ଚାହିଦାରେ ଇ-ବାଇକ୍: ପ୍ରଦୂଷଣ ଗାଡ଼ିର ବିକଳ୍ପ

ରାଜ୍ୟରେ ନିର୍ମାଣ ହେଉଛି, କମ୍‌ ଖର୍ଚ୍ଚ ଓ ସୁରକ୍ଷିତ ଯାତ୍ରା

ଭୁବନେଶ୍ବର: ‌ଗୋଟିଏ ପଟେ ବିଶ୍ବରେ ଗଚ୍ଛିତ ଜୀବାଶ୍ମ ଇନ୍ଧନ ଶେଷ ହୋଇ ଆସୁଥିବାବେଳେ ଅନ୍ୟପଟେ ଅଟୋମୋବାଇଲ ଜନିତ ପ୍ରଦୂଷଣ ବିପଜ୍ଜନକଭାବେ ବଢ଼ିଚାଲିଛି। ତେଣୁ ପରିବେଶ ପ୍ରଦୂଷଣକାରୀ ଗାଡ଼ିର ବିକଳ୍ପ ଭାବେ ଇ-ବାଇକ୍ ବା ଇଲେକ୍ଟ୍ରିକ୍ ଗାଡ଼ିକୁ ବିବେଚନା କରାଯାଉଛି। ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକ ଦ୍ବାରା କୌଣସି ବାୟୁ ପ୍ରଦୂଷଣ ହୋଇ ନଥାଏ। ତେବେ ଏ କ୍ଷେତ୍ରରେ ଚାର୍ଜିଂ ଭିତ୍ତିଭୂମିର ଅଭାବ ବଡ଼ ପ୍ରତିବନ୍ଧକ ଭା‌ବେ ଛିଡ଼ା ହୋଇଛି। ଧୀରେ ଧୀରେ ଅବଶ୍ୟ ଏହି ସମସ୍ୟାର ସମାଧାନ ହେଉଛି। ଏଥିସହିତ ଦିନକୁ ଦିନ ପେଟ୍ରୋଲ ଦର ବଢ଼ୁଥିବାରୁ ସହରାଞ୍ଚଳରେ ବାସ କରୁଥିବା ମୂଲ୍ୟ ସଚେତନ ଗ୍ରାହକମାନେ ଇଲେକ୍ଟ୍ରିକ ବାଇକ୍‌ ଓ ସ୍କୁଟରମୁହାଁ ହେଉଛନ୍ତି। ତେଣୁ ନିକଟ ଭବିଷ୍ୟତରେ ଇ-ବାଇକ୍‌ ବା ଇ-ସ୍କୁଟରର ଲୋକପ୍ରିୟତା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।

ଦେଶରେ ହିରୋ ଇଲେକ୍ଟ୍ରିକ, ଟିଭିଏସ୍ ଭଳି ପ୍ରତିଷ୍ଠିତ କମ୍ପାନି ଠାରୁ ଆରମ୍ଭ କରି ଆଥର, ରିଭୋଲ୍ଟ, ଆମ୍ପିୟର, ଓକିନାୱା, ଉଷା ଇଲେକ୍ଟ୍ରିକ ସମେତ ଓଡ଼ିଶାର ଇଭି ଭଳି କମ୍ପାନିର ଇ-ବାଇକ୍ ଓ ଇ-ସ୍କୁଟର ବଜାରରେ ଉପଲବ୍ଧ ହେଉଛି। ବଜାରରେ ଏହି ଗାଡ଼ିଗୁଡ଼ିକର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ପୂର୍ବରୁ ରାଜ୍ୟର ଭୁବନେଶ୍ବର, କଟକ ଭଳି ବଡ଼ ବଡ଼ ସହରରେ ଏଭଳି ଗାଡ଼ି ସୋ’ରୁମ୍ ଥିବାବେଳେ ଏବେ ଛୋଟ ଛୋଟ ସହରରେ ମଧ୍ୟ ଇ-ବାଇକ୍ ସୋ’ରୁମ୍‌ ଖୋଲିଲାଣି। ଫଳରେ ଗ୍ରାହକମାନେ ସେମାନଙ୍କ ଘର ନିକଟରେ ଏହି ବାଇକ୍‌କୁ କିଣିବା ସହିତ ସର୍ଭିସ ମଧ୍ୟ ପାଇପାରୁଛନ୍ତି। ‌ ତେବେ ବ୍ୟାଟେରି ଅନୁସାରେ ଚାର୍ଜିଂ ସମୟ ଲାଗିଥାଏ। ଜଣେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଲିଥିୟମ ଆୟନ ବ୍ୟାଟେରିଟି ଚାର୍ଜ ହେବା ପାଇଁ ଅପେକ୍ଷାକୃତ କମ୍ ସମୟ ଲାଗୁଥିବାବେଳେ ଲେଡ୍‌ ଏସିଡରେ ନିର୍ମିତ ଗାଡ଼ି ଚାର୍ଜ ହେବାପାଇଁ ଅଧିକ ସମୟ ଲାଗିଥାଏ।

