ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଅନ୍ତଃରାଜ୍ୟ ଇ-ୱେ ବିଲ୍‌ ବ୍ୟବସ୍ଥା, ମନ୍ତ୍ରୀକମିଟିର ସୁପାରିଶ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୧ ତାରିଖରୁ ରାଜ୍ୟ ରାଜ୍ୟ ମଧ୍ୟରେ ଇଲେକ୍ଟ୍ରୋନିକ ୱେ ବା ଇ-ୱେ ବିଲ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ କମିଟି ଜିଏସଟି କାଉନସିଲକୁ ସୁପାରିଶ କରିଛି । ଏହି ମନ୍ତ୍ରୀକମିଟିର ସଭାପତି ତଥା ବିହାରର ଉପମୁଖ୍ୟମନ୍ତ୍ରୀ ଶୁଶୀଲ ମୋଦି କହିଛନ୍ତି ଯେ ରାଜ୍ୟ ରାଜ୍ୟ ମଧ୍ୟରେ ଇ-ୱେ ବିଲର ଫଳାଫଳକୁ ଦେଖିବା ପରେ ବିଭିନ୍ନ ରାଜ୍ୟ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ । ଆସନ୍ତା ମାର୍ଚ୍ଚ ୧୦ରେ ଅନୁଷ୍ଠିତ ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ।

ଗତ ବର୍ଷ ଜୁଲାଇ ୧ରୁ ଲାଗୁ ହୋଇଥିବା ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ ୱେ ବିଲ୍‌ ବା ଇ-ୱେ ବିଲ୍‌ ଆବଶ୍ୟକ ପଡିଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ କମ ଦୂରତାରେ ହୋଇଥାଏ, ଇ-ୱେ ବିଲ ଆବଶ୍ୟକ ପଡିବ ନାହିଁ । ଜିଏସଟି ନେଟଓ୍ଵାର୍କ ପୋର୍ଟାଲରେ ଆବଶ୍ୟକ ବ୍ୟବସାୟିକ ତଥ୍ୟ ( ମାଲ କ୍ରୟ ଓ ପରିବହନ ବାବଦରେ)ଦାଖଲ କରି ଇ-ୱେ ବିଲ୍‌ ବାହାର କରିହେବ । ତେବେ ପୂର୍ବରୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଥିଲା ଯେ ଜାନୁୟାରୀ ୧ରୁ ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରି ଏପ୍ରିଲ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରାଯିବ । କିନ୍ତୁ ଏହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଏହାକୁ ଫେବ୍ରୁଆରୀ ୧ରୁ ଲାଗୁହୋଇଥିଲା । କିନ୍ତୁ ଏହାର ଆଇଟି ସିଷ୍ଟମ କ୍ରାସ କରିଯିବାରୁ ଏହାକୁ ପୁଣି ଥରେ ସ୍ଥଗିତ ରଖାଯାଇଥିଲା ।

ସମ୍ବନ୍ଧିତ ଖବର