ନୂଆଦିଲ୍ଲୀ: ପ୍ରତି ମାସରେ ଏଲ୍ପିଜି ସିଲିଣ୍ଡର୍ ମୂଲ୍ୟରେ ଚାରି ଟଙ୍କାର ବୃଦ୍ଧି କରିବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ପ୍ରତ୍ୟାହାର କରିଛନ୍ତି। ତେଲ କଂପାନିଗୁଡ଼ିକ ଗ୍ୟାସ୍ ଦରରେ ପ୍ରତି ମାସରେ ବୃଦ୍ଧି କରୁଥିଲେ। କିନ୍ତୁ ଚଳିତ ବର୍ଷ ଅକ୍ଟୋବର ପରଠାରୁ ଦର ବୃଦ୍ଧି ପ୍ରକ୍ରିୟା ବନ୍ଦ ହୋଇଯାଇଛି। ତିନି ସରକାରୀ ତେଲ କଂପାନି ଅକ୍ଟୋବର ପରେ ଆଉ ଗ୍ୟାସ୍ ଦର ବଢ଼ାଇ ନାହାନ୍ତି।୨୦୧୬ ଜୁଲାଇ ପରଠାରୁ ଗ୍ୟାସ୍ ଦର ମାସକୁ ୨ ଟଙ୍କା ଲେଖାଏଁ ବୃଦ୍ଧି କରାଯାଉଥିଲା। ଏହା ପରେ କଂପାନିଗୁଡ଼ିକ ୧୦ ଥର ଗ୍ୟାସ୍ ଦର ବୃଦ୍ଧି କରିଛନ୍ତି। ୨୦୧୭ ମେ’ ପରଠାରୁ ଦର ବୃଦ୍ଧିର ମାତ୍ରା ଦ୍ୱିଗୁଣିତ କରାଯାଇଥିଲା। ଗ୍ୟାସ୍ ଦର ମାସକୁ ଚାରି ଟଙ୍କା ଲେଖାଏଁ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା। ଏହା ପଛର ଉଦ୍ଦେଶ୍ୟ ଥିଲା ଗ୍ୟାସ୍ ଉପରେ ପ୍ରଦାନ କରାଯାଉଥିବା ସବ୍ସିଡିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା। ୨୦୧୮ ମାର୍ଚ ସୁଦ୍ଧା ଗ୍ୟାସ୍ ଉପରେ ପ୍ରଦାନ କରାଯାଉଥିବା ସବ୍ସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ପ୍ରତି ମାସରେ ଗ୍ୟାସ୍ ଦରରେ ହେଉଥିବା ବୃଦ୍ଧିକୁ କିନ୍ତୁ ସାଧାରଣ ଜନତା ଅଲଗା ଦୃଷ୍ଟିରେ ଦେଖୁଥିବା ବିଷୟରେ ସରକାର ଜାଣିବା ପରେ ଦର ବୃଦ୍ଧି ଉପରେ ରୋକ ଲଗାଇଛନ୍ତି। ଲୋକମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଛି ଯେ ଉଜ୍ଜ୍ୱଳା ଯୋଜନାରେ ସରକାର ଗରିବ ଲୋକଙ୍କୁ ମାଗଣାରେ ଗ୍ୟାସ୍ ସଂଯୋଗ ପ୍ରଦାନ କରୁଥିବା ବେଳେ ଅନ୍ୟ ପଟେ ଗ୍ୟାସ୍ର ଦର ବଢ଼ାଇ ଚାଲିଛନ୍ତି। ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସେହି ଧାରଣାକୁ ଦୂର କରିବା ପାଇଁ ଗ୍ୟାସ୍ ଦର ବୃଦ୍ଧି ଉପରେ ସରକାର ରୋକ ଲଗାଇଥିବା କୁହାଯାଉଛି। ଅକ୍ଟୋବର ପରେ ମଧ୍ୟ ଗ୍ୟାସ୍ ଦର ବଢ଼ିଛି। କିନ୍ତୁ ସେହି ଦର ବୃଦ୍ଧି ମାସିକିଆ ନୁହେଁ ବରଂ ଟିକସ ହାରରେ ହୋଇଥିବା ପରିବର୍ତନ ଯୋଗୁଁ ବଢ଼ିଛି ବୋଲି କୁହାଯାଉଛି।
ବିଗତ ୧୭ ମାସ ଭିତରେ ଏଲ୍ପିଜି ଦର ୧୯ ଥରରେ ୭୬ ଟଙ୍କା ୫୦ ପଇସା ବଢ଼ିଛି। ଶେଷ ଥର ପାଇଁ ନଭେମ୍ବର ୧ରେ ଏଲ୍ପିଜି ଦରରେ ୪ ଟଙ୍କା ୫୦ ପଇସାର ବୃଦ୍ଧି ହୋଇଥିଲା। ଏବେ ପ୍ରତି ସିଲିଣ୍ଡର ପିଛା ଲୋକମାନଙ୍କୁ ୨୫୧ ଟଙ୍କା ୩୧ ପଇସାର ସବ୍ସିଡି ମିଳୁଛି। ବିଭିନ୍ନ ରାଜ୍ୟରେ ଏହି ସବ୍ସିଡି ପରିମାଣ କିଛି ଟଙ୍କାର କମ୍ ମଧ୍ୟ ରହୁଛି। ସରକାର ପ୍ରତି ପରିବାର ପିଛା ବର୍ଷକୁ ୧୨ଟି ଏଲ୍ପିଜି ସିଲିଣ୍ଡର ରିହାତି ଦରରେ ପ୍ରଦାନ କରୁଛନ୍ତି। ଏହାଠାରୁ ଅଧିକ ସିଲିଣ୍ଡର କିଣିବାକୁ ହେଲେ ବଜାର ଦର ଗଣିବାକୁ ପଡୁଛି। ଦେଶରେ ୧୮.୧୧ କୋଟି ଗ୍ରାହକ ରିହାତି ଦରର ଏଲ୍ପିଜି ସିଲିଣ୍ଡର ଖରିଦ କରୁଛନ୍ତି। ସେଥି ମଧ୍ୟରୁ ୩ କୋଟି ହେଉଛନ୍ତି ଗରିବ ମହିଳା।