ବେଜିଂ: ବିଶ୍ବର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଚୀନ। ଏଠାରେ ଦୈନିକ ଲୋକମାନେ ପ୍ଲେଟ୍ରେ ଯେଭଳି ଖାଦ୍ୟ ନଷ୍ଟ ନକରିବେ ସେଥିପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛନ୍ତି। ଲୋକମାନେ ଖାଦ୍ୟ ଖାଇବା ସମୟରେ ସମ୍ପୂର୍ଣ୍ଣ ଖାଦ୍ୟ ଖାଉନାହାନ୍ତି। ବିପୁଳ ପରିମାଣର ଖାଦ୍ୟ ଛାଡ଼ି ଦେଉଛନ୍ତି ବା ଫିଙ୍ଗି ଦେଉଛନ୍ତି। ବନ୍ୟା, ମହାମାରୀ, ପଙ୍ଗପାଳ ଏବଂ ବାଣିଜ୍ୟ ଯୁଦ୍ଧ ଆଦି କାରଣରୁ ଖାଦ୍ୟ ଯୋଗାଣ ଶୃଙ୍ଖଳ ଉପରେ ଚାପ ସୃଷ୍ଟି ହୋଇଛି। ତେଣୁ ଏହି ଚାପଗ୍ରସ୍ତ ଓ ଭଙ୍ଗୁର ଖାଦ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ ରାଷ୍ଟ୍ରପତି ଏପରି ଏକ ଅଭିଯାନ ଆରମ୍ଭ କରିଛନ୍ତି। ‘ପ୍ଲେଟ୍ ସଫା କର ଅଭିଯାନ’ ଉପରେ ଦେଶବାସୀ ତ୍ବରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା ଗଣମାଧ୍ୟମ ସମେତ କ୍ୟାଟରିଂ ସଂଘ ଏଥିରେ ଯୋଗ ଦେଇଛନ୍ତି। ଜାତୀୟ ବିଧାନପାଳିକା ପକ୍ଷରୁ ଏଥିପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତି ପାଇଁ ଯୋଜନା ଆରମ୍ଭ ହୋଇଯାଇଛି।
ଏହି ଅଭିଯାନ ମାଧ୍ୟମରେ ଚୀନ ରାଷ୍ଟ୍ରପତି ଲୋକଙ୍କ ଦୈନନ୍ଦିନ ଜୀବନର ଅଭ୍ୟାସ ଓ ଶୃଙ୍ଖଳାରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସାଂଘାଇ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ସେନ୍ ଡୋୟିନ୍ କହିଛନ୍ତି। ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ‘ପ୍ଲେଟ ଖାଲି କର’ ନାମରେ ଏକ ଅଭିଯାନ ୨୦୧୩ରେ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନର ଅଭିଯାନକୁ ସ୍ବତନ୍ତ୍ର ବିବେଚନା କରାଯାଉଛି। ବିଶ୍ବ ବନ୍ୟଜନ୍ତୁ ପାଣ୍ଠିର ଏକ ଆକଳନ ଅନୁଯାୟୀ, ୨୦୧୫ ମସିହା ସୁଦ୍ଧା ଚୀନ ବର୍ଷକୁ ପ୍ରାୟ ୧୭ରୁ ୧୮ ନିୟୁତ ଟନ୍ ଖାଦ୍ୟ ନଷ୍ଟ କରୁଛି। ନଷ୍ଟ ହେଉଥିବା ଏହି ଖାଦ୍ୟକୁ ୫ କୋଟି ଲୋକ ଖାଇ ବଞ୍ଚିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/food.jpg)