ଅଧୁରା ରହିଯିବ ଲକ୍ଷ୍ମୀ ମିତ୍ତଲଙ୍କ ସ୍ବପ୍ନ

ସହଜରେ ମିଳିବନି ଏସାର ଷ୍ଟିଲ୍‌, କୋର୍ଟ ଯାଇପାରେ ଏସାର ଗ୍ରୁପ୍

ନୂଆଦିଲ୍ଲୀ: ଭାରତରେ ଇସ୍ପାତ କାରଖାନା ସ୍ଥାପନ କରିବାର ଯେଉଁ ସ୍ବପ୍ନ ଇସ୍ପାତ ବ୍ୟବସା‌ୟୀ ଲକ୍ଷ୍ମୀ ଏନ୍ ମିତ୍ତଲ ଦେଖୁଛନ୍ତି ତାହା ଅଧୁରା ରହିଯାଇପାରେ। ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରି ମିତ୍ତଲ ନିଜର ସ୍ବପ୍ନ ପୂରଣ କରିବାକୁ ଚାହୁଛନ୍ତି। ସେଥିପାଇଁ ସେ ଅନେକ ପରିଶ୍ରମ କରିଛନ୍ତି। କିନ୍ତୁ ଶେଷ ମୁହୂର୍ତରେ ଏସାର ଷ୍ଟିଲ୍‌କୁ ବଞ୍ଚାଇବା ପାଇଁ ଏହାର ପ୍ରମୋଟରମାନେ କରିଥିବା ଉଦ୍ୟମ ତାଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେବାଳିଆ ବିଚାର ପ୍ରକ୍ରିୟା‌ ଦେଇ ଗତି କରୁଥିବା ଏସାର ଷ୍ଟିଲ୍‌କୁ ନିଲାମ କରାଯାଉଛି। ଯେଉଁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା (କ୍ରେଡିଟର୍‌)ମାନେ କଂପାନିକୁ ଋଣ ଦେଇଥିଲେ ସେମାନେ ନିଜ ଋଣ ଅର୍ଥ ଆଦାୟ କରିବା ପାଇଁ ଏସାର ଷ୍ଟିଲ୍‌କୁ ନିଲାମ କରୁଛନ୍ତି। ସେଥିପାଇଁ ବିଡ୍‌ ଆହ୍ବାନ କରାଯାଇଥିଲା। ଆର୍ସେଲର ମିତ୍ତଲ, ନ୍ୟୁମେଟାଲ୍ ଓ ବେଦାନ୍ତ ଦୌଡ଼ରେ ସାମିଲ ହୋଇଥିଲେ। ଚୂଡ଼ାନ୍ତ ବିଡ୍ ପର୍ଯ୍ୟାୟରେ ୪୨ ହଜାର କୋଟି ଟଙ୍କାର ବିଡ୍ ଦାଖଲ କରି ଆର୍ସେଲର ମିତ୍ତଲ ଆଗୁଆ ରହିଥିଲା। କ୍ରେଡିଟର୍‌ମାନେ ଏହାର ବିଡ୍‌କୁ ଗ୍ରହଣ କରିଛନ୍ତି ବୋଲି ମଧ୍ୟ ଆର୍ସେଲର ମିତ୍ତଲ ନିଜ ଆଡ଼ୁ ଘୋଷଣା କରିଛି। ଏସାର ଷ୍ଟିଲ୍ ଉପରେ ୪୯ ହଜାର କୋଟି ଟଙ୍କାର ଋଣ ବାକି ଅଛି। ନିଜ କଂପାନିକୁ ବଞ୍ଚାଇବା ପାଇଁ ଏସାର ଗ୍ରୁପ୍ ପକ୍ଷରୁ ଶେଷ ମୁହୂର୍ତ୍ତରେ ୫୪ ହଜାର କୋଟି ଟଙ୍କାର ଅଫର ଦିଆଯାଇଛି। ଏସାର ଷ୍ଟିଲ୍‌ ପାଇଁ ଯଦି ଆର୍ସେଲର ମିତ୍ତଲକୁ ଯୋଗ୍ୟ ବିଡ୍‌ ଦାଖଲକାରୀ ଭାବେ ଏନ୍‌ସିଏଲ୍‌ଟି ଚୟନ କରିବ ତେବେ ସେହି ନିଷ୍ପତ୍ତିକୁ ଏସାର ଗ୍ରୁପ୍ କୋର୍ଟରେ ଚ୍ୟାଲେଞ୍ଜ କରିବ। ଏସାର ଗ୍ରୁପ୍୍‌ କହିଛି ଯେ, ଆମେ ଯେଉଁ ଅଫର ଦେଇଛୁ ସେଥିରେ ବ୍ୟାଙ୍କଗୁଡ଼ିକର ସବୁ ବକେୟା ଋଣ ପରିଶୋଧ ହୋଇଯିବ। କିନ୍ତୁ ଆର୍ସେଲର ମିତ୍ତଲ ଅଫରକୁ ଗ୍ରହଣ କଲେ କ୍ରେଡିଟର୍‌ମାନଙ୍କୁ ୭ ହଜାର କୋଟି ଟଙ୍କା ହରାଇବାକୁ ପଡ଼ିବ। ଏସାର ଗ୍ରୁପ୍ ନିଜର ଋଣ ବୋଝକୁ ଧୀରେ ଧୀରେ ହାଲୁକା କରୁଛି। ଏସାର ଅଏଲ୍‌ ବିକ୍ରିରୁ ୭୨ ହଜାର କୋଟି ଟଙ୍କା, ଏଇଜିସ୍‌ ବିକ୍ରିରୁ ୪୨୦୦ କୋଟି ଟଙ୍କା ଓ ଇକ୍ବିନକ୍ସ ବିକ୍ରିରୁ ଏହା ୨୪୦୦ କୋଟି ଟଙ୍କା ହାସଲ କରିଥିଲା। ଏହି ସବୁ ଟଙ୍କାକୁ ଋଣ ବୋଝ ହାଲୁକା କରିବାରେ କଂପାନି ବ୍ୟବହାର କରିଛି। ହୁଏତ, ଋଣ ବୋଝ କମିଯାଇଥିବାରୁ ଏସାର ଗ୍ରୁପ୍ ଏହାର ସବୁଠୁ ‌ପସନ୍ଦର କଂପାନି ଏସାର ଷ୍ଟିଲ୍‌କୁ ହରାଇବାକୁ ଚାହୁନାହିଁ। ଏହାକୁ ମୁକୁଳାଇବା ପାଇଁ ଯାହା କରିବା ଦରକାର ସେହି ସବୁ ପଦକ୍ଷେପ ଗ୍ରହଣ କରିବାକୁ କଂପାନି ପ୍ରସ୍ତୁତ ହୋଇଯାଇଛି।

ସମ୍ବନ୍ଧିତ ଖବର