ଭାରତୀୟଙ୍କ ସୁନା ମୋହ କମୁଛି

ଜୁନ୍‌ରେ ସୁନା ଆମଦାନୀ ୫୪ ଟନ୍‌କୁ ହ୍ରାସ, ଚିନ୍ତା ବଢ଼ାଉଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ: ସୁନା ପ୍ରତି ଭାରତୀୟଙ୍କର ରହିଥିବା ମୋହ ଏବେ କମିବାରେ ଲାଗିଛି। ସୁନା ପ୍ରତି ଭାରତୀୟଙ୍କ ଆସକ୍ତି ମାତ୍ରାଧିକ ରହିଥିବାରୁ ଭାରତକୁ ଅଧିକରୁ ଅଧିକ ସୁନା ଆମଦାନୀ କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଏଥିରେ ଶିଥିଳତା ପରିଲକ୍ଷିତ ହୋଇଛି। ଫଳରେ ଗତ ଜୁନ୍‌ମାସରେ ଭାରତର ସୁନା ଆମଦାନୀ ୨୫ ପ୍ରତିଶତ ହ୍ରାସ ଘଟି ୫୪ ଟନ୍‌କୁ ଖସିଆସିଛି। ଯଦିଓ ସରକାରୀ ଭାବେ ଏହି ତଥ୍ୟ ପ୍ରକାଶ କରାଯାଇ ନାହିଁ ତଥାପି ଏ ନେଇ ଅବଗତ ଥିବା ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ଜୁନ୍‌ରେ ନୁହେଁ ୨୦୧୭ର ପ୍ରଥମାର୍ଦ୍ଧ ତୁଳନାରେ ୨୦୧୮ର ପ୍ରଥମାର୍ଦ୍ଧରେ ଭାରତର ସୁନା ଆମଦାନୀ ୪୦ ପ୍ରତିଶତ ହ୍ରାସ ଘଟି ଏହା ୩୪୩ ଟନ୍‌କୁ କମିଯାଇଛି। ଅର୍ଥମନ୍ତ୍ରାଳୟର ତଥ୍ୟକୁ ବିଶ୍ଳେଷଣ କରିବା ସହିତ ବ୍ଲୁମ୍‌ବର୍ଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଅର୍ଥ ମନ୍ତ୍ରାଳୟର ପ୍ରବକ୍ତା ଡି ଏସ୍‌ ମଲ୍ଲିକ୍‌ ଜୁନ୍‌ର ସୁନା ଆମଦାନୀ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି।

ଗତମାସରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ତଳସ୍ତରକୁ ଖସିଆସିଥିଲା। ଫଳରେ ଭାରତୀୟଙ୍କ ପାଇଁ ବିଦେଶରୁ ସାମଗ୍ରୀ ଆମଦାନୀ ମହଙ୍ଗା ହୋଇଯାଇଛି। ଏତଦ୍‌ବ୍ୟତୀତ ମୌସୁମୀ ଋତୁ ଆରମ୍ଭ ହୋଇଯାଇଥିବାରୁ ଗ୍ରାମାଞ୍ଚଳର କୃଷକମାନେ ଏବେ ଚାଷକାମରେ ବ୍ୟସ୍ତ ରହିଥାନ୍ତି। ଫଳରେ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ କୃଷକଙ୍କ କିଣାକିଣି ହ୍ରାସ ଘଟିଥାଏ। ତେଣୁ ଦେଶରେ ସୁନା ଚାହିଦା ହ୍ରାସର ଏହା ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଉପରୋକ୍ତ ଦୁଇଟି କାରଣ ବ୍ୟତୀତ ସୁନା ଚାହିଦା ହ୍ରାସର ତୃତୀୟ ତଥା ଅନ୍ୟ ଏକ ବଡ଼ କାରଣ ହେଲା ନୂଆ ସହସ୍ରାବ୍ଦୀରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ନୂଆ ପ୍ରଯୁକ୍ତିରେ ନିର୍ମିତ ସାମଗ୍ରୀକୁ ଅଧିକ ମାତ୍ରାରେ କିଣୁଛନ୍ତି। ସେମାନେ ସ୍ମାର୍ଟଫୋନ୍‌, ଟିଭି ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଅଧିକ ମାତ୍ରାରେ କିଣିବାକୁ ଆକୃଷ୍ଟ ହେଉଛନ୍ତି। ଫଳରେ ଦେଶର ଆମଦାନୀ ଝୁଡ଼ିରେ ଅଶୋଧିତ ତେଲ ପ୍ରଥମ ସ୍ଥାନରେ ରହିଥିବାବେଳେ ଏବେ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛି। ସୁନା ଆମଦାନୀ ତୃତୀୟ ସ୍ଥାନକୁ ଖସିଯାଇଛି। ଏତଦ୍‌ବ୍ୟତୀତ ଏବେ ଦେଶରେ ସୁନା ଆମଦାନୀ ହ୍ରାସ ପାଇବାର ଅନ୍ୟ ଏକ କାରଣ ହେଲା ଏହି ହଳଦିଆ ଧାତୁର ମୂଲ୍ୟ ୧୦ ଗ୍ରାମ ପିଛା ୩୦ ହଜାର ଟଙ୍କା ଉପରେ ରହିଛି। ମୂଲ୍ୟ ଉଚ୍ଚସ୍ତରରେ ଥିବାରୁ ଗ୍ରାହକମାନେ ଏହି ଧାତୁକୁ କିଣିବା ଲାଗି ଅନାଗ୍ରହୀ ହେଉଛନ୍ତି ବୋଲି କମ୍‌ଟ୍ରେଣ୍ଡଜ୍‌ ରିସ୍କ ମ୍ୟାନେଜମେଣ୍ଟ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଘନଶେଖର ଥିଆଗରାଜନ୍‌ କହିଛନ୍ତି। ସେହିଭଳି ଇକ୍ୱିଟି ବଜାରର ପ୍ରଦର୍ଶନ ଭଲ ଥିବା ଯୋଗୁଁ ଲୋକମାନେ ସୁନା ପରିବର୍ତ୍ତେ ଏହି ବଜାରରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି।

ଚଳିତବର୍ଷର ମେ ମାସକୁ ମିଶାଇ ଗତ ୧୩ ମାସ ଭିତରେ ଭାରତ ୫୮ ବିଲିଅନ୍‌ ଡଲାର ମୂଲ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ କରିଛି। ତେବେ ଏହି ସମୟ ମଧ୍ୟରେ ଭାରତର ସୁନା ଆମଦାନୀ ୩୫.୮ ବିଲିଅନ ଡଲାର ରହିଛି। ତେଣୁ ଭାରତର ଚଳନ୍ତି ଖାତା ନିଅଣ୍ଟ ବୃଦ୍ଧି ପ୍ରତି ଯେଉଁ ବିପଦ ଦେଖାଦେଇଛି ତାହା କେବଳ ତେଲ ନୁହେଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରୁ ରହିଛି ବୋଲି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡର ଏମ୍‌ଡି ଉଦୟ କୋଟାକ୍‌ ଏକ ଟ୍ଵିଟର ପୋଷ୍ଟରେ କହିଛନ୍ତି। ଇଲେକ୍‌ଟ୍ରୋନିକ୍ସି ସାମଗ୍ରୀର ଆମଦାନୀ ବୃଦ୍ଧି ପାଉଥିବାରୁ ଭାରତର ବାଣିଜ୍ୟ ନିଅଣ୍ଟ ମଧ୍ୟ ବୃଦ୍ଧି ଘଟିବ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର