ବାଣିଜ୍ୟ ସମ୍ପର୍କ ସୁଧାରିବ ଆମେରିକା : ଫେବ୍ରୁଆରିରେ ଟ୍ରମ୍ପ୍ ଭାରତ ଆସିବେ, ବଡ଼ ବୁଝାମଣା ଘୋଷଣା କରିବେ

୨୦୧୮ରୁ ସମ୍ପର୍କ ଖରାପ ହୋଇଥିଲା

ନୂଆଦିଲ୍ଲୀ : ଆମେରିକା ସହିତ ଏକ ବଡ଼ ବାଣିଜ୍ୟ ବୁଝାମଣା ହେବାକୁ ଯାଉଛି। ପ୍ରାୟ ୭୧ ହଜାର କୋଟି ଟଙ୍କାର ଏହି ବୁଝାମଣାଟି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ଚୂଡ଼ାନ୍ତ ହେବ।

ଆସନ୍ତା ଫେବ୍ରୁଆରି ୨୪-୨୫ରେ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆମେରିକାର ବାଣିଜ୍ୟ ମନ୍ତ୍ରୀ ରବର୍ଟ ଲାଇଟ୍‌ଥାଇଜର୍‌ ଭାରତ ଆସି ଏହି ବୁଝାମଣାର ଚୂଡ଼ାନ୍ତ ରୂପରେଖକୁ ନେଇ ଆଲୋଚନା କରିବେ। ସବୁ କିଛି ଠିକ୍ ରହିଲେ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟ ରାଜିନାମା ସ୍ବାକ୍ଷରିତ ହେବ। ଫେବ୍ରୁଆରି ମାସର ଦ୍ବିତୀୟ ସପ୍ତାହରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଓ ଲାଇଟ୍‌ଥାଇଜର୍‌ଙ୍କ ମଧ୍ୟରେ ବୈଠକ ହେବ। ଏହା ପୂର୍ବରୁ ଡାଭୋସ୍‌ର ବିଶ୍ବ ଅର୍ଥନୈତିକ ଫୋରମ୍‌ ସମ୍ମିଳନୀରେ ଏହି ଦୁଇ ଦେଶ ମେଗା ବାଣିଜ୍ୟ ବୁଝାମଣାକୁ ନେଇ ଆଲୋଚନା କରିଥିଲେ। ଆମେରିକାର ଏକ ଛଅ ଜଣିଆ ପ୍ରତିନିଧି ଭାରତ ଆସି ଗୋୟଲଙ୍କ ସମେତ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

ମେଡିକାଲ୍ ଉପକରଣକୁ ନେଇ ଦୁଇ ଦେଶ ମଧ୍ୟରେ ଯେଉଁ ସମସ୍ୟା ରହିଥିଲା ତାହା ସମାଧାନ ହୋଇଯାଇଛି। ମେଗା ବାଣିଜ୍ୟ ବୁଝାମଣା ରାସ୍ତାରେ ଏହା ଏକ ବଡ଼ କଣ୍ଟା ଥିଲା। ୨୦୧୮ରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ବିଭିନ୍ନ କାରଣ ପାଇଁ ପ୍ରଭାବିତ ହେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାର୍ଲି ଡାଭିଡ୍‌ସନ୍ ବାଇକ୍ ଉପରେ ଭାରତ ଲଗାଇଥିବା ଶୁଳ୍କ ଠାରୁ ଆରମ୍ଭ କରି ଇ-କମର୍ସ ନୀତି, ବ୍ୟକ୍ତିଗତ ତଥ୍ୟର ଗୋପନୀୟତାକୁ ନେଇ ଭାରତ ପ୍ରସ୍ତୁତ କରିଥିବା ବିଲ୍‌କୁ ନେଇ ଆମେରିକା ଅସନ୍ତୋଷ ଜାହିର କରିଥିଲା। ଭାରତର ଇସ୍ପାତ ଓ ଆଲୁମିନିୟମ ଉପରେ ଆମେରିକା ଯଥାକ୍ରମେ ୨୫% ଓ ୧୦%ର ଟିକସ ଲଗାଇଥିଲା। ଏହାର ଜବାବରେ ଭାରତ ପକ୍ଷରୁ ଆମେରିକାର ୨୮ ପ୍ରକାର ଉତ୍ପାଦ ଉପରେ ଟିକସ ପରିମାଣ ବଢ଼ାଇ ଦିଆଯାଇଥିଲା। ଭାରତର ଏହି ପଦକ୍ଷେପରେ ଆମେରିକା ଉତ୍‌କ୍ଷୀପ୍ତ ହୋଇ ଭାରତକୁ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)କୁ ଟାଣି ନେଇଥିଲା।

ଏବେ ଦୁଇ ଦେଶ ସବୁ ବିବାଦକୁ ଭୁଲି ବାଣିଜ୍ୟ ସମ୍ପର୍କରେ ସୁଧାର ଆଣିବା ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି। ଆମେରିକା ନିଜ ଦେଶର ବାଦାମକୁ ଭାରତରେ ଅଧିକ ବିକ୍ରି କରିବାକୁ ଚାହୁଛି। ସେହି ସମୟରେ ଅଙ୍ଗୁରକୁ ଆମେରିକା ପଠାଇବା ଲାଗି ଭାରତ ମଧ୍ୟ ପ୍ରୟାସ କରୁଛି। ଜେନେରାଲଜଡ୍ ସିଷ୍ଟମ୍ ଅଫ୍ ପ୍ରିଫ‌ରେନ୍ସ (ଜିଏସ୍‌ପି)ରେ ପୁଣି ଥରେ ଭାରତ ସାମିଲ ହେବାକୁ ଚାହୁଛି। ୨୦୧୯ ଜୁନ୍ ୫ରେ ଆମେରିକାର ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ ଭାରତକୁ ଏହି ତାଲିକାରୁ ହଟାଇ ଦେଇଥିଲେ। ଏହି ସବୁ ପ୍ରକାର ସମ୍ଭାବନାକୁ ନେଇ ଏକ ବଡ଼ ବାଣିଜ୍ୟ ବୁଝାମଣା ପ୍ରସ୍ତୁତ କରାଯାଉଛି। ଆଗାମୀ ଦିନରେ ଦୁଇ ଦେଶ ଭିତରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ସ୍ବାକ୍ଷର କରିବାର ସମ୍ଭାବନା ବିଷୟରେ ମଧ୍ୟ ବିଚାରବିମର୍ଶ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର