ଇ-ନିଲାମରେ ଓଏମ୍‌ସିର ୯୦% ଲୁହାପଥର ବୁକିଂ

କେନ୍ଦୁଝର: କରୋନା କଟକଣା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ଲୁହାପଥର କାରବାରରେ ମାନ୍ଦାବସ୍ଥା ‌ଦେଖାଦେଇଥିଲା। ଏବେ ପରସ୍ଥିତିରେ ସୁଧାର ଆସିବା ଭଳି ଲାଗୁଛି। ଗତ ଏପ୍ରିଲ ମାସରେ ଲୁହାପଥର କାରବାର ମାର୍ଚ୍ଚ ମାସ ତୁଳନାରେ କମ୍‌ ଥିବାବେଳେ ଜୁନ୍‌ ମାସରେ ହୋଇଥିବା ଓଏମ୍‌ସିର ଇ-ନିଲାମରେ ୯୦ ପ୍ରତିଶତ ବୁକିଂ ହୋଇଥିବାରୁ ଆଗକୁ ପରିସ୍ଥିତି ବଦଳିବାର ସମ୍ଭାବନା ଦେଖା ଦେଇଛି।

ଲକ୍‌ଡାଉନ କାରଣରୁ ଦେଶର ଆଭ୍ୟନ୍ତରୀଣ ବଜାର ସମେତ ଅନ୍ତର୍ଜାତୀୟ ବଜାର‌ରେ ଲୁହାପଥରର ଚାହିଦା କମ୍‌ ରହିଥିଲା। ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଷ୍ଟିଲ କମ୍ପାନିଗୁଡ଼ିକରୁ ଅଧିକାଂଶ ସେମାନଙ୍କ ଉତ୍ପାଦନ ବନ୍ଦ କରି ଦେଇଥିବାବେଳେ ଆଉ କିଛି କମ୍ପାନି ନାମକୁ ମାତ୍ର କାରଖାନା ଚଳାଉଥିଲେ। ଫଳରେ ପରିସ୍ଥିତି ଏମିତି ହୋଇଥିଲା ଯେ ବିଭିନ୍ନ ଖଣି ଲିଜ୍‌ଧାରୀମାନେ ଲୁହାପଥର ‌ଖନନ କରି ଗଦା କରିଥିଲେ ବି ତାହା ବିକ୍ରି ହୋଇ ପାରୁ ନ ଥିଲା। ଗତ ମାର୍ଚ୍ଚ ମାସରେ ଓଡ଼ିଶାରୁ ସମୁଦା‌ୟ ୬.୩୪ ନିୟୁତ ଟନ୍‌ ଲୁହାପଥର କାରବାର ହୋଇଥିଲା। ଏପ୍ରିଲ ମାସରେ ୧.୩୧ ନିୟୁତ ଟନ୍‌କୁ ଖସି ଆସିଲା। ଅର୍ଥାତ ମାର୍ଚ୍ଚ ମାସ ତୁଳନାରେ ୭୯ ପ୍ରତଶତ କମ୍‌ କାରବାର ହୋଇଥିଲା। ‌ଏପ୍ରିଲ ଓ ମେ‌ ମାସର ମଧ୍ୟଭାଗ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିଲା। ବର୍ତ୍ତମାନ ଜୁନ୍‌ ମାସ ପ୍ରଥମ ସପ୍ତାହ‌ରେ ଓଏମ୍‌ସିର ଇ-ନିଲାମରେ ଗଚ୍ଛିତ ଲୁହାପଥରରୁ ୯୦ ପ୍ରତିଶତ ବୁକିଂ ହୋଇଛି। ସୂଚନା ଅନୁସାରେ, ଓଏମ୍‌ସିର ମୋଟ ୫୭୧,୫୦୦ ମେଟ୍ରିକ ଟନ୍‌ ଲୁହାପଥରରୁ ମୋଟ ୫ ଲକ୍ଷ ୧୫ ହଜାର ମେଟ୍ରିକ ଟନ୍‌ ଲୁହାପଥର