ନୂଆଦିଲ୍ଲୀ: ଦେଶରେ ଇ-କମର୍ସ କମ୍ପାନିଙ୍କ ବ୍ୟବସାୟ ବଢ଼ୁଛି। ବିଶେଷକରି ପାର୍ବଣ ସମୟରେ ସେମାନଙ୍କର ବିକ୍ରି ଅନ୍ୟ ସମୟ ତୁଳନାରେ ଅଧିକ ରହିଥାଏ। ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍ବଣ ଋତୁରେ ଇ-କମର୍ସ କମ୍ପାନିଙ୍କ ବ୍ୟବସାୟ ୩୫ ପ୍ରତିଶତ ଅଧିକ ରହିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ବହୁ ଅଧିକ ସଂଖ୍ୟକ ଗିଗ୍‌ ୱାର୍କର୍ସଙ୍କୁ ନିଯୁକ୍ତି ଦେବେ। କର୍ମଚାରୀ ପରିଚାଳନା କମ୍ପାନି ଟିମ୍‌ଲିଜ୍‌ ସ‌ର୍ଭିସେସ୍‌ର ଆକଳନ ଅନୁଯାୟୀ, ଇ-କମର୍ସ କମ୍ପାନିଗୁଡ଼ିକ ଏଥିପାଇଁ ଅଧିକ ନିଯୁକ୍ତି ଦେବେ। ଅନଲାଇନ୍‌ରେ ଗ୍ରାହକଙ୍କ ଅତିରିକ୍ତ କ୍ରୟ ଚାହିଦାକୁ ପୂରଣ କରିବା ପାଇଁ ସେମାନେ ୧୦ ଲକ୍ଷ ଗିଗ୍‌ ୱାର୍କର୍ସ ଏବଂ ୨.୫ ଲକ୍ଷ ଠିକା ଶ୍ରମିକ ନିଯୁକ୍ତି ଦେବେ। ଗ୍ରାହକଙ୍କ ନିକଟରେ ସହଜରେ ଏବଂ ଠିକ୍‌ ସମୟରେ ସାମଗ୍ରୀ ପହଞ୍ଚାଇବାକୁ ନିଶ୍ଚିତ କରିବା ପାଇଁ ସେମାନେ ଏଭଳି ପଦକ୍ଷେପ ନେବେ।

Advertisment

ସମସ୍ତ ପ୍ରମୁଖ କ୍ବିକ୍‌ କମର୍ସ କମ୍ପାନି ନୂଆ ସହରକୁ ସେମାନଙ୍କ ବ୍ୟବସାୟ ସଂପ୍ରସାରଣ କରୁଛନ୍ତି। ଏଥିସହିତ ଗ୍ରୋସରି ବ୍ୟତୀତ ଇଲେକ୍ଟ୍ରୋନିକ୍ସ, ବିୟୁଟି, ହୋମ୍‌ ଡେକର୍‌, ୱେଲନେସ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ବର୍ଗର ସାମଗ୍ରୀ ମଧ୍ୟ ଗ୍ରାହକଙ୍କ ନିକଟରେ ଏମାନେ ପହଞ୍ଚାଉଛନ୍ତି। ପାର୍ବଣ ସମୟରେ ଯେଉଁ ନୂଆ ଚାହିଦା ଅନଲାଇନ୍‌ ଜରିଆରେ ଗ୍ରାହକଙ୍କ ନିକଟରୁ ଆସିବ ତାହାକୁ ପୂରଣ କରିବା ପାଇଁ କମ୍ପାନିଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି। ଗତ ଆର୍ଥିକବର୍ଷ ମାର୍ଚ୍ଚ ୨୪ରେ ଦେଶରେ ଅନ୍‌ଲାଇନ କମ୍ପାନିଗୁଡ଼ିକ ଦିନକୁ ‌୨୦ ଲକ୍ଷ ଅର୍ଡରର ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ଆସନ୍ତା ପାର୍ବଣରେ ଏହି ରେକର୍ଡ ଭାଙ୍ଗିବ ବୋଲି କମ୍ପାନିଗୁଡ଼ିକ ଆଶା କରୁଛନ୍ତି। ଟିମ୍‌ଲିଜ୍‌ ସର୍ଭି‌ସେସ୍‌ର ବରିଷ୍ଠ ଉପସଭାପତି ତଥା ବିଜ୍‌ନେସ୍‌ ହେଡ୍‌ ଏ ବାଲସୁବ୍ରମଣ୍ୟନ୍‌ କହିଛନ୍ତି ଯେ ଚଳିତବର୍ଷ ପାର୍ବଣରେ ବିକ୍ରି ଏବଂ ନିଯୁକ୍ତିକୁ ଇ-କମର୍ସ ବହୁମାତ୍ରାରେ ବଢ଼ାଇବ। ୧୦ ଲକ୍ଷ ଗିଗ୍‌ ୱାର୍କର୍ସ ଓ ୨.୫ ଲକ୍ଷ ଠିକ କର୍ମଚାରୀଙ୍କୁ ସେମାନେ ନିଯୁକ୍ତି ଦେବେ ବୋଲି ସେ କହିଛନ୍ତି।

ନିଯୁକ୍ତିରେ ହେବାକୁ ଥିବା ଏହି ବୃଦ୍ଧି ଭାରତକୁ ୨୦୨୫ ମସିହା ସୁଦ୍ଧା ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ଲକ୍ଷ୍ୟ ହାସଲରେ ବିଶେଷ ସହାୟକ ହେବ। ୨୦୨୬ ସୁଦ୍ଧା ଇ-କମର୍ସ କ୍ଷେତ୍ରର ଅଧିକ ଅନ୍ତର୍ଭୁକ୍ତୀକରଣ ହେବ। ଟିୟର ୨, ୩, ୪ ସହର ସହିତ ଗ୍ରାମୀଣ ଭାରତର ଯୋଗଦାନ ଇ-କମର୍ସର ମୋଟ ଚାହିଦାରେ ୬୦ ପ୍ରତିଶତରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ତେଣୁ ଡେଲିଭରି ବୟ ଠାରୁ ଆରମ୍ଭ କରି ୱେୟାରହାଉସ ୱାର୍କର, ଗ୍ରାହକ ସେବା ପ୍ରତିନିଧି, ସହିତ ପ୍ୟାକେଜିଂ, ଲାବେଲିଂ, କ୍ବାଲିଟି କଣ୍ଟ୍ରୋଲ ଆଦି କ୍ଷେତ୍ରରେ ଏହି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।