କୋଇଲାର ବିକଳ୍ପ ହେବ ବାଉଁଶ, ଡାଲମିଆ କାରଖାନାରେ ବ୍ୟବହାର ହେବ

ଭୁବନେଶ୍ବର: କୋଇଲାର ବିକଳ୍ପ ଭାବେ ବାଉଁଶକୁ ବ୍ୟବହାର କରାଯିବ। ଏଦିଗରେ କାମ କରୁଛି ଦେଶର ଅଗ୍ରଣୀ ସିମେଣ୍ଟ୍‌ କଂପାନି ଡାଲ୍‌ମିଆ ସିମେଣ୍ଟ୍‌ (ଭାରତ) ଲିମିଟେଡ୍‌। କଂପାନି ଆସାମର ଉମ୍‌ରାଙ୍ଗ୍‌ସୋରେ ଥିବା କାରଖାନାରେ କଂପାନି ବାଉଁଶ ଜଙ୍ଗଲ ସୃଷ୍ଟି କରୁଛି। ପର୍ଯ୍ୟାୟକ୍ରମ‌େ ଅନ୍ୟ କାରଖାନାଗୁଡ଼ିକ ପାଇଁ ମଧ୍ୟ ସେଭଳି ବାଉଁଶ ଜଙ୍ଗଲ ସୃଷ୍ଟି କରିବାକୁ କଂପାନି ଲକ୍ଷ୍ୟ ରଖିଛି। ପରିବେଶ ଅନୁକୂଳ ଶକ୍ତି ଯୋଜନାର ଏହା ହେଉଛି ଏକ ଅଂଶ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କରିବାକୁ ମଧ୍ୟ କଂପାନି ଲକ୍ଷ୍ୟ ରଖିଛି। ସୌର ଶକ୍ତିକୁ ନେଇ ଏହା ବଡ଼ ଯୋଜନା ରଖିଛି। ଡାଲମିଆ ଭାରତ ଗ୍ରୁପ୍‌ର ଏକ କାରଖାନା ‘କପିଳାସ ସିମେଣ୍ଟ୍‌ ମାନୁଫାକ୍‌ଚରିଂ ୱାର୍କସ୍‌’ ପକ୍ଷରୁ ‌ସୌର ଶକ୍ତି ଉତ୍ପାଦନ ବଢ଼ାଇବା ପାଇଁ ୫୦ କୋଟି ନିବେଶ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସେଠାରେ ୨.୫ ମେଗାୱାଟ୍‌ର ସୌର ପ୍ରକଳ୍ପ ରହିଛି। ସେଥିରେ ଦୁଇଟି ପର୍ଯ୍ୟାୟରେ ଆଉ ୭.୫ ମେଗାୱାଟ୍ ଓ ୫ ମେଗାୱାଟ୍‌ କ୍ଷମତା ଯୋଗ କରାଯିବ ବୋଲି କାରଖାନାର ଉପ କାର୍ଯ୍ୟନିର୍ବାହୀ ନିର୍ଦେଶକ ମନୋରଞ୍ଜନ ସାହୁ କହିଛନ୍ତି। ସେ କହିଲେ, ଆମେ କପିଳାସ ସିମେଣ୍ଟ୍‌ ମାନୁଫାକ୍‌ଚରିଂ ୱାର୍କସ୍‌ର ଉତ୍ପାଦନ କ୍ଷମତାକୁ ବର୍ତ୍ତମାନର ୧.୫ ଏମ୍‌ଟିପିଏରୁ ବଢ଼ାଇ ୪.୨ ଏମ୍‌ଟିପିଏ ବଢ଼ାଇବା ଦିଗରେ ମଧ୍ୟ କାମ କରୁଛୁ। ଏଠାରେ ୨.୫ ଏମ୍‌ଟିପିଏର ଏକ ନୂଆ ଗ୍ରାଇଣ୍ଡ୍‌ ମିଲ୍ ସ୍ଥାପନ କରାଯିବ। ଚଳିତ ମାସରେ ଏଥିପାଇଁ ଯାଜପୁର ଓ କଟକରେ ଜନ ଶୁଣାଣି ହେବ। ଏହା ପରେ କଂପାନି ଜଙ୍ଗଲ ଓ ପରିବେଶ ମଞ୍ଜୁରି ପାଇଁ ଆବେଦନ କରିବ। ଠିକ୍ ସମୟରେ ମଞ୍ଜୁରି ମିଳିଗଲେ ଫେବ୍ରୁଆରି ମାସରୁ ସମ୍ପ୍ରସାରଣ କାମ ଆରମ୍ଭ ହୋଇ ବର୍ଷକ ଭିତରେ ଶେଷ ହେବ। ଏହି ପ୍ରକଳ୍ପରେ କଂପାନି ପାଖାପାଖି ୫୦୦ କୋଟି ଟଙ୍କା ନିବେଶ କରିବ। କାରଖାନାରେ ବର୍ତ୍ତମାନ ଯେତିକି ସିମେଣ୍ଟ୍‌ ଉତ୍ପାଦନ କରାଯାଉଛି ତାହାର ୩୫% କମ୍ପୋଜିଟ୍‌ ସ୍ଲାଗ୍ ସିମେଣ୍ଟ୍‌, ୩୦% ଡିଏସ୍‌ପି ଓ ୩୫% ପିଏସ୍‌ସି ପ୍ରକାରର ସିମେଣ୍ଟ୍‌ ଉତ୍ପାଦନ କରାଯାଉଛି। ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବା ପରେ ଏଠାରେ ଅଧିକ କମ୍ପୋଜିଟ୍‌ ସିମେଣ୍ଟ୍‌ ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି। ଜଳ ସଂରକ୍ଷଣ ପ୍ରତି କଂପାନି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଛି ବୋଲି ଶ୍ରୀ ସାହୁ କହିଥିବା ବେଳେ ସିଏସ୍‌ଆର୍‌ରେ ମଧ୍ୟ ଆମର ପ୍ରଦର୍ଶନ ଉନ୍ନତ ମାନର ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର