଣଙ୍କୁ ପସନ୍ଦ କରେ।’ ଡେଲିଭରି ବୟର ମେସେଜ୍ର ଏକ ସ୍କ୍ରିନସଟ୍ ସେୟାର କରି ମହିଳା ଜଣକ ପୂରା କାହାଣୀକୁ ଉଲ୍ଲେଖ କରିଛନ୍ତି।