ଟିକ୍‌ଟକ୍ ଭଳି ଭିଡିଓ କରି ୟୁଟ୍ୟୁବ୍‌ରୁ ଆୟ ସୁଯୋଗ

ନୂଆଦିଲ୍ଲୀ: ମଜାଳିଆ କ୍ଷୁଦ୍ର ଭିଡିଓ ଜରିଆରେ ଟିକ୍‌ଟକ୍ ଯେଉଁ ମନୋରଞ୍ଜନ କରୁଥିଲା ତାହାକୁ‌ ଲୋକମାନେ ଏବେ ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି। ଏହା ଅନେକ ଲୋକଙ୍କୁ ରାତାରାତି ତାରକାରେ ପରିଣତ କରିଥିଲା। ଭାରତରେ ଟିକ୍‌ଟକ୍ ନିଷିଦ୍ଧ ହେବା ପରେ ସୃ‌ଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ ‌ହୋଇପାରୁନାହିଁ। ଯଦିଓ ଅନେକ ଛୋଟ ଓ ବଡ଼ କଂପାନି ଏହି ବଜାରକୁ ହାତେଇବା ଲାଗି ଉଦ୍ୟମ କରୁଛନ୍ତି, କିନ୍ତୁ ସେମାନଙ୍କୁ ଟିକ୍‌ଟକ୍ ଭଳି ସଫଳତା ମିଳୁନାହିଁ। ତେବେ ଗୁଗୁଲ୍‌ର ଭିିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍ ତରଫରୁ ଲୋକମାନଙ୍କୁ କ୍ଷୁଦ୍ର ଭିଡିଓ ପ୍ରତି ଆକୃଷ୍ଟ କ‌ରିବା ଲାଗି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ୟୁଟ୍ୟୁବ୍‌ ସର୍ଟସ୍‌ ପାଇଁ ଯେଉଁମାନେ ଭିଡିଓ ତିଆରି କରିବେ ସେମାନଙ୍କୁ କଂପାନି ପେମେଣ୍ଟ୍‌ ଦେବ।

ଟିକ୍‌ଟକ୍‌ର ସ୍ଥାନ ନେବା ଲାଗି ୟୁଟ୍ୟୁବ୍ ତରଫରୁ ସର୍ଟସ୍‌ ସେବା ଆରମ୍ଭ କରାଯାଇଛି। ଭିଡିଓ ପ୍ରସ୍ତୁତକାରୀ ବା କ୍ରିଏଟରମାନଙ୍କୁ ପେମେଣ୍ଟ୍‌ କରିବା ଲାଗି ୧୦୦ ନିୟୁତ ଡଲାରର ୟୁୁଟ୍ୟୁବ୍ ସର୍ଟସ୍‌ ପାଣ୍ଠି ସ୍ଥାପନ କରାଯାଇଛି। ୟୁଟ୍ୟୁବ୍ ପକ୍ଷରୁ ସେହି କ୍ରିଏଟରମାନଙ୍କୁ ପେମେଣ୍ଟ୍‌ ଦିଆଯିବ ଯେଉଁମାନଙ୍କ ଭିଡିଓକୁ ଅଧିକ ଲୋକ ଦେଖିବେ ଏବଂ ପସନ୍ଦ କରିବେ। ତେବେ କ୍ରିଏଟରମାନଙ୍କୁ କେତେ ଟଙ୍କା ଦିଆଯିବ ତାହା ଧାର୍ଯ୍ୟ କରାଯାଇନାହିଁ। ତେବେ ହଜାର ହଜାର କ୍ରିଏଟରଙ୍କୁ ପେମେଣ୍ଟ୍‌ କରାଯିବ ବୋଲି କଂପାନି କହିଛି। ଯେକେହି ସର୍ଟସ୍‌ରେ ଭିଡିଓ ଅପ୍‌ଲୋଡ୍‌ କରି ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ଭିଡିଓ ସମ୍ପୂର୍ଣ୍ଣ ଅସଲି ହୋଇଥିବା ଦରକାର। ସର୍ଟସ୍‌ର ଭାରତ ଓ ଆମେରିକାରେ ଥିବା ବ୍ୟବହାରକାରୀମାନେ ପେମେଣ୍ଟ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର