ଇଜ୍‌ ଅଫ୍ ଡୁଇଂ ବିଜନେସ୍‌ ରୢାଙ୍କ: ଆଚିଭର୍ସ ବର୍ଗରେ ଓଡ଼ିଶା

ରାଜ୍ୟର ରୢାଙ୍କରେ ବଡ଼ ଉନ୍ନତି

ନୂଆଦିଲ୍ଲୀ: ‌ରାଜ୍ୟ ଓ ରାଜ୍ୟ ମଧ୍ୟରେ ଉନ୍ନତ ବ୍ୟାବସାୟିକ ପରିବେଶ ସୃଷ୍ଟିର ପ୍ରତିଯୋଗିତା ଏବଂ ଭାରତକୁ ବିଶ୍ବର ଏକ ପ୍ରମୁଖ ନିବେଶ ସ୍ଥଳୀରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଜି ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ ରୢାଙ୍କିଂର ପଞ୍ଚମ ସଂସ୍କରଣ ପ୍ରକାଶ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟ ଉନ୍ମୋଚନ କରିଛନ୍ତି। ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ସେହି ବର୍ଗଗୁଡ଼ିକ ଯଥାକ୍ରମେ ହେଲା ଟପ୍ ଆଚିଭର୍ସ, ଆଚିଭର୍ସ, ଆସ୍ପାୟାର ଏବଂ ଇମର୍ଜିଂ ବିଜନେସ୍‌ ଇକୋସିଷ୍ଟମ।

ଟପ୍ ଆଚିଭର୍ସ ବର୍ଗରେ ୭ଟି ରାଜ୍ୟ ଯଥା ଆନ୍ଧ୍ର ପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ ଓ ତାମିଲନାଡ଼ୁ ରହିଛନ୍ତି। ଆଚିଭର୍ସ ବର୍ଗରେ ଓଡ଼ିଶା ସମେତ ମୋଟ ୬ଟି ରାଜ୍ୟ ଯଥା ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ରହିଛନ୍ତି। ଏମାନଙ୍କ ପଛକୁ ଆସ୍ପାୟାର ବର୍ଗରେ ୭ଟି ରାଜ୍ୟ ରହିଛନ୍ତି। ସେମାନେ ହେଲେ ଆସାମ, ଗୋଆ, ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ। ଇମର୍ଜିଂ ବିଜନେସ୍ ଇକୋସିଷ୍ଟମ ବର୍ଗରେ ଦିଲ୍ଲୀ, ପୁଡ଼ୁଚେରି, ତ୍ରିପୁରା, ଆଣ୍ଡାମାନ ଓ ନିକୋବର, ବିହାର, ଚଣ୍ଡିଗଡ଼, ଡାମନ ଓ ଡିଉ, ଦାଦ୍ରା ଓ ନଗର ହାବେଳି, ଜମ୍ମୁ କାଶ୍ମୀର, ମଣିପୁର, ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି। ବ୍ୟବସାୟ ସଂସ୍କାର କାର୍ଯ୍ୟାନ୍ବୟନ ଯୋଜନା ୨୦୨୦ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ପୂର୍ବ ସଂସ୍କରଣ ଗୁଡ଼ିକରେ ରାଜ୍ୟଗୁଡ଼ିକର ରୢାଙ୍କ ପ୍ରକାଶ କରାଯାଉଥିବାବେଳେ ଚଳିତବର୍ଷ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ସଚିବ ଅନୁରାଗ ଜୈନ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ‌ଏତେ କମ୍‌ ଥିଲା ଯେ ସେମାନଙ୍କୁ ରୢାଙ୍କ ପ୍ରଦାନ କରିବା କଷ୍ଟକର ହୋଇଯାଇଥିଲା। ଏଥିପାଇଁ ସେମାନଙ୍କୁ ବର୍ଗରେ ବିଭକ୍ତ କରାଯାଇଛି।

