ନୂଆଦିଲ୍ଲୀ: ଆମେରିକା ଯିବାକୁ ଚାହୁଥିବା ଭାରତୀୟମାନଙ୍କୁ ଶୀଘ୍ର ଭିସା ମିଳିବ। ଭାରତରେ ଅବସ୍ଥାପିତ ଆମେରିକା ମିସନ ପକ୍ଷରୁ ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ଶନିବାର ଦିନ ନୂଆଦିଲ୍ଲୀର ଆମେରିକା ଦୂତାବାସ ଓ ମୁମ୍ବାଇ, କୋଲକଳତା, ଚେନ୍ନାଇ ଓ ହାଇଦ୍ରାବାଦରେ ଥିବା ବାଣିଜ୍ୟ ଦୂତାବାସରେ ସାକ୍ଷାତକାର ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକୁ ଆମେରିକା ମିସନ ଜାରି ରଖିବ। କୋଭିଡ୍ ମହାମାରୀ ପ୍ରଭାବରେ ଭିସା ପ୍ରକ୍ରିୟାକରଣରେ ହୋଇଥିବା ବିଳମ୍ବକୁ ଦୂର କରିବା ଲାଗି ଆମେରିକାର ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ କେତେକ ମାମଲାରେ ସାକ୍ଷାତକାର ଆବଶ୍ୟକତାକୁ ଛାଡ଼ କରାଯାଇଛି।
ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୱାସିଂଟନ ଓ ଅନ୍ୟାନ୍ୟ ଦୂତାବାସରୁ ଅତିରିକ୍ତ କର୍ମଚାରୀ ଭାରତ ଆସି ଭିସା ପ୍ରକ୍ରିୟାକରଣ କ୍ଷମତାକୁ ବଢ଼ାଇବେ। କନସୁଲାର ଅଫିସରଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ଆମେରିକା ମିସନ ପକ୍ଷରୁ ଅଢ଼େଇ ଲକ୍ଷରୁ ଅଧିକ ବି୧/ବି୨ ଆପଏଣ୍ଟ୍ମେଣ୍ଟ୍ ଜାରି କରାଯାଇଛି। ଆମେରିକାର ବାଣିଜ୍ୟ ଦୂତାବାସଗୁଡ଼ିକରେ କର୍ମଚାରୀମାନେ ଅଧିକ ସମୟ କାମ କରି ଭିସା ପ୍ରକ୍ରିୟାକରଣକୁ ତ୍ବରାନ୍ବିତ କରୁଛନ୍ତି। କୋଭିଡ୍ ମହାମାରୀ ପୂର୍ବରୁ ଯେତିକି ଭିସାର ପ୍ରକ୍ରିୟାକରଣ କରାଯାଉଥିଲା ସେହି ସ୍ତରକୁ ଫେରିବା ଲାଗି ଆମେରିକା ମିସନ ଉଦ୍ୟମ କରୁଛି।