ଛୋଟମୋଟ କାମ ପାଇଁ ବରିଷ୍ଠ ନାଗରିକଙ୍କୁ ଯିବାକୁ ପଡ଼ିବନି ବ୍ୟାଙ୍କ! କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଏହି ନୂଆ ସୁବିଧା

ନୂଆଦିଲ୍ଲୀ: ପେନସନ ଆଣିବା ପାଇଁ ଆପଣଙ୍କ ଘରର ବରିଷ୍ଠ ସଦସ୍ୟମାନଙ୍କୁ ପ୍ରତି ମାସରେ ବ୍ୟାଙ୍କ ଯିବାକୁ ପଡୁଛି କି ? ଯଦି ହଁ ତେବେ କେନ୍ଦ୍ର ସରକାର ଏଥର ଏଭଳି ଅସୁବିଧାରୁ ମୁକ୍ତି ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି | ମିଳିଥିବା ସୂଚନା ମୁତାବକ ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ସରକାର ଏକ ବଡ ଉପହାର ଦେଇପାରନ୍ତି | ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଘରେ ମୌଳିକ ବ୍ୟାଙ୍କିଙ୍ଗ ସେବା ଯୋଗାଇବାକୁ ସରକାର ଖୁବ୍ ଶୀଘ୍ର ଏକ ଯୋଜନା ଆରମ୍ଭ କରିପାରନ୍ତି | ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ (ଡିଏଫ୍ଏସ୍) ବ୍ୟାଙ୍କମାନଙ୍କ ପାଇଁ ନୂତନ ନିୟମ ଆଣିବାକୁ ଯାଉଛି, ଯେଉଁଥିରେ କେତେକ ବ୍ୟାଙ୍କ ଶାଖା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଘରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବେ |

ତେବେ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା କେବଳ ବରିଷ୍ଠ ନାଗରିକଙ୍କ ପାଇଁ ନୁହେଁ ବରଂ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ | ଏହି ସେବା ପାଇଁ ବହୁତ କମ୍ ଉପଭୋକ୍ତା ଦେୟ ସ୍ଥିର କରାଯିବ | ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ପାଇଁ ଏକ ସର୍ବଭାରତୀୟ ଫୋନ୍ ନମ୍ବର ମଧ୍ୟ ଲଞ୍ଚ କରାଯିବ | ସୂଚନା ଥାଉ କି ଆରବିଆଇ(ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ପାଇଁ ଦୁଇଥର ନିର୍ଦ୍ଦେଶ ଜାରି କରିଛି। ଯେଉଁଥିରେ ବ୍ୟାଙ୍କଗୁଡ଼ିକୁ ପ୍ରଥମ ସମୟସୀମା ୩୧ ଡିସେମ୍ବର ୨୦୧୭ ଏବଂ ଦ୍ୱିତୀୟ ସମୟସୀମା ୩୦ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଦିଆଯାଇଥିଲା | କିନ୍ତୁ ଏହି ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଅଧୀନରେ ଆକାଉଣ୍ଟ୍ ଖୋଲିବା, ପେନ୍ସନ୍ ସେବା, ବୀମା, ନିବେଶ ଏବଂ ଋଣ ନେବା ଭଳି ସୁବିଧା ପ୍ରଦାନ କରାଯିବ |

ସମ୍ବନ୍ଧିତ ଖବର