ଭୁବନେଶ୍ବର:ଓଡ଼ିଶାର ଇଜ୍‌ ଅଫ୍ ଡୁଇଂ ବିଜନେସ୍‌ ରୢାଙ୍କରେ ବଡ଼ ଉନ୍ନତି ଆସିଛି। ପୂର୍ବ ସଂସ୍କରଣରେ ଓଡ଼ିଶା ୨୯ତମ ସ୍ଥାନରେ ଥିଲା। ତେବେ ଚଳିତ ସଂସ୍କରଣରେ ଓଡ଼ିଶା ମହାରାଷ୍ଟ୍ର ଭଳି ଶିଳ୍ପ ସମୃଦ୍ଧ ଏବଂ ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ୟ ସହିତ ଆଚିଭର୍ସ ବର୍ଗରେ ରହିପାରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୩୦୧ଟି ସଂସ୍କାର ମଧ୍ୟରୁ ଓଡ଼ିଶା ସରକାର ୯୦ ପ୍ରତିଶତରୁ ଅଧିକ ସଂସ୍କାରକୁ କାର୍ଯ୍ୟକାରୀ କରିଛନ୍ତି। ଏଥିସହିତ ୮୦ ପ୍ରତିଶତରୁ ଅଧିକ ସକାରାତ୍ମକ ମତାମତ ମଧ୍ୟ ହାସଲ କରିଛି।

ବ୍ୟାବସାୟିକ ସଂସ୍କାର କାର୍ଯ୍ୟାନ୍ବୟନ ଯୋଜନା (ବିଆର୍‌ଏପି) ୨୦୨୦ ଆକଳନ ରିପୋର୍ଟ ଆଧାରରେ ନୂଆ ତାଲିକା ପ୍ରକାଶ କରାଯାଇଛି। ବିଆର୍‌ଏପି-୨୦୨୦ରେ ମୋଟ ୩୦୧ଟି ସଂସ୍କାର ବିନ୍ଦୁ ୧୫ରୁ ଅଧିକ ସଂସ୍କାର ପ୍ରସଙ୍ଗ ଓ ୪୦ରୁ ଅଧିକ ସଂସ୍କାର କ୍ଷେତ୍ରକୁ ନେଇ ପ୍ରସ୍ତୁତ ହୋଇଛି। ସଂସ୍କାରଗୁଡ଼ିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆଗରେ ଅଛନ୍ତି। ନୂଆ ଇ-ଶ୍ରମ ପୋର୍ଟାଲ ସ୍ଥାପନ ଠାରୁ ଆରମ୍ଭ କରି ଶ୍ରମ ଓ ଇଏସ୍‌ଆଇ ବିଭାଗ ପକ୍ଷରୁ ଶ୍ରମିକଙ୍କ ସବୁ ପ୍ରକାର ସେବା ପାଇଁ ୱାନ-ଷ୍ଟପ୍‌-ସପ୍‌ ସ୍ଥାପନ କରାଯାଇଛି। ଏହାବ୍ୟତୀତ ଉଦ୍ୟୋଗୀଙ୍କ ପାଇଁ ଅନଲାଇନ ପେମେଣ୍ଟ ଜରିଆରେ ସ୍ବୟଂ ନବୀକରଣ, ୮ଟି ବି୨ଜି ସେବାର ନବୀକରଣ ଉଚ୍ଛେଦ, ଜମିଜମା ରେକର୍ଡର ଡିଜିଟାଲକରଣ, ଡ୍ରଗ ଲାଇସେନ୍ସ ପାଇଁ ଅନଲାଇନ ବ୍ୟବସ୍ଥା ଆଦିକୁ କାର୍ଯ୍ୟକାରୀ କରାଯାଇଛି।
ବିଆର୍‌ଏପି ୨୦୧୯ରେ ରହିଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ଓ ବୃହତ୍‌ ଶିଳ୍ପ ଗୁଡ଼ିକର ଅଭିଯୋଗର ସମାଧାନ ଯୋଗାଇ ଦେବା ପାଇଁ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସିଙ୍ଗଲ୍‌ ୱି‌ଣ୍ଡୋ ମଞ୍ଜୁରି ବ୍ୟବସ୍ଥା ନିବେଶକମାନଙ୍କ କାର୍ଯ୍ୟ ସହଜ କରିଛି। ୧୦ଟି ଜିଲ୍ଲାରେ ଜିଲ୍ଲା ନିବେଶ ପ୍ରୋତ୍ସାହନ ଏଜେନ୍ସି (ଡିଆଇପିଏ) ସ୍ଥାପନ ହୋଇଛି। ପ୍ରକଳ୍ପ ମଞ୍ଜୁର ପାଇଁ ହାରାହାରି ସମୟ ୨୦ ଦିନରୁ କମ୍ ରହିଛି। ଗୋ ସ୍ବିଫ୍ଟ ଜରିଆରେ ୨୦୦୦ରୁ ଅଧିକ ବୃହତ୍ ଏବଂ ଏମଏସଏସଇ ସ୍ଥାପନ ଆବଦେନ ମିଳିଛି। ଏଗୁଡ଼ିକରେ ନିବେଶ ରାଶିର ପ୍ରାୟ ୯ ଲକ୍ଷ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର