ସରକାରଙ୍କ ଟାର୍ଗେଟ୍‌ରେ ଡିଟିଏଚ୍‌ କଂପାନି: ସିଏଜି ଅଡିଟ୍ ପାଇଁ ଚିଠି ଲେଖିଲେ ସରକାର

ନୂଆଦିଲ୍ଲୀ: ଡାଇରେକ୍ଟ-ଟୁ-ହୋମ୍ (ଡିଟିଏଚ୍‌) ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକର ହିସାବ ଖାତାର ଅଡିଟ୍ କରିବା ଲାଗି କେନ୍ଦ୍ର ସରକାର ଚାହୁଛନ୍ତି। ଲାଇସେନ୍ସ ଫି’କୁ ନେଇ ଦୀର୍ଘ ଦିନରୁ ଯେଉଁ ବିବାଦ ରହିଛି ତାହାକୁ ନଜରରେ ରଖି ଏହି କଂପାନିଗୁଡ଼ିକର ଖାତା ଅଡିଟ୍ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କୁ ଚିଠି ଲେଖାଯାଇଛି। କଂପାନିଗୁଡ଼ିକ ଆରମ୍ଭ ହେବା ଦିନଠାରୁ କିମ୍ବା ସରକାର ଲାଇସେନ୍ସ ପ୍ରଦାନ କରିବା ଦିନଠାରୁ ସେମାନଙ୍କ କାରବାରର ପୂର୍ଣ୍ଣାଙ୍ଗ ଅଡିଟ୍ କରିବାକୁ ସିଏଜିଙ୍କୁ କୁହାଯାଇଛି।

ଯେଉଁ ଆଧାରରେ ଡିଟିଏଚ୍‌ କଂପାନିଗୁଡ଼ିକ ରାଜସ୍ବ ହିସାବ କରୁଛନ୍ତି ତାହା ଉପରେ ସରକାରଙ୍କ ସନ୍ଦେହ ରହିଛି। ସଠିକ୍ ହିସାବ କରି କଂପାନିଗୁଡ଼ିକ ଲାଇସେନ୍ସ ଫି’ ଦାଖଲ କରୁଛନ୍ତି ନା ନାହିଁ ତାହା ଜାଣିବାକୁ ସରକାର ଚାହୁଛନ୍ତି। ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଦେଶରେ ଓଟିଟି ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକର ଗ୍ରହଣୀୟତା ବଢ଼ିବା ଯୋଗୁ ଡିଟିଏଚ୍‌ କଂପାନିଗୁଡ଼ିକର ଗ୍ରାହକ ସଂଖ୍ୟା ହ୍ରାସ ପାଇଛି। ତେଣୁ ଲାଇସେନ୍ସ ଫି’ ଛାଡ଼ ସୁବିଧା ପ୍ରଦାନ କରିବା ଲାଗି କଂପାନିଗୁଡ଼ିକ ଗତ ମେ’ରେ ସରକାରଙ୍କୁ ଅନୁରୋଧ କରିଥିଲେ।

୨୦୦୩ରୁ ୨୦୦୭ ଭିତରେ ସରକାର ଛଅ ଡିଟିଏଚ୍‌ ଲାଇସେନ୍ସ ଜାରି କରିଥିଲେ। ସେଥିରୁ ଚାରିଟି କଂପାନି ଏବେ ବ୍ୟବସାୟରେ ସକ୍ରିୟ ଅଛନ୍ତି। ସେଗୁଡ଼ିକ ହେଉଛି ଏୟାରଟେଲ୍ ଡିଜିଟାଲ୍ ଟିଭି, ଟାଟା ପ୍ଲେ, ଡିସ୍‌ ଟିଭି ଓ ସନ୍ ଡାଇରେକ୍ଟ। ତେବେ ଲାଇସେନ୍ସ ପ୍ରଦାନ କରାଯାଇଥିବା ସମସ୍ତ ଛଅ କଂପାନିର ହିସାବ ଖାତା ଅଡିଟ୍ କରିବା ଲାଗି ସରକାର ସିଏଜିଙ୍କୁ କହିଛନ୍ତି। ତେଣୁ ଏହି ଅଡିଟ୍‌ରେ ବିଗ୍ ଟିଭି ଓ ଭିଡିଓକନ୍ ଡି୨ଏଚ୍‌କୁ ମଧ୍ୟ ସାମିଲ କରାଯିବ। ନିୟମ ଅନୁସାରେ ଅଡିଟ୍ ହୋଇଥିବା ବାର୍ଷିକ ରାଜସ୍ବର ୮% ରାଶିକୁ କଂପାନିଗୁଡ଼ିକ ଲାଇସେନ୍ସ ଫି’ ଭାବେ ଦାଖଲ କରୁଛନ୍ତି। ସରକାର ଭାବୁଛନ୍ତି କଂପାନିଗୁଡ଼ିକ ଏଭଳି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯେଉଁଥିରେ ରାଜସ୍ବ କମ୍ ପ୍ରଦର୍ଶିତ ହେଉଛି। ୨୦୨୦ ଡିସେମ୍ବରରେ କେନ୍ଦ୍ର ସରକାର ଡିସ୍‌ ଟିଭିକୁ ୪,୧୬୪ କୋଟି ଟଙ୍କାର ଲାଇସେନ୍ସ ଫି’ ଦାଖଲ କରିବାକୁ ନୋଟିସ୍ ପଠାଇଥିଲେ।

ସମ୍ବନ୍ଧିତ ଖବର