ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଇ୨୦ ପେଟ୍ରୋଲ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ବି ଆର୍ ଗଭାଇ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଇ୨୦ ପେଟ୍ରୋଲକୁ ବିରୋଧ କରି ଦାଖଲ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣ କହିଥିଲେ ଯେ ଏହି ଆବେଦନକୁ ଏକ ବୃହତ୍ ଲବିର ସମର୍ଥନ ରହିଛି। ଆବେଦନକାରୀ ଇଂଲଣ୍ଡର ଲୋକ। ଦେଶ ଭିତରେ କେଉଁ ଧରଣର ପେଟ୍ରୋଲ ବିକ୍ରି ହେବ, ତାହା କ’ଣ ବାହାର ଲୋକ ଧାର୍ଯ୍ୟ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଇ୨୦ ପେଟ୍ରୋଲ୍ରୁ ଆଖୁଚାଷୀମାନେ ଉପକୃତ ହେବେ ଓ ତେଲ କିଣିବାରେ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରା ସଞ୍ଚୟ ହେବ ବୋଲି ସେ କହିଥିଲେ।
ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ୨୦ ପ୍ରତିଶତ ଇଥାନଲ ମିଶିଥିବା ପେଟ୍ରୋଲ ବା ଇ୨୦ ପେଟ୍ରୋଲ ଦ୍ବାରା ୨୦୦୩ ପୂର୍ବରୁ ନିର୍ମାଣ କରାଯାଇଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହେଉଛି। ଆମେ ଯଦିଓ ଏହି ପ୍ରକାର ତେଲକୁ ବିରୋଧ କରୁନାହୁଁ, କିନ୍ତୁ ଗ୍ରାହକମାନଙ୍କ ଲାଗି ଅନ୍ତତଃ ଇଥାନଲ ମିଶି ନଥିବା ପେଟ୍ରୋଲର ଏକ ବିକଳ୍ପ ରହୁ। ଇ୨୦ ପେଟ୍ରାଲ ଦ୍ବାରା ଗାଡ଼ିର ଇଞ୍ଜିନ କ୍ଷତିଗ୍ରସ୍ତ ହେବା ସହ ମାଇଲେଜ୍ କମ୍ ହେଉଛି ଏବଂ କ୍ଷୟକ୍ଷତିକୁ ଭରଣା କରିବା ଲାଗି କରାଯାଉଥିବା ଆବେଦନକୁ ବୀମା କମ୍ପାନିଗୁଡ଼ିକ ଖାରଜ କରିଦେଥିବା ସେ ଅଭିଯୋଗ କରିଥିଲେ। ତେବେ ଏହି ବିବାଦ ଆରମ୍ଭ ହେବା ଦିନଠାରୁ ଏହାପଛରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତ ଥିବା ସରକାର ସନ୍ଦେହ କରୁଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ସେହି ଗୋଷ୍ଠୀକୁ କଡ଼ା ସମାଲୋଚନା କରିଥିଲେ। ଇ୨୦ ପେଟ୍ରୋଲ ନାଁରେ ଅପପ୍ରଚାର କରାଯାଉଥିବା ସେ କହିଥିଲେ।