ଇ-ନିଲାମରେ ବୁକିଂ ହୋଇଛି। ଜୁନ୍‌ ୧ ତାରିଖରେ ହୋଇଥିବା ଇ-ନିଲାମରେ ଏହି ବୁକିଂ ହୋଇଛି। ଅର୍ଥାତ ସମୁଦାୟ ଗଚ୍ଛିତ ଲୁହ‌ାପଥରରୁ ୯୦ ପ୍ରତିଶତ ବୁକିଂ ହୋଇଛି। ବିଶେଷକରି ଓଏମ୍‌ସି ଅଧୀନରେ ଥିବା କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଧନ ଓ କୋଇଡ଼ା ଲୁହାପଥର ଖଣିରୁ ଏହି ବୁକିଂ ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ କାରଣରୁ ବିଭିନ୍ନ ଖଣି ଲିଜ୍‌ଧାରୀମାନେ ଲୁହାପଥର ମୂଲ୍ୟ ହ୍ରାସ କରିଥିଲେ। ଗତ ମେ ମାସ ୧୯ ତାରିଖରେ ସିରାଜୁଦ୍ଦିନ ଖଣି ପକ୍ଷରୁ ଲୁହାପଥର ମୂଲ୍ୟ ହ୍ରାସ କରାଯାଇଥିଲା। ପୂର୍ବରୁ ଲୁହାପଥର ମେଟ୍ରିକ ଟନ୍‌ ପିଛା ୪ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ଗତ ମେ ୧୯ ତାରିଖରୁ ନୂଆ ମୂଲ୍ୟ ୩୫୦୦ ଟଙ୍କା ସ୍ଥିର କରାଯାଇଥିଲା। ୫ଶହ ଟଙ୍କା ହ୍ରାସ ପାଇଥିଲା। ଅଧିକ ଲୁହାପଥର କାରବାର ଲକ୍ଷ୍ୟରେ ଏହା କରାଯାଇଥିଲା। ସେହିପରି ମେ ମାସ ଦ୍ବିତୀୟ ସପ୍ତାହରେ ଏସେଲ ମାଇନିଂ ପକ୍ଷରୁ ମଧ୍ୟ ୫-୧୮ ଏମ୍‌ଏମ୍‌ ଏବଂ ୧୦-୩୦ ଏମ୍‌ଏମ୍‌ ସାଇଜର ଲୁହାପଥର ମୂଲ୍ୟ ହ୍ରାସ ହୋଇଥିଲା। କୋଇଡ଼ା ଖଣିରୁ ୫-୧୮ ଏମ୍‌ଏମ୍‌ ଲୁହାପଥର ପ୍ରତି ମେଟ୍ରିକ ଟନ୍‌ ୩୪୦୦ ଟଙ୍କା ଗତ ମେ ୧୬ ତାରିଖରୁ ସ୍ଥିର ହୋଇଥିବା ବେଳେ ୧୦-୩୦ ଏମ୍‌ଏମ୍‌ ଲୁହାପଥର ମେଟ୍ରିକ ଟନ୍‌ ପିଛା ୩୨୦୦ ଟଙ୍କା ହୋଇଥିଲା। ସେହିପରି ଗତ ଏପ୍ରିଲ ୨୮ ତାରିଖରେ ହୋଇଥିବା ଇ-ନିଲାମ ବେଳେ ଓଏମ୍‌ସିର କୋଇଡ଼ା ଖଣିରୁ ମେଟ୍ରିକ ଟନ୍‌ ପ୍ରତି ବେସ୍‌ ପ୍ରାଇସଠାରୁ ୪୫୦ ଟଙ୍କା ହ୍ରାସ ପାଇଥିଲା। ଦୈତାରୀ ଖଣିରୁ ମେଟ୍ରିକ ଟନ ପ୍ରତି ୬୦୦ ଟଙ୍କା, ଗନ୍ଧମାର୍ଦ୍ଧନ ଖଣିରେ ୩୫୦ ଟଙ୍କା ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର