ନୂଆଦିଲ୍ଲୀ: କଠୋର ଇ-କମର୍ସ ନୀତି ଆଣିବା ଲାଗି ସରକାର ଜାରି ରଖିଥିବା ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଚିଠା ନୀତିରେ ଥିବା କେତେକ ପ୍ରସ୍ତାବ ଉପରେ ଅର୍ଥ ମନ୍ତ୍ରଣାଳୟ ଆପତ୍ତି ଉଠାଇଥିବା ଜଣାପଡ଼ିଛି। କେତେକ ପ୍ରସ୍ତାବକୁ ଏହା ‘ଅତ୍ୟଧିକ କଠୋର’ କହିଥିବା ବେଳେ ଅର୍ଥନୈତିକ ଦୃଷ୍ଟିକୋଣରୁ ସେଗୁଡ଼ିକ ଯୁକ୍ତିସଙ୍ଗତ ନୁହେଁ ବୋଲି କହିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଡଜନେ ପାଖାପାଖି ଆପତ୍ତି ଉଠାଯାଇଥିବା ଜଣାପଡ଼ିଛି। ତାହାକୁ କେତେ ଗୁରୁତ୍ବ ଦିଆଯିବ ତାହା ଆଗାମୀ ଦିନରେ ଜଣାପଡ଼ିବ। ଚଳିତ ବର୍ଷ ଜୁନ୍ରେ କେନ୍ଦ୍ର ସରକାର ଇ-କମର୍ସ ନୀତି ଉନ୍ମୋଚନ କରି ସାରା ବିଶ୍ବକୁ ଚକିତ କରିଥିଲେ। ଫ୍ଲାସ୍ ସେଲ୍ ଉପରେ କଟକଣା ଲଗାଇବା ଭଳି ବ୍ୟବସ୍ଥା ସେଥିରେ ରହିଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ତିଆରି କରିଥିବା ଏହି ଚିଠା ନୀତିରେ ଇ-କମର୍ସ କଂପାନି ଓ ସେମାନଙ୍କ ଭେଣ୍ଡରଗୁଡ଼ିକ ମଧ୍ୟରେ ରହିଥିବା ସମ୍ପର୍କର ଯାଞ୍ଚ କରିବା ଲାଗି ବ୍ୟବସ୍ଥା ରହିବ ବୋଲି କୁହାଯାଇଛି। ଏହି ନିୟମ କେବେ ଠାରୁ ଲାଗୁ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।
ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କର୍ପୋରେଟ୍ ବ୍ୟାପାର ବିଭାଗ ଜଣାଇଛି ଯେ ନୂଆ ଇ-କମର୍ସ ନୀତି ଏହି କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିବ। ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଟିକସ ସଂଗ୍ରହକୁ ବଢ଼ାଇବାରେ ଏହି କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବ। ଏଭଳି ଏକ ଉଦୀୟମାନ କ୍ଷେତ୍ର ଉପରେ କଟକଣା ସହଜ ବ୍ୟବସାୟ ବାତାବରଣକୁ ମଧ୍ୟ ପ୍ରଭାବିତ କରିବାର ଆଶଂକା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେବଳ ଅର୍ଥ ମନ୍ତ୍ରଣାଳୟ ନୁହେଁ ନିତି ଆୟେଗା ମଧ୍ୟ ଇ-କମର୍ସ ନୀତିକୁ ନେଇ ଆପତ୍ତି ଉଠାଇଛି। ଗତ ଜୁଲାଇ ୬ରେ ଏନେଇ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ଏହି ନୀତି ଦ୍ବାରା କ୍ଷୁଦ୍ର ବ୍ୟବସାୟ ଜଗତ ଗୁରୁତର ଭାବେ ପ୍ରଭାବିତ ହେବ। ନିତି ପ୍ରଯୁକ୍ତିରେ ରହିଥିବା ଅସ୍ଥିରତା ଓ ଅକଳ୍ପନୀୟ ଭାବକୁ ନିତି ଆୟୋଗ ନାପସନ୍ଦ କରିଛି। କେବଳ ସରକାର ଭିତରେ ଥିବା ବ୍ୟବସ୍ଥା ନୁହେଁ ଇ-କମର୍ସ କଂପାନି ଏବଂ ଏଭଳିକି ଆମେରିକା ସରକାର ମଧ୍ୟ ନୂଆ ଇ-କମର୍ସ ନୀତିକୁ ନେଇ ଆପତ୍ତି ଉଠାଇଛନ୍ତି। ଅନେକ ପ୍ରଶ୍ନବାଚୀ ସତ୍ତ୍ବେ ଶ୍ରୀ ଗୋୟଲ ଓ ଖୁଚୁରା ବ୍ୟବସାୟୀ ମହାସଂଘ ନୂଆ ଇ-କମର୍ସ ନୀତିକୁ ସମର୍ଥନ କରୁଛନ୍ତି। ଗୋୟଲ କହିଛନ୍ତି ଯେ ବଡ଼ ବଡ଼ ଆମେରିକୀୟ କଂପାନିଗୁଡ଼ିକ ଭାରତୀୟ ଆଇନକୁ ଏଡ଼ାଇ କାରବାର କରୁଛନ୍ତି ଏବଂ ସେମାନେ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରଭାବିତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/e-commerce.jpg)