ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ: ୧୧୨.୪୬ ନିୟୁତ ଟନ୍‌ କୋଇଲା, ୨୯.୪୯ ନିୟୁତ ଟନ ଲୁହାପଥର ପରିବହନ

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ସମସ୍ତ ରେକର୍ଡ ଭାଙ୍ଗିଛି। ୨୦୨୦ ଏପ୍ରିଲ ପହିଲାରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ପୂର୍ବତଟ ରେଳପଥ ୨୦୫ ନିୟୁତ ଟନ୍ ପଣ୍ୟ ପରିବହନ କରିଛି। ଯେତେବେଳେ କି ପୂର୍ବ ରେକର୍ଡ ୨୦୦୨-୦୩ରେ ଅବିଭକ୍ତ ଦକ୍ଷିଣ-ପୂର୍ବ ରେଳପଥ ଦ୍ୱାରା ୨୦୨.୫୬ ନିୟୁତ ଟନ୍‌ ରହିଥିଲା। ଏହାଦ୍ୱାରା ପୂର୍ବତଟ ରେଳପଥ କ୍ରମାଗତ ଦ୍ବିତୀୟଥର ପାଇଁ ୨୦୦ ନିୟୁତ ଟନ୍‌ରୁ ଅଧିକ ପଣ୍ୟ ବୋଝେଇର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ଜୋନ୍ ହୋଇଛି। ରେଳବାଇ ବୋର୍ଡ ଦ୍ୱାରା ଧାର୍ଯ୍ୟ ପଣ୍ୟ ପରିବହନ ୨୦୩.୦୨ ନିୟୁତ ଟନ୍‌କୁ ପୂର୍ବତଟ ରେଳପଥ ସହଜରେ ଅତିକ୍ରମ କରିପାରିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୦୦.୯୫ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିଲା।

ପୂର୍ବତଟ ରେଳପଥ ୧୧୨.୪୬ ନିୟୁତ ଟନ୍‌ କୋଇଲା, ୨୯.୪୯ ନିୟୁତ ଟନ ଲୁହାପଥର, ୧୮.୨୩ ନିୟୁତ ଟନ୍‌ ଲୁହା ଓ ଇସ୍ପାତ, ଇସ୍ପାତ କାରଖାନା ପାଇଁ ୭.୬୨ ନିୟୁତ ଟନ୍‌ କଞ୍ଚାମାଲ, ୬.୧୮ ନିୟୁତ ଟନ୍‌ ସାର, ୩.୧୪ ନିୟୁତ ଟନ୍‌ କଣ୍ଟେନର, ୨.୭୬ ନିୟୁତ ଟନ୍‌ ଖାଦ୍ୟଶସ୍ୟ, ପେଟ୍ରୋଲିୟମ ଉତ୍ପାଦ ୨.୯୧ ନିୟୁତ ଟନ ଓ ଅନ୍ୟାନ୍ୟ ଦ୍ରବ୍ୟ ୨୨.୦୯ ନିୟୁତ ଟନ୍‌ ପରିବହନ କରିଛି। ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ ତାଳଚେର ଅଞ୍ଚଳରୁ ଦୈନିକ ପ୍ରାୟ ୪୨.୯ ରେକ୍(ଟ୍ରେନ), ପାରାଦୀପ ଅଞ୍ଚଳରୁ ୨୧.୧ ରେକ୍, ଧାମରା ଅଞ୍ଚଳରୁ ୧୪.୧ ରେକ୍, କେକେ ଲାଇନରେ ୧୧.୭ ରେକ୍, ଷ୍ଟିଲ୍ ପ୍ଲାଣ୍ଟରୁ ୧୬.୫ ରେକ୍ ଓ ଦୈନିକ ପ୍ରାୟ ୭ ରେକ୍ ଆଲୁମିନିୟମ୍ ଏହାର ପରିସୀମା ମଧ୍ୟରୁ ପରିବହନ କରିପାରିଛି। ପୂର୍ବତଟ ରେଳପଥର ସମୁଦାୟ ପଣ୍ୟ ପରିବହନରେ କୋଇଲା ୫୫% ଓ ଲୁହାପଥର ୧୪% ଯୋଗଦାନ ଦେଇଛି।
ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ୧୩୧.୩୭ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି। ଖୋର୍ଦ୍ଧା ରୋଡ୍ ଓ ୱାଲଟିୟର୍‌ ରେଳମଣ୍ଡଳ ଭାରତୀୟ ରେଳପଥର ସମସ୍ତ ୬୪ଟି ରେଳମଣ୍ଡଳ ମଧ୍ୟରେ ଯଥାକ୍ରମେ ୪ର୍ଥ ଓ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି। ଏହି ଆର୍ଥିକ ବର୍ଷରେ ୧୨.୩୭ ନିୟୁତ ଟନ୍‌ ପଣ୍ୟ ପରିବହନ କରି ସମ୍ବଲପୁର ରେଳମଣ୍ଡଳ ନିଜର ଶ୍ରେଷ୍ଠତ୍ବ ହାସଲ କରିଛି। ପୂର୍ବତଟ ରେଳପଥ ଏହି ସମୟ ମଧ୍ୟରେ ଦୈନିକ ପ୍ରାୟ ୮୪୪୭ ୱାଗନ୍ ତଥା ଦୈନିକ ପ୍ରାୟ ୧୫୪.୮ ରେକ୍/ଟ୍ରେନ୍ ବ୍ୟବହାର କରିଛି। ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳପଥ ୧୮୬.୫୧ ନିୟୁତ ଟନ୍ ଓ ଦକ୍ଷିଣ-ପୂର୍ବ ରେଳପଥ ୧୭୫.୭୯ ନିୟୁତ ଟନ୍ ପଣ୍ୟ ପରିବହନ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

୨୦୨୦-୨୧ରେ ଭାରତୀୟ ରେଳପଥ ୧୨୩୨.୬୪ ମିଲିୟନ ଟନ୍ ପଣ୍ୟ ପରିବହନ କରିଛି। ୨୦୧୯-୨୦ରେ ଭାରତୀୟ ରେଳବାଇ ୧୨୦୯.୩୨ ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା। ଗତବର୍ଷ ତୁଳନାରେ ଏଥର ୨୩.୩୨ ନିୟୁତ ଟନ୍ ଅଭିବୃଦ୍ଧି ହୋଇଛି। ଭାରତୀୟ ରେଳବାଇ ଦ୍ୱାରା ସମୁଦାୟ ପଣ୍ୟ ବୋଝେଇର ୧୬.୬୨% ଅଂଶ ପୂର୍ବତଟ ରେଳପଥ ଧାରଣ କରିଛି। କରୋନା ସମୟରେ ପୂର୍ବତଟ ରେଳପଥ ଅଧୀନ ଶିଳ୍ପ ତଥା ଖଣିଜ ୟୁନିଟ୍‌ଗୁଡ଼ିକରେ ତାଲା, କାର୍ଯ୍