ଭୁବନେଶ୍ବର: ଓଡ଼ିଶାରୁ ସୃଷ୍ଟି ହୋଇଥିବା ଡ୍ରୋନ୍ କମ୍ପାନି ଆଇଜି ଡ୍ରୋନ୍‌ସ ପକ୍ଷରୁ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପର ଡ୍ରୋନ୍ ସର୍ଭେ ‌କାର୍ଯ୍ୟ ଶେଷ କରାଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଦୁଇ ମାସ ଭିତରେ କମ୍ପାନି ଏହାର ସର୍ଭେ କାର୍ଯ୍ୟ ଶେଷ କରିଛି ଯାହା ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବାରେ ସହାୟକ ହେବ। ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଉପରେ ନିୟମିତ ନଜର ରଖିବା ଲାଗି କମ୍ପାନି ଏହାର ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ‌ ଡ୍ରୋନ୍ ବ୍ୟବହାର କରିବ। ପ୍ରାୟ ୨,୨୦୩ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ନିକଟରେ ରାଜ୍ୟ ସରକାର ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିଥିଲେ। ପୁରୀର ସିପସରୁବାଲିରେ ୧୧୬୫ ଏକର ଜମିରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିକାଶ କରାଯାଉଛି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କ ପରିଚାଳନା ପାଇଁ ବିକାଶ କରାଯାଉଛି।

Advertisment

ଏ ସମ୍ପର୍କ‌ରେ ଆଇଜି ‌ଡ୍ରୋନ୍‌ସର ପ୍ରତିଷ୍ଠାତା ଓ ସିଇଓ ବୋଧିସତ୍ତ୍ବ ସଂଘପ୍ରିୟ କହିଛନ୍ତି ଯେ ଅତୀତରେ ଆମେ ମେଟ୍ରୋ ଟ୍ରେନ୍, ବୁଲେଟ୍ ଟ୍ରେନ୍ ଓ ଖଣି ପ୍ରକଳ୍ପର ସର୍ଭେ କରିଥିଲୁ। ଓଡ଼ିଶାର ଏକ କମ୍ପାନି ଭାବେ ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ ଏକ ପ୍ରକଳ୍ପର ସର୍ଭେ କରିବାର ସୁଯୋଗ ପାଇଥିବାରୁ ଆମେ ଗର୍ବିତ ମନେ କରୁଛୁ। କମ୍ପାନି ପକ୍ଷରୁ ୧୦ଟି ଡ୍ରୋନ୍‌କୁ ବ୍ୟବହାର କରି ପ୍ରକଳ୍ପର ସର୍ଭେ କରାଯାଇଥିଲା। ନିକଟରେ କମ୍ପାନି ପକ୍ଷରୁ ପ୍ରଭୁ ଜଗନ୍ନାଥଙ୍କ ଦ୍ବାରା ଅନୁପ୍ରାଣିତ ଡ୍ରୋନ୍ ‘ଜଗା’କୁ ଉନ୍ମୋଚନ କରାଯାଇଥିଲା ଯାହାକୁ ସୁରକ୍ଷା, ପ୍ରତିରକ୍ଷା, କୃଷି ଓ ଭିତ୍ତିଭୂମି ଆଦିର ନିରୀକ୍ଷଣ ଲାଗି ବ୍ୟବହାର କରାଯାଉଛି। ସେଥିରେ ହାଇ ରିଜଲ୍ୟୁସନ କ୍ୟାମେରା ଓ ଅତ୍ୟାଧୁନିକ ସେନ୍‌ସର୍‌ ବ୍ୟବହାର କରାଯାଇଛି। ଏହା ପୂର୍ବରୁ ଏନ୍‌ଟିପିସି ଦର୍ଲିପାଲି ତାପଜ ବିଦ୍ୟୁତ ପ୍ରକଳ୍ପର ପାଇ୍‌ଲାଇନ୍‌ର ନିରୀକ୍ଷଣ କରିବା କାର୍ଯ୍ୟବରାଦ ଆଇଜି ଡ୍ରୋନ୍‌ସ ହାସଲ କରିଥିଲା।