ଆପ୍‌ରୁ ଜାଣିହେବ ନକଲି ନୋଟ୍‌

ନୂଆଦିଲ୍ଲୀ: ନକଲି ନୋଟ୍‌କୁ ନେଇ ଦିନକୁ ଦିନ ଚିନ୍ତା ବଢ଼ିବାରେ ଲାଗିଛି। ତେବେ ନୋଟ୍‌ ଅସଲି କିମ୍ବା ନକଲି ତାହା ମୋବାଇଲ୍‌ ଆପ୍‌ରୁ ଜାଣିହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଆଣ୍ଡ୍ରଏଡ ଭିତ୍ତିକ ସ୍କାନର୍‌ ଆପ୍‌ ପ୍ରସ୍ତୁତ ହୋଇଛି। ଏହାର ପରୀକ୍ଷଣ ଏବେ ଚାଲିଛି। ଏହି ଆପ୍‌ର ପ୍ରଚଳନ ହେଲେ ବଜାରରୁ ନକଲି ନୋଟ୍‌କୁ ବାହାର କରିବା ଆଉ କଷ୍ଟକର ହେବନାହିଁ। ବିକଶିତ ଆପ୍‌ରେ ଅସଲି ନୋଟ୍‌ର ବୈଶିଷ୍ଟ୍ୟ ଗୁଡ଼ିକ ରହିବ। ଏହି ସ୍କାନର୍‌ ଆପ୍‌ ନୋଟ୍‌କୁ ସ୍କାନ୍‌ କରି ତାହାର ବିଶେଷତ୍ୱ ଗୁଡ଼ିକୁ ଚିହ୍ନିବ। ଏହାପରେ ନୋଟ୍‌ଟି ଅସଲି କିମ୍ବା ନକଲି ତାହା ସୂଚାଇ ଦେବ। ଏବେ ଆପ୍‌ ଦ୍ୱାରା ନକଲି ନୋଟ୍‌କୁ ଚିହ୍ନିବା ପ୍ରାୟ ୯୫ ପ୍ରତିଶତ ଠିକ୍‌ ରହୁଛି। ଯେଉଁଦିନ ଏହି ଆପ୍‌ର ସଠିକତା ୧୦୦ ପ୍ରତିଶତ ହୋଇଯିବ ସେହିଦିନ ଏହି ଆପ୍‌କୁ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଉପଲବ୍ଧ କରାଯିବ। ଏହି ଆପ୍‌ରେ ୧୦ ଟଙ୍କିଆ ଠାରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ସବୁ ନୋଟ୍‌ର ବୈଶିଷ୍ଟ୍ୟ ରହିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ଉକ୍ତ ସ୍କାନର ଆପ୍‌ର ନାମ ଓ ବୈଶିଷ୍ଟ୍ୟକୁ ରିଜର୍ଭ ବ୍ୟାଙ୍କ ଗୋପନ ରଖିଛି। ଜଣେ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଏହି ଆପ୍‌ ଆସିଗଲେ ସାଧାରଣ ଲୋକ ସହଜରେ ନକଲି ନୋଟ୍‌କୁ ଚିହ୍ନି ପାରିବେ।

ସମ୍ବନ୍ଧିତ ଖବର