ମାର୍ଚ୍ଚରୁ ଶସ୍ତା ହେବ ଡିଟିଏଚ୍‌ ଓ କେବୁଲ ଟିଭି ସେବା, ନିୟମ ବଦଳାଇଲା ଟ୍ରାଇ

ନୂଆଦିଲ୍ଲୀ : ଡିଟିଏଚ ଓ କେବୁଲ ଟିଭି ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆସନ୍ତା ମାର୍ଚ୍ଚରୁ ଡିଟିଏଚ୍‌ ଓ କେବୁଲ ବିଲ୍‌ ଶସ୍ତା ହେବ । କାରଣ ଟ୍ରାଇ ପକ୍ଷରୁ ଗତ ବର୍ଷ ଲାଗୁ ହୋଇଥିବା ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥାରେ କେତେକ ସଂଶୋଧନ ଅଣାଯାଇଛି । ଏହି ନୂଆ ନିୟମ ମାର୍ଚ୍ଚ ପହିଲାରୁ ଲାଗୁ ହେବ ।

ସଂଶୋଧିତ ନିୟମ ଅନୁସାରେ ୨୦୦ଟି ଚ୍ୟାନେଲ ପର୍ଯ୍ୟନ୍ତ ନେଟଓ୍ଵର୍କ କାପାସିଟି ଫି (ଏନସିଏଫ)କୁ ୧୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଆହୁରି ମଧ୍ୟ ଫ୍ରି-ଟୁ-ଏୟାର ଚ୍ୟାନେଲଗୁଡ଼ିକୁ ମଧ୍ୟ ଏହି ଚ୍ୟାନେଲ ତାଲିକାରୁ ବାଦ ଦିଆଯାଇଛି । ପୂର୍ବରୁ ଫ୍ରି ଚ୍ୟାନେଲଗୁଡ଼ିକ ଉପରେ ମଧ୍ୟ ଏନସିଏଫ ଆଦାୟ କରାଯାଉଥିଲା । ଏବେ କିନ୍ତୁ ତାହା ସମ୍ଭବ ହେବ ନାହିଁ । ଫଳରେ ଦର୍ଶକଙ୍କ ମାସିକ ଦେୟ ହ୍ରାସ ପାଇବ ।

ଟ୍ରାଇ ପକ୍ଷରୁ ଗତ ବର୍ଷ ମାର୍ଚ୍ଚମାସରେ ନୂଆ ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥା ଲାଗୁ କରିଥିଲା । କିନ୍ତୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କାରଣ ଡିଟିଏଚ୍‌ କମ୍ପାନିମାନେ ଏପରି ପ୍ୟାକେଜ ତିଆରି କଲେ ଯେ ଗ୍ରାହକମାନେ ଅଳ୍ପ ଚ୍ୟାନେଲ ଦେଖିଲେ ମଧ୍ୟ ତାଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ୁଥିଲା । ଆହୁରି ମଧ୍ୟ ଚ୍ୟାନେଲର ମୂଲ୍ୟ ସହ ନେଟଓ୍ଵାର୍କ କାପାସିଟି ଫି ଏବଂ ଜିଏସଟି ଆଦାୟ କରାଯାଉଥିଲା । ଏସବୁକୁ ମିଶାଇଲେ ମାସିକ ବ୍ୟୟ ପୂର୍ବାପେକ୍ଷା ଅଧିକ ବଢିଯାଇଥିଲା ।

ସମ୍ବନ୍ଧିତ ଖବର