ସେହିଭଳି ଗାଡ଼ି କିଣିବା ସମୟରେ ମଧ୍ୟ ଗ୍ରାହକମାନେ ଚାର୍ଜିଂ କିଭଳି ହେବ ତାହା ବୁଝିନେବା ଆବଶ୍ୟକ। ଚାର୍ଜ ୧୦ ପ୍ରତିଶତରୁ କମିଲେ ବ୍ୟାଟେରିକୁ ବିଦ୍ୟୁତ୍ ସଂଯୋଗରୁ କାଢ଼ି ଦେବାକୁ ହୋଇଥାଏ। ସେହିଭଳି ଚାର୍ଜ ୮୦ ପ୍ରତିଶତରୁ ଅଧିକ ହେଲେ ବିଦ୍ୟୁତ୍ ସଂଯୋଗକୁ ବନ୍ଦ କରିବାକୁ ହୋଇଥାଏ। ଏହା ହେଲେ ବ୍ୟାଟେରିଟି ଅଧିକ ଦିନ ଯାଇଥାଏ ବୋଲି ରାଜଧାନୀର ଏକ ଇ-ବାଇକ୍‌ ସୋ’ରୁମ୍‌ର ଜଣେ ଅଧିକାରୀ ମତ ଦେଇଛନ୍ତି।

ହିରୋ ଇଲେକ୍ଟ୍ରିକ୍ ଅପ୍ଟିମା ଏଲଏ, ହିରୋ ଇଲେକ୍ଟ୍ରିକ୍ ଫ୍ଲାସ, ଟିଭିଏସ୍ ଆଇକ୍ୟୁବ୍‌ ଇଲେକ୍ଟ୍ରିକ, ଆଥର ୪୫୦ଏକ୍ସ, ରି‌ଭଲ୍ଟ ଆର୍‌ଭି ୪୦୦, ଆଥର ୪୫୦, ଜୟ ଇ-ବାଇକ୍ ମନଷ୍ଟର, ପିଓର ଇଭି ଇପ୍ଲୁଟୋ, ଆର୍ଥ ଏନର୍ଜି ଇଭି ଇଭଲ୍‌ବ ଆର୍‌, ଇଭି ଜିନିଆ, ଇଭି ଇଓର, ଇଭି ୱିଣ୍ଡ୍, ଇଭି ଫର୍‌ ୟୁ ଆଦି ରହିଛି। ଏଥିସହିତ ବଜାରରେ ଅନ୍ୟ ମଡେଲ ଇ-ସ୍କୁଟର ଓ ଇ-ବାଇକ୍ ବି ମିଳୁଛି।

ଭାରତ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ମଧ୍ୟ ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟର ନିର୍ମାଣ ହେଉଛି। ଏଗୁଡ଼ିକ ଇଭି ବ୍ରାଣ୍ଡ୍‌ରେ ବିକ୍ରି ହେଉଛି। କମ୍ପାନି ଉଭୟ ଲେଡ୍‌ ଏସିଡ୍‌ ଓ ଲିଥିୟମ ଆୟନ ‌ବ୍ୟାଟେରିର ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟର ନିର୍ମାଣ କରୁଛି। ଏହି କମ୍ପାନି ପ୍ରସ୍ତୁତ ଲିଥିୟମ ଆୟନ ବ୍ୟାଟେରି ନିର୍ମିତ ଗାଡ଼ିର ମୂଲ୍ୟ ୭୦ ହଜାର ଟଙ୍କାରୁ ଅଧିକ ଥିବାବେଳେ ଲେଡ୍ ଏସିଡ୍‌ ବ୍ୟାଟେରିରେ ନିର୍ମିତ ଗାଡ଼ିଗୁଡ଼ିକର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ରହିଛି।

କମ୍‌ ଖର୍ଚ୍ଚ ଓ ସୁରକ୍ଷିତ ଯାତ୍ରା
‌ଜୀବାଶ୍ମ ଇନ୍ଧନରେ ଚାଳିତ ଗାଡ଼ି ତୁଳନାରେ ଇ-ବାଇକ୍‌ ଗୁଡ଼ିକରେ ଚାଳକଙ୍କୁ ଅପେକ୍ଷାକୃତ କମ୍‌ ଖର୍ଚ୍ଚ କରିବାକୁ ହୋଇଥାଏ। ପେଟ୍ରୋଲ ମୂଲ୍ୟ ଅଧିକ ରହୁଥିବାରୁ ଏହି ଗାଡ଼ି ଚଲାଇବା ପାଇଁ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। କିନ୍ତୁ ଇ-ବାଇକ୍‌ଗୁଡ଼ିକୁ ଚାର୍ଜ କରିବା ପାଇଁ ଯଥେଷ୍ଟ କମ୍ ଅର୍ଥ ଖର୍ଚ୍ଚ ହୋଇଥାଏ। ‌ଗାଡ଼ିଟି ଥରେ ଚାର୍ଜ ହେଲେ ପ୍ରାୟ ୬୦ରୁ ୭୦ କିମି ଯାତ୍ରା କରିଥାଏ। ଏଥିସହିତ ବ୍ୟାଟେରି ଉପରେ ଅନେକ କମ୍ପାନି ରିପ୍ଲେସମେଣ୍ଟ ୱାରେଣ୍ଟି ମଧ୍ୟ ପ୍ରଦାନ କରୁଛନ୍ତି। ଏଥିଯୋଗୁ ଏହି ଗାଡ଼ିର ଚାହିଦା ବଢ଼ୁଛି। ସହର ମଧ୍ୟରେ ଯିବାଆସିବା ପାଇଁ ଲୋକମାନେ ଏହି ଗାଡ଼ି ଚଢ଼ିବାକୁ ପସନ୍ଦ କରୁଛନ୍ତି। ଏଥିସହିତ ୨୫୦ ୱାଟ୍‌ରୁ କମ୍‌ କ୍ଷମତା ବିଶିଷ୍ଟ ଇ-ବାଇକ୍ ପାଇଁ ପଞ୍ଜୀକରଣ ପ୍ରମାଣପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକ ପଡ଼ୁ ନଥିବାରୁ ଅନେକ ଏହାକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର