ବଡ଼ ସ୍ୱପ୍ନ, ଅର୍ଥ କମ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨୪ ଲକ୍ଷ ୪୨ ହଜାର ୨୧୩ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜେଟ୍‌ଲି ବଜେଟ୍‌ରେ ୨୧ଲକ୍ଷ ୪୬ ହଜାର ୭୩୫ କୋଟି ଟଙ୍କାର ବ୍ୟୟ ବରାଦ ରଖିଥିଲେ। ତେଣୁ ପରିମାଣ ଦୃଷ୍ଟିରେ ଏହି ଅର୍ଥରାଶି ଗତ ବଜେଟ୍‌ଠାରୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଅଧିକ। କିନ୍ତୁ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ସହିତ ବଜେଟ୍‌ ରାଶିକୁ ତୁଳନା କଲେ ୨୦୧୮-୧୯ ବଜେଟ୍‌ ରାଶିର ଅନୁପାତ ହ୍ରାସ ପାଇଛି। ୨୦୧୭-୧୮ରେ ବଜେଟ୍‌ରେ ବ୍ୟୟବରାଦ ଜିଡିପିର ୧୩ ପ୍ରତିଶତକୁ ଅତିକ୍ରମ କରିଯାଇଥିଲା। କିନ୍ତୁ ୨୦୧୮-୧୯ ବଜେଟ୍‌ରେ ଏହା ୧୨.୯ ପ୍ରତିଶତକୁ ଖସିଆସିଛି। ଜେଟ୍‌ଲି ବଜେଟ୍‌ରେ ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଶିକ୍ଷା, କୃଷି ଓ ଭିତ୍ତିଭୂମିରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ବଡ଼ ସ୍ୱପ୍ନ ବା ଆଖିର ପରିଚୟ ଦେଇଥିଲେ ମଧ୍ୟ ୨୦୧୭-୧୮ ବଜେଟ୍‌କୁ ଜିଡିପି ସହିତ ତୁଳନାରେ ୨୦୧୮-୧୯ର ବଜେଟ୍‌ରେ ବ୍ୟୟବରାଦ ଅଳ୍ପ ରହିଛି। ସରକାର ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ ମଧ୍ୟରେ ରଖି ରେଟିଂ ଏଜେନ୍ସି ଗୁଡ଼ିକୁ ଖୁସି କରିବା ଲାଗି ବ୍ୟୟବରାଦକୁ କମ୍‌ ରଖିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର