ନୂଆଦିଲ୍ଲୀ: ଖାଉଟିମାନଙ୍କ ପାଇଁ ଖରାପ ଖବର। ସେମାନଙ୍କ ଖର୍ଚ୍ଚ ପରିମାଣ ଆହୁରି ବଢ଼ିବ। ଦୁଇଟି କାରଣ ପାଇଁ ସାଧାରଣ ଖାଉଟିଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ସେମାନଙ୍କୁ ପେଟ୍ରୋଲ୍ ଓ ଡିଜେଲ୍ କିଣିବା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଏହା ବ୍ୟତୀତ ଆମଦାନି ହୋଇ ଦେଶରେ ବିକ୍ରି ହେଉଥିବା ସାମଗ୍ରୀଗୁଡ଼ିକ ପାଇଁ ମଧ୍ୟ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ିବ।
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୭୦ ଡଲାର ଟପିଯାଇଛି। ୨୦୧୪ର ନଭେମ୍ବର ପରେ ତେଲ ଦର ଏତେ ଅଧିକ ହୋଇଛି। ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାର ଦର ଅନୁଯାୟୀ ପେଟ୍ରୋଲ୍ ଓ ଡିଜେଲ ଦର ନିର୍ଦ୍ଧାରଣ କରୁଛନ୍ତି। ଅଶୋଧିତ ତେଲ ମହଙ୍ଗା ହୋଇଥିବାରୁ ଏହାର ପ୍ରଭାବ ପେଟ୍ରୋଲ୍ ଓ ଡିଜେଲ୍ ଦର ଉପରେ ପଡ଼ିବ।
ଆମେରିକା ସରକାର ଇରାନ ଉପରେ ପୁଣି ଥରେ ବାଣିଜ୍ୟ କଟକଣା ଲଗାଇବା ଉପରେ ବିଚାର କରୁଛି। ଏହା ହେଲେ ତେଲ ଯୋଗାଣ ପ୍ରଭାବିତ ହେବ। ବଜାରରେ ଯୋଗାଣ କମିଲେ ଦର ବଢ଼ିବ। ସେହିପରି ତେଲ ଉତ୍ପାଦନ କରୁଥିବା ଅନ୍ୟତମ ବଡ଼ ରାଷ୍ଟ୍ର ଭେନେଜୁଏଲାରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି। ତାହା ମଧ୍ୟ ତୈଳ ଯୋଗାଣକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ତେଲ ଦର ବଢ଼ିଲେ ମୁଦ୍ରାସ୍ଫୀତି ହାର ପ୍ରଭାବିତ ହେବ। ଏହାର ପ୍ରଭାବରେ ଦେଶର ଅଭିବୃଦ୍ଧି ମଧ୍ୟ କମିଯିବ।
ସେହିପରି, ଆମେରିକୀୟ ଡଲାର ତୁଳନାରେ ଟଙ୍କା ଯେଉଁଭଳି ଦୁର୍ବଳ ସ୍ତରକୁ ଖସି ଆସିଛି ତାହା ଆମଦାନିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏକ ଡଲାର କିଣିବାକୁ ଏବେ ୬୭ ଟଙ୍କା ୧୪ ପଇସା ଗଣିବାକୁ ପଡୁଛି। ୨୦୧୭ ଫେବ୍ରୁଆରିରେ ଶେଷ ଥର ପାଇଁ ଟଙ୍କା ଏଭଳି ଦୁର୍ବଳ ସ୍ତରରେ ଥିଲା। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଲେ ଆମଦାନି କରାଯାଉଥିବା ସବୁ ସାମଗ୍ରୀ ମହଙ୍ଗା ହେବ। ବିଭିନ୍ନ ସାମଗ୍ରୀ ନିର୍ମାଣ କରିବା ପାଇଁ ଉପକରଣ ଓ ଯନ୍ତ୍ରାଂଶଠାରୁ ଆରମ୍ଭ କରି କାର୍, ବାଇକ୍ ଭଳି କିଛି ସାମଗ୍ରୀ ସିଧାସଳଖ ଆମଦାନି କରାଯାଉଛି। ଏହି ସବୁ ପ୍ରକାର ସାମଗ୍ରୀ ମହଙ୍ଗା ହୋଇଯିବ। ୨୦୧୮ ମସିହା ଟଙ୍କା ପାଇଁ ଭଲ ବର୍ଷ ସାବ୍ୟସ୍ତ ହୋଇନାହିଁ। ଡଲାର ତୁଳନାରେ ଏହା ନିୟମିତ ବ୍ୟବଧାନରେ ଦୁର୍ବଳ ହେଉଥିବା ବେଳେ ଏସିଆର ବିଭିନ୍ନ ଦେଶର ମୁଦ୍ରା ମଧ୍ୟରେ ଖରାପ ପ୍ରଦର୍ଶନ କରିବାରେ ଟଙ୍କା ଦ୍ୱିତୀୟ ସ୍ଥାନରେ ରହିଛି। ଟଙ୍କାର ଏଭଳି ଦୁର୍ବଳ ସ୍ଥିତି ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ ବୋଲି ଅର୍ଥନୀତିିଜ୍ଞମାନେ କହିଛନ୍ତି।
ମହଙ୍ଗା ହେବ ତେଲ:• ଅଶୋଧିତ ତେଲ ଦର ୭୦ ଡଲାର ଟପିଲା:• ଡଲାର ତୁଳନାରେ ଟଙ୍କା ଦୁର୍ବଳ
/sambad/media/post_attachments/wp-content/uploads/2018/05/petrol-pump-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)