ନୂଆଦିଲ୍ଲୀ: ଚଳିତ ବର୍ଷ ସୁନା ଦରରେ ହୋଇଥିବା ମାତ୍ରାଧିକ ବୃଦ୍ଧି ସୁନା ରଖିଥିବା ନିବେଶକଙ୍କ ପାଇଁ ଆୟର ନୂଆ ନୂଆ ମାଧ୍ୟମ ପ୍ରଦାନ କରିଛି । ପୂର୍ବରୁ ଲୋକମାନେ ସୁନା ବନ୍ଧକ ରଖି ଟଙ୍କା ଆଣୁଥିଲେ। ଏବେ କିନ୍ତୁ ସେମାନେ ନିଜ ପାଖରେ ଥିବା ସୁନା ଭଡ଼ା ସୂତ୍ରରେ ଦେଇ ରୋଜଗାର କରୁଛନ୍ତି। ବିଶେଷ କରି ନିବେଶକ ଓ ଫାମିଲି ଅଫିସ୍‌(ଧନୀ ବ୍ୟକ୍ତିଙ୍କ ସଂପତ୍ତି ଓ ଆର୍ଥିକ ବ୍ୟାପାର ପରିଚାଳନା କରୁଥିବା ସଂସ୍ଥା)ଗୁଡ଼ିକ ସୁନାକୁ ଭଲ୍‌ଟରେ ଅଯଥା ପକାଇ ରଖିବାକୁ ଚାହୁନାହାନ୍ତି। ସେମାନେ ସେହି ସୁନାକୁ ବିଶୋଧନକାରୀ, ଜୁଏଲର୍ସ ଓ ଫେବ୍ରିକେଟରଙ୍କୁ ଭଡ଼ା ଦେଇ ତାହା ଉପରେ ସୁଧ ଆୟ କରୁଛନ୍ତି। ଫଳରେ କୌଣସି ରିଟର୍ଣ୍ଣ ନ ଦେଇ କେବଳ ଭଲ୍‌ଟରେ ପଡ଼ି ରହୁଥିବା ସୁନା ବି ଏବେ ଆୟର ଏକ ମାଧ୍ୟମରେ ପରିଣତ ହୋଇପାରିଛି। 
ସେଫ୍‌ଗୋଲ୍ଡର ପ୍ରତିଷ୍ଠାତା ଗୌରବ ମାଥୁର କହିଛନ୍ତି ଯେ ଆମ ପାଖକୁ ସୁନା ଲିଜ୍‌ରେ ଦେବା ଲାଗି ନିବେଶକମାନଙ୍କଠାରୁ ଅନୁରୋଧ ଆସୁଛି। କିଏ କହୁଛି ମୋ ପାଖରେ ୨ ନିୟୁତ ଡଲାରର ସୁନା ରହିଛି। ଅନ୍ୟ କେହି ତାଙ୍କ ପାଖରେ ସୁନା ବାର୍ ଥିବା କହୁଛନ୍ତି। ଗତ କିଛି ଦିନ ଭିତରେ ହୋଇଥିବା ବଡ଼ ପରିବର୍ତ୍ତନ ହେଉଛି ଧନିକ ଶ୍ରେଣୀର ଗ୍ରାହକମାନେ ସୁନାକୁ ଲିଜ୍‌ରେ ଦେବାକୁ ଭୟ କରୁନାହାନ୍ତି। ଫଳରେ ସେଫ୍‌ଗୋଲ୍ଡର ଲିଜ୍ ପରିମାଣ ଚଳିତ ବର୍ଷ ୨ ନିୟୁତ ଡଲାରରୁ ବୃଦ୍ଧି ପାଇ ୪୦ ନିୟୁତ ଡଲାର ହୋଇଛି। ଏହି ମଡେଲ୍‌ରେ ସୁନା ରଖିଥିବା ଓ ସୁନା ପାଉଥିବା ଉଭୟ ପକ୍ଷ ଉପକୃତ ହେଉଛନ୍ତି । ପଡ଼ି ରହିଥିବା ସୁନାରୁ ରୋଜଗାରର ମାଧ୍ୟମ ସୃଷ୍ଟି ହୋଇଥିବା ବେଳେ ଜୁଏଲର୍ସ ଓ ଫେବ୍ରିକେଟରମାନେ ଆମେରିକୀୟ ଡଲାର ଖର୍ଚ୍ଚ ନ କରି ସୁନା ପାଉଛନ୍ତି। ଏହି ପ୍ରକ୍ରିୟାରେ ନିବେଶକମାନେ ନିଜ ସୁନାକୁ ଏକ ପ୍ଲାଟଫର୍ମ କିମ୍ବା ଫାଇନାନ୍ସ ସଂସ୍ଥାକୁ ଦେଇଥାନ୍ତି । ସେହି ସଂସ୍ଥା ଉକ୍ତ ସୁନାକୁ ବ୍ୟବସାୟିକ ପ୍ରତିଷ୍ଠାନକୁ ଭଡ଼ାରେ ଦେଇ ସେଥିରୁ ହେଉଥିବା ଆୟର ଅଂଶକୁ ନିବେଶକଙ୍କୁ ଭଡ଼ା ଆକାରରେ ଦେଉଛନ୍ତି। ତେବେ ଏହି ବ୍ୟବସ୍ଥା ଯେତିକି ଆକର୍ଷଣୀୟ ମନେ ହେଉଛି, ପ୍ରକୃତରେ ସେତିକି ନୁହେଁ। ଏଥିରେ ମଧ୍ୟ କ୍ଷତି ସହିବାର ଆଶଙ୍କା ରହିଛି। ତେଣୁ ଆକର୍ଷଣୀୟ ରିଟର୍ଣ୍ଣ ପାଇବା ଲୋଭରେ ଲିଜ୍‌ରେ ସୁନା ଦେଲେ କେତେକ ମାମଲାରେ ତାହା ବୁଡ଼ିଯିବାର ମଧ୍ୟ ଆଶଙ୍କା ରହିଛି। ଚଳିତ ବର୍ଷ ସୁନା ମୂଲ୍ୟରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ୧୯୭୯ ପରେ ପ୍ରଥମ ଥର ପାଇଁ କୌଣସି ଗୋଟିଏ ବର୍ଷରେ ସୁନା ମୂଲ୍ୟରେ ଏଭଳି ବଡ଼ ଧରଣର ବୃଦ୍ଧି ହୋଇଛି।

Advertisment