ନୂଆଦିଲ୍ଲୀ: ଖୁଚୁରା ବଜାରରେ ଦରଦାମ୍ ସ୍ଥିତି କିଭଳି ପରିବର୍ତ୍ତନ ହେଉଛି ତାହା ଜଣାଇବା ଲାଗି ପ୍ରତି ମାସ ଖୁଚୁରା ମୁଦ୍ରାସ୍ଫୀତି ଘୋଷଣା କରାଯାଉଛି ଯାହା ଏବେ ୬ ପ୍ରତିଶତରୁ ଅଧିକ ରହିଥିବାରୁ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାର ମୁକାବିଲା ଲାଗି ସମ୍ପୂର୍ଣ୍ଣ ହିସାବ ପଦ୍ଧତିକୁ ଓଲଟପାଲଟ କରିବା ଉପରେ ସରକାର ବିଚାର କରୁଛନ୍ତି। ବିଶେଷ କରି ଖାଦ୍ୟ ସାମଗ୍ରୀ ସଂଖ୍ୟାକୁ କମ୍ କରି ହିସାବରେ ତାହାର ଗୁରୁତ୍ବ କମାଇବାକୁ ମସୁଧା ଚାଲିଛି। ଭାରତୀୟ ପରିବାରଗୁଡ଼ିକ ନିଜ ମାସିକ ଆୟର ସିଂହ ଭାଗ ରାଶିକୁ ଖାଦ୍ୟ ସାମଗ୍ରୀ କିଣିବାରେ ବ୍ୟବହାର କରୁଥିବାରୁ ଖୁଚୁରା ମୁଦ୍ରାସ୍ଫୀତି ହିସାବରେ ତାହାର ସର୍ବାଧିକ ଗୁରୁତ୍ବ ରହିଛି।
ଏହି ହିସାବ ଲାଗି ୧୨୦ରୁ ଅଧିକ ପ୍ରକାର ଖାଦ୍ୟ ସାମଗ୍ରୀ ଦରରେ ହେଉଥିବା ବୃଦ୍ଧି କିମ୍ବା ହ୍ରାସ ବିଚାରକୁ ନିଆଯାଉଛି। ତେବେ ସେହି ତାଲିକାରେ ଆଳୁ, ପିଆଜ ଓ ଟମାଟୋ ଭଳି କିଛି ଜିନିଷ ରହିଛି ଯାହାର ମୂଲ୍ୟ ବର୍ଷତମାମ ଅସ୍ଥିର ରହୁଛି। ତେଣୁ ସେଗୁଡ଼ିକୁ ହିସାବ ପ୍ରକ୍ରିୟାରୁ ବାହାର କରି ଖୁଚୁରା ବଜାରରେ ଦରଦାମ୍ର ଏକ ପ୍ରକୃତ ଚିତ୍ର ପ୍ରଦାନ କରିବା ଲାଗି ସରକାର ଚାହୁଛନ୍ତି। କେବଳ ସେତିକି ନୁହେଁ, ବର୍ତ୍ତମାନ ୨୦୧୨ ମୂଲ୍ୟ ଆଧାରରେ ଏହି ହିସାବ ହେଉଛି। ସେହି ଆଧାର ବର୍ଷକୁ ୨୦୨୪ କରିବା ଲାଗି ମଧ୍ୟ ସରକାର ଯୋଜନା ରଖିଛନ୍ତି।
କିଛି ଦିନ ପୂର୍ବେ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏ ସମ୍ପର୍କରେ ଆଲୋଚନା କରି ଖୁଚୁରା ମୁଦ୍ରାସ୍ଫୀତିରେ ଖାଦ୍ୟ ସାମଗ୍ରୀର ରହିଥିବା ଗୁରୁତ୍ବ ତ୍ରୁଟିପୂର୍ଣ୍ଣ ବୋଲି କହିଥିଲେ। ତାଙ୍କ ମନ୍ତବ୍ୟ ଓ ସରକାରଙ୍କ ଆଭିମୁଖ୍ୟକୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କଡ଼ା ସମାଲୋଚନା କରିଥିଲେ। ଖାଦ୍ୟ ଦରରେ ରହୁଥିବା ଅସ୍ଥିରତା ଭଳି ମୂଳ ସମସ୍ୟାକୁ ଦୂର କରିବା ଉପରେ ଧ୍ୟାନ ଦେବା ବଦଳରେ ସରକାର ତଥ୍ୟରେ ହେରଫେର କରିବା ଲାଗି ଉଦ୍ୟମ କରିବା ହାସ୍ୟାସ୍ପଦ କଥା ବୋଲି ସେ କହିଥିଲେ।