ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାର ଏକ ଦୁର୍ଗମ ଗାଁର ପାଞ୍ଚ ମହିଳା ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଚାଷ କରି ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭୀମକୁଣ୍ଡ ଜଳପ୍ରପାତ ଠାରୁ ୨୦ କିମି ଏବଂ ବାରିପଦାଠାରୁ ୬୦ କିମି ଦୂରରେ ଥିବା ସାହାରପଡ଼ା ବ୍ଲକ ତାଳପଡା ଗାଁର ଉମା ମହାନ୍ତ, ସଂଗୀତା ମହାନ୍ତ, ବନିତା ମହାନ୍ତ, ସରସ୍ୱତୀ ମହାନ୍ତ ଏବଂ ସୁଲୋଚନା ମହାନ୍ତ ପୂର୍ବରୁ ପରିବାରର ଖାଦ୍ୟ ଓ ଖର୍ଚ୍ଚ ଯୋଗାଡ଼ ପାଇଁ ପରିବା ଚାଷ କରୁଥିଲେ। କିନ୍ତୁ ଦୀର୍ଘକାଳୀନ ଉଦ୍ୟାନ କୃଷିରେ ଅଧିକ ଲାଭ ହେଉଥିବା ଜାଣିବା ପରେ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଚାଷ ପାଇଁ ଆଗ୍ରହୀ ହୋଇଥିଲେ। ସାମାଜିକ ସଂଗଠନ ସିୱାଇଏସ୍‌ଡି, ଡିଏମ୍‌ଏଫ୍ ଏବଂ ଏପିସି କର୍ମକର୍ତ୍ତାଙ୍କ ଆର୍ଥିକ ତଥା ବୈଷୟିକ ସହାୟତାରେ ପ୍ରାୟ ୨ ବର୍ଷ ପୂର୍ବେ ୧.୨୦ ଏକର ଜମିରେ ଡ୍ରାଗନ ଫ୍ରୁଟ୍‌ ଚାଷ ଆରମ୍ଭ କରିଥିଲେ। ଚାଷ ପୂର୍ବରୁ ଏହି ପାଞ୍ଚ ଆଗ୍ରହୀ ମହିଳାଙ୍କୁ ନେଇ ମା ତାରିଣୀ ପ୍ରଡ୍ୟୁସର୍‌ ଗ୍ରୁପ ଗଠନ କରାଯାଇଥିଲା। ଜମିର ବିକାଶ ପରେ ଟିଟିଲାଗଡ଼ରୁ ଅଣାଯାଇଥିଲା ୧୭୨୦ଟି ଲାଲ୍‌ କିସମ ଡ୍ରାଗନ୍‌ ଫ୍ରୁଟ୍‌ ଚାରା।

Advertisment

ଆବଶ୍ୟକୀୟ ଯତ୍ନ ଓ ଦେଖାରଖା ଫଳରେ ରୋପଣର ୮/୯ମାସ ମଧ୍ୟରେ ଅମଳ ହୋଇଥିଲା ଫଳ। ପ୍ରଥମ ବର୍ଷ ୬୦ରୁ ୭୦କେଜି  ଏବଂ ଦ୍ୱିତୀୟ ବର୍ଷ ୭୦ରୁ ୮୦କେଜି ଫଳ ଉତ୍ପାଦନ କରିଥିଲେ ଏହି ଉତ୍ସାହୀ ମହିଳା। କେଜି ପ୍ରତି ୨୦୦ଟଙ୍କା ଦରରେ କେନ୍ଦୁଝର ଓ କରଞ୍ଜିଆ ବଜାରରେ ଏସବୁ ଫଳ ବିକ୍ରି ହୋଇଥିଲା। ଡିଏମ୍‌ଏଫ୍‌ରୁ ୩ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମିଳିଥିବାରୁ ଏହି ଚାଷ କରିବା ସେମାନଙ୍କ ପାଇଁ ସହଜ ହୋଇଥଲା। ଯେଉଁ ଜମିରେ ପାରମ୍ପରିକ ପରିବା ଚାଷ କରି ଚାଷୀ କ୍ଷତି ସହୁଥିଲେ ସେହି ଜମିରେ ଡ୍ରାଗନ୍‌ ଫ୍ରୁଟ୍‌ ଚାଷ କରି ଦୁଇଗୁଣ ଅଧିକ ଆୟ କରିବାରେ ସକ୍ଷମ ହୋଇଛନ୍ତି ମା ତାରିଣୀ ଉତ୍ପାଦିକା ଦଳ। କମ୍‌ ପରିଚାଳନା ଖର୍ଚ୍ଚ ସହିତ ସ୍ୱାଭିମାନ ଓ ସମ୍ମାନଜନକ ଜୀବନ ଜିଇଁବାରେ ଫଳ ଚାଷ ସହାୟକ ହୋଇଥିବା କହିଛନ୍ତି ତାଳପଡ଼ାର ଏହି ସ୍ୱରୋଜଗାରୀ ମହିଳା। ସୋମବାର ସିୱାଇଏସ୍‌ଡିର ୪୩ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ସଚିବ ‌ମନୋଜ କୁମାର ଆହୁଜା ଏମାନଙ୍କୁ ପୁରସ୍କୃତ କରିବା କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ ସେମାନେ ଡ୍ରାଗନ୍‌ ଫ୍ରୁଟ୍‌ର ଚାରା ପ୍ରସ୍ତୁତ କରି ବିକ୍ରି କରିବା ସହିତ ୫ ଏକର ଜମିରେ ଏହି ଚାଷ କରିବା ଲାଗି ଯୋଜନା ରଖିଥିବା କହିଛନ୍ତି।