ଭୁବନେଶ୍ବର: ଡ୍ରୋନ୍ ବିକାଶ କରିବାରେ ରାଜ୍ୟର ଷ୍ଟାର୍ଟଅପ୍‌ଗୁଡ଼ିକ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ ଏହି କ୍ଷେତ୍ରରେ ସେଭଳି ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବା ଲାଗି ରାଜ୍ୟ ସରକାର ଏକ ଡ୍ରୋନ୍ ପରୀକ୍ଷଣ, ତାଲିମ ଓ ପ୍ରସାର କେନ୍ଦ୍ର ଖୋଲିବାକୁ ଯାଉଛନ୍ତି। ବ୍ରହ୍ମପୁରର ଗୋପାଳପୁର ଅଧୀନସ୍ଥ ର‌ଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଏହି ବ୍ୟବସ୍ଥା ସ୍ଥାପନ କରିବା ଯୋଜନା ରହିଛି। ଭାରତ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ରହିଥିବା ସମସ୍ତ ନିୟମକୁ ପାଳନ କରି ଏହି ପରୀକ୍ଷଣ ଓ ତାଲିମ କେନ୍ଦ୍ର ସ୍ଥାପନ କରାଯିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଡ୍ରୋନ୍ ପରୀକ୍ଷଣ ଓ ତାଲିମ ବ୍ୟବସ୍ଥା ଲାଗି ଲିଜ୍‌ରେ ଜମି ପ୍ରଦାନ କରିବାକୁ ରି‌କ୍ବେଷ୍ଟ ଫର୍‌ ପ୍ରୋପୋଜାଲ୍ (ଆର୍‌ପିଏଫ୍‌) ଆହ୍ବାନ କରାଯାଇଛି। ଡ୍ରୋନ୍ ନିର୍ମାଣ କରୁଥିବା ଅସଲି ଉପକରଣ ନିର୍ମାତା (ୟୁଏଭି) ଓ ଆର୍‌ପିଟିଓମାନେ ଏଥିପାଇଁ ଆବେଦନ କରିପାରିବେ। ଚଳିତ ମାସ ଶେଷ ସୁଦ୍ଧା ଆବେଦନ ପଠାଇବା ଲାଗି ସେମାନଙ୍କୁ ବିଭାଗ ପକ୍ଷରୁ କୁହାଯାଇଛି। 

Advertisment

ରାଜ୍ୟରେ ଡ୍ରୋନ୍ ପରୀକ୍ଷଣ, ତାଲିମ ଓ ପ୍ରସାର ପାଇଁ ବିଭିନ୍ନ ଘରୋଇ କେନ୍ଦ୍ର ରହିଛି। ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ, ସ୍କାଏ ସ୍କିଲ୍ ଏକାଡେମି, ଟ୍ରେନିଂ ହବ୍ ଲ୍ୟାବ୍, ୟୁଡିଆର୍‌ ଟେକ୍ନୋଲୋଜି ଓ ଆଇଜି ଡ୍ରୋନ୍ସ ପକ୍ଷରୁ ବିଭିନ୍ନ କେନ୍ଦ୍ର ସ୍ଥାପନ କରାଯାଇଛି। ଆଇଜି ଡ୍ରୋନ୍ସ ପକ୍ଷରୁ କଳାହାଣ୍ଡିରେ ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି।