ନୂଆଦିଲ୍ଲୀ : ଭାରତର ପ୍ରମୁଖ ଔଷଧ ନିର୍ମାତା ଡକ୍ଟର ରେଡିସ୍ ଲାବରେଟୋରିଜ୍ ଉପରେ ଆଜି ସାଇବର ଆକ୍ରମଣ ହୋଇଛି। ସାଇବର ଅପରାଧୀମାନେ ତଥ୍ୟ ଚୋରି ପାଇଁ ଏହି ଆକ୍ରମଣ କରିଛନ୍ତି। ଏଥିଯୋଗୁଁ କମ୍ପାନିର କେତେକ ପ୍ରମୁଖ କାରଖାନାରେ ଉତ୍ପାଦନକୁ ସାମୟିକ ବନ୍ଦ କରିବାକୁ ପଡ଼ିଛି। ଆଜି ସକାଳୁ ଏଭଳି ପରିସ୍ଥିତି ଉପୁଜିଥିଲା। ଡିସିଜିଆଇ ପକ୍ଷରୁ ଏହି କମ୍ପାନିକୁ ରୁଷିଆର ସ୍ପୁଟିନିଭ-୫ କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଗତ କିଛିଦିନ ତଳେ ଅନୁମତି ମିଳିଥିଲା। ଏହି ଅନୁମତି ମିଳିବା ପରେ କମ୍ପାନି ଉପରେ ଏହି ସାଇବର ଆକ୍ରମଣ ହୋଇଛି। କମ୍ପାନି ବର୍ତ୍ତମାନ ଏହାର ଆଇଟି ନେଟୱାର୍କ ବ୍ୟବସ୍ଥାକୁ ସମୀକ୍ଷା କରୁଛି। କିପରି ଏଭଳି ଆକ୍ରମଣ ସମ୍ଭବ ହେଲା ତାହାର ଅନୁଧ୍ୟାନ ମଧ୍ୟ କରାଯାଉଛି।
କମ୍ପାନିର ସିଆଇଓ ମୁକେଶ ରଥୀଙ୍କ ପକ୍ଷରୁ ଏ ସଂପର୍କରେ ଏକ ବିବୃତି ଜାରି କରାଯାଇଛି। ସେଥିରେ କୁହାଯାଇଛି। ସାଇବର ଆକ୍ରମଣ ପରିପ୍ରେକ୍ଷୀରେ ଆମେ କମ୍ପାନିର ସମସ୍ତ ଡାଟା ସେଣ୍ଟର ସେବାକୁ ପୃଥକ କରିଦେଇଛୁ। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହା କରାଯାଇଛି। ତେବେ ୨୪ ଘଣ୍ଟା ମଧ୍ୟରେ ସବୁ ସେବା ସ୍ବାଭାବିକ ହୋଇଯିବ ବୋଲି ଆଶା କରାଯାଉଛି। ଏହି ଘଟଣା ଯୋଗୁ କମ୍ପାନି ଉପରେ ସେଭଳି କୌଣସି ବଡ଼ ଧରଣର ପ୍ରଭାବ ପଡ଼ିବା ଆକଳନ କରାଯାଉ ନାହିଁ ବୋଲି ସେ କହିଛନ୍ତି। ତେବେ ଯେଉଁସବୁ କାରଖାନାରେ ଉତ୍ପାଦନ ବନ୍ଦ ହୋଇଛି ସେଠାରେ ଏହି କାର୍ଯ୍ୟ ଆରମ୍ଭ ହେବାକୁ କେତେ ସମୟ ଲାଗିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଭାରତରେ କମ୍ପାନିର ୬ଟି ଗବେଷଣା ଓ ବିକାଶ କେନ୍ଦ୍ର ଓ ୧୭ଟି ଉତ୍ପାଦନ ୟୁନିଟ ରହିଛି। ସେହିଭଳି ବିଦେଶରେ କମ୍ପାନିର ୩ଟି ବିକାଶ କେନ୍ଦ୍ର ଓ ୬ଟି ଉତ୍ପାଦନ କେନ୍ଦ୍ର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/dr-reddys.jpg)