ଆଇଫୋନ୍‌ରୁ ହୋମ୍ ବଟନ୍ ହଟିବାରୁ ପ୍ରବଳ ବିରକ୍ତ ହେଲେ ଟ୍ରମ୍ପ , ଆପଲ୍ ସିଇଓଙ୍କୁ କଲେ ଟ୍ବିଟ୍

ୱାସିଂଟନ: ଆଇଫୋନ୍‌ ଏକ୍ସ ବା ଆଇଫୋନ୍ ୧୦ ଭଳି ନୂଆ ମୋବାଇଲ ଫୋନ୍‌ରେ ଆପଲ୍‌ ହୋମ୍ ବଟନ୍ ରଖିନାହିଁ। ଆପଲ୍ କମ୍ପାନିର ଏଭଳି ନିଷ୍ପତ୍ତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ଅନ୍ୟ ଘଟଣା ଭଳି ସେ ଟ୍ବିଟରରେ ତାଙ୍କ ଅସନ୍ତୋଷକୁ ପ୍ରକାଶ କରି ଚର୍ଚ୍ଚାକୁ ଆସିଛନ୍ତି। ହୋମ୍ ବଟନ୍ କିଭଳି ଖୁବ୍ ଭଲ ଥିଲା ସେ ସମ୍ପର୍କରେ ଟ୍ରମ୍ପ୍ ଆପଲ୍ ସିଇଓ ଟୁମ୍ କୁକ୍‌ଙ୍କୁ ଟ୍ବିଟରରେ କହିଛନ୍ତି। ଆପଲ୍‌ର ସହ ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ୨୦୦୭ରେ ବଜାରକୁ ପ୍ରଥମେ ଆଇଫୋନ୍ ଆଣିବା ଦିନଠାରୁ ହୋମ୍ ବଟନ୍ ଉକ୍ତ ଫୋନ୍‌ର ମୂଳ ଆଧାର ଥିଲା। ତେବେ ଆଇଫୋନ୍ ଏକ୍ସରେ କମ୍ପାନି ଏହି ବଟନ୍‌କୁ ହଟାଇ ସ୍ବାଇପ୍ କଣ୍ଟ୍ରୋଲ ସୁବିଧା ପ୍ରଦାନ କରିଛି। ଆଇଫୋନ୍ ଏକ୍ସଏସ୍‌ ଏବଂ ଆଇଫୋନ୍ ୧୧ ସିରିଜ୍‌ର କୌଣସି ମଡେଲରେ ହୋମ୍ ବଟନ୍ ନାହିଁ। ହୋମ୍‌ ବଟନ୍ ନଥିବାରୁ ଟ୍ରମ୍ପ ଏତେମାତ୍ରାରେ ବିରକ୍ତ ହୋଇପଡ଼ିଛନ୍ତି ଯେ, ସେ ତାଙ୍କର ମୂଳ ଟ୍ବିଟକୁ ପୁଣି ଟ୍ବିଟ୍ କରିଛନ୍ତି। ତାଙ୍କ ପାଇଁ ସ୍ବାଇପ୍ ବ୍ୟବସ୍ଥା ବଦଳରେ ହୋମ୍ ବଟନ୍ ଅତ୍ୟନ୍ତ ଭଲ ଥିଲା ବୋଲି କହିଛନ୍ତି। ପ୍ରାୟ ବର୍ଷକ ତଳୁ ଆପଲ୍ ଏହାର ନୂଆ ‌ଆଇଫୋନ୍‌ରୁ ହୋମ୍ ବଟନ୍ ହଟାଇ ସାରିଲାଣି। ଏତେଦିନ ପରେ ଟ୍ରମ୍ପ ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ କାହିଁକି ମନ୍ତବ୍ୟ ରଖିଲେ ତାହା ବୁଝାପଡ଼ୁନାହିଁ। ତେବେ ନିକଟ ଅତୀତରେ ଆମେରିକା ପ୍ରଶାସନ ଟ୍ରମ୍ପଙ୍କୁ ବ୍ୟବହାର ପାଇଁ ନୂଆ ମଡେଲର ଆଇଫୋନ୍ ଦେଇଥିବା ଏହାର କାରଣ ହୋଇଥାଇପାରେ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ଏହି ଟ୍ବିଟ୍ ସୋସିଆଲ ମିଡିଆରେ ଆସିବା ପରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଏପରିକି ଜଣେ ବ୍ୟକ୍ତି ଟ୍ରମ୍ପଙ୍କ ତୁଳନାରେ ଓବାମା ଭଲ ଥିଲେ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି।

କୌତୁହଳର ବିଷୟ ହେଲା ଆଇଫୋନ୍‌ ସଂକ୍ରାନ୍ତ ଟ୍ରମ୍ପଙ୍କର ଅନ୍ୟ କେତେକ ପୁରୁଣା ଟ୍ବିଟ୍ ଏବେ ଚର୍ଚ୍ଚାକୁ ଆସିଛି। ପୁରୁଣା ଟ୍ବିଟ୍‌ରେ ଟ୍ରମ୍ପ ଆପଲ୍‌କୁ ବଡ଼ ସ୍କ୍ରିନ୍ ଥିବା ଆଇଫୋନ୍ ଆଣିବାକୁ କହିଥିଲେ। ଏହା ନହେଲେ ଆପଲ୍ କମ୍ପାନିର ବ୍ୟବସାୟ ସାମସଙ୍ଗ ନେଇଯିବ ବୋଲି ସେହିସବୁ ଟ୍ବିଟ୍‌ରେ ସତର୍କ କରାଇ ଦେଇଥିଲେ। ୨୦୧୩ ଏବଂ ୨୦୧୪ ମସିହାର ଏ ସମ୍ପର୍କିତ ଟ୍ବିଟ୍ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି।

ସମ୍ବନ୍ଧିତ ଖବର