ନୂଆଦିଲ୍ଲୀ: ଆପଣ ଜୀବନରେ ଅନେକ ପୋଷାକ ଦେଖିଥିବେ। କିନ୍ତୁ କେଜି କେଜି ସୁନାରେ ତିଆରି ପୋଷାକ ହୁଏତ ଦେଖି ନଥିବେ। ୟୁଏଇର ସାର୍ଜାରେ ୧୦ କିଗ୍ରାରୁ ଅଧିକ ସୁନାରେ ପ୍ରସ୍ତୁତ ଡ୍ରେସ୍ ଏବେ ସାମ୍ନାକୁ ଆସିଛି। ଡ୍ରେସ୍ଟି ଗିନିଜ୍ ୱାର୍ଲଡ୍ ରେକର୍ଡରେ ସବୁଠୁ ଅଧିକ ଓଜନ ସୁନାରେ ନିର୍ମିତ ପୋଷାକ ମାନ୍ୟତା ବି ପାଇଛି। ଉକ୍ତ ଡ୍ରେସ୍ର ଡିଜାଇନ୍ ଓ ନିର୍ମାଣ ଅଲ୍ ରୋମାଇଜାନ୍ ଗୋଲ୍ଡ ଆଣ୍ଡ୍ ଜୁଏଲାରି ନାମକ ସାଉଦି ଆରବ କମ୍ପାନି ପକ୍ଷରୁ କରାଯାଇଛି। ଏହାକୁ ଲୋକମାନେ ଦୁବାଇ ଡ୍ରେସ୍ ବୋଲି ମଧ୍ୟ କହୁଛନ୍ତି। ସାର୍ଜା ଘଣ୍ଟା ଏବଂ ଗହଣା ପ୍ରଦର୍ଶନୀରେ ଉକ୍ତ ଆଖି ଝଲସିବା ଭଳି ଡ୍ରେସ୍ର ପ୍ରଦର୍ଶନ କରାଯାଇଛି।
୨୧ କ୍ୟାରେଟ୍ ସୁନାରେ ପ୍ରସ୍ତୁତ ଉକ୍ତ ପୋଷାକର ଓଜନ ନିର୍ଦ୍ଦିଷ୍ଟଭାବେ ୧୦.୦୮୧୨ କିଲୋଗ୍ରାମ ରହିଛି। ଏହାର ଦାମ୍ ୪.୬ ନିୟୁତ ଡିରହାମ୍ ବା ପ୍ରାୟ ୧୧ କୋଟି ଟଙ୍କା ରହିଛି। ଡ୍ରେସ୍ର ପ୍ରତ୍ୟେକ ଅଂଶରେ ସୂକ୍ଷ୍ମ କାରୁକାର୍ଯ୍ୟର ନିଦର୍ଶନ ଦେଖିବାକୁ ମିଳିଛି। ଉଭୟ ଐତିହାସିକ ଏବଂ ଆଧୁନିକ ଡିଜାଇନର ସମ୍ମିଶ୍ରଣ ଏଥିରେ ରହିଛି। ମଧ୍ୟ ପ୍ରାଚ୍ୟ ଘଣ୍ଟା ଏବଂ ଗହଣା ପ୍ରଦର୍ଶନୀରେ କେବଳ ସୁନାର ପୋଷାକ ନୁହେଁ, ସୁନା ଖଚିତ ସାଇକଲ୍ ମଧ୍ୟ ଦେଖିବାକୁ ମିଳିଛି, ଯାହାର ମୂଲ୍ୟ ୧.୫ ନିୟୁତ ଡିରହାମ୍ ରହିଛି। ୫ ଦିନିଆ ପ୍ରଦର୍ଶନୀରେ ଭାରତ ସମେତ ଇଟାଲୀ, ତୁର୍କୀ, ବ୍ରିଟେନ, ରୁଷ୍, ଜାପାନ, ଚୀନ, ସିଙ୍ଗାପୁର ଓ ମାଲେସିଆ ଆଦି ଦେଶର ୫୦୦ରୁ ଅଧିକ ପ୍ରଦର୍ଶନକାରୀ ସାମିଲ ହୋଇଛନ୍ତି। ଚଳିତମାସ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ୨୮ ତାରିଖରେ ଶେଷ ହେବ ବୋଲି ଜଣାଯାଇଛି।