ନୂଆଦିଲ୍ଲୀ: ବଜାରରେ ଆଳୁ, ପିଆଜ, ଟମାଟୋଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଅନେକ ଜିନିଷର ଦାମ୍ ଉଚ୍ଚା ରହିଛି। ମାସକ ପୂର୍ବରୁ ମଧ୍ୟ ସ୍ଥିତି ପ୍ରାୟ ସେହିଭଳି ଥିଲା। କିନ୍ତୁ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୩.୫ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ସରକାର ଜାରି କରିଥିବା ତଥ୍ୟକୁ ସହଜରେ ବିଶ୍ବାସ କରିହେଉନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଜୁଲାଇରେ ଲୋକମାନେ କୌଣସି ଜିନିଷର ଦାମ୍ କମ୍ ହେବା ବଦଳରେ ବଢ଼ିଥିବା ଅନୁଭବ କରିଥିଲେ। ଏହାସତ୍ତ୍ବେ ଖୁଚୁରା ମୁଦ୍ରାସ୍ଫୀତି କମ୍ ହୋଇଛି। ଏହା ପଛର ରହସ୍ୟ ଜାଣିବା ଲାଗି ସରକାରୀ ତଥ୍ୟ ଅନୁଶୀଳନ କରିବା ପରେ ଏକ ବଡ଼ କଥା ସାମ୍ନାକୁ ଆସିଛି। ଜୁଲାଇ ମାସରେ ଯେଉଁ ଜିନିଷଗୁଡ଼ିକର ଦାମ୍ କମିଥିଲା, ମୁଦ୍ରାସ୍ଫୀତି ହିସାବରେ ସେଗୁଡ଼ିକର ଗୁରୁତ୍ବ ଅଧିକ ରହିଥିବାରୁ ତାହା ହ୍ରାସ ପାଇଛି।
ଖୁଚୁରା ମୁଦ୍ରାସ୍ଫୀତି ହିସାବ ଲାଗି ସାଧାରଣ ଜନତା ବ୍ୟବହାର କରୁଥିବା ୨୨୯ଟି ଜିନିଷ ବିଚାରକୁ ନିଆଯାଉଛି। ଜୁଲାଇ ମାସରେ ସେଥିରୁ ମାତ୍ର ୬୦ଟି ଜିନିଷର ଦାମ୍ କମିଛି। ପ୍ରକୃତରେ ଜୁଲାଇରେ ପନିପରିବା ଓ ଖାଇବା ଜିନିଷ ମହଙ୍ଗା ହୋଇଛି। ଖାଦ୍ୟ ସାମଗ୍ରୀ ଦାମ୍ ୨.୮ ପ୍ରତିଶତ ବଢ଼ିଛି। ଟମାଟୋ ଦାମ୍ରେ ୪୧.୮ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଡାଲି ଦାମ୍ ୩୧.୮ ପ୍ରତିଶତ ଓ ଫୁଲ କୋବି ଦାମ୍ ୨୩.୫ ପ୍ରତିଶତ ବଢ଼ିଛି। ମୋବାଇଲ୍ ରିଚାର୍ଜ ୮ ପ୍ରତିଶତ ମହଙ୍ଗା ହୋଇଛି। ଟ୍ୟୁସନ୍ ଫି’ ଓ ଅନ୍ୟାନ୍ୟ ପାଠପଢ଼ା ଫି’ରେ ୧ ପ୍ରତିଶତ ବୃଦ୍ଧି ହୋଇଛି। କଫି ମୂଲ୍ୟରେ ୧.୫ ପ୍ରତିଶତ ବୃଦ୍ଧି ହୋଇଛି। ପନିପରିବା ଦାମ୍ ୧୪ ପ୍ରତିଶତ ବଢ଼ିଛି।
କେବଳ ଲେମ୍ବୁ ଓ ଆମ୍ବ ଦାମ୍ରେ ଯଥାକ୍ରମେ ୧୦.୫ ପ୍ରତିଶତ ଓ ୦.୩ ପ୍ରତିଶତ ହ୍ରାସ ଘଟିଛି। ଲିଚି ଦାମ୍ ୪୬ ପ୍ରତିଶତ କମିଥିବା ବେଳେ ପିଜୁଳି ଦାମ୍ ୫.୪ ପ୍ରତିଶତ ହ୍ରାସ ପାଇଛି। ମାଛ ଓ ଚିଙ୍ଗୁଡ଼ି ଦାମ୍ ୦.୭୦ ପ୍ରତିଶତ ଏବଂ ଚିକେନ୍ ୪.୨୫ ପ୍ରତିଶତ ହ୍ରାସ ପାଇଛି। ନିରାମିଷ ଭୋଜନ କରୁଥିବା ଲୋକମାନଙ୍କ ପାଇଁ ଦରଦାମ୍ ପ୍ରକୃତରେ ବଢ଼ିଛି। ଆମିଷ ଖାଉଥିବା ଲୋକମାନଙ୍କ ପାଇଁ କିଛିଟା ଆଶ୍ବସ୍ତି ମିଳିଛି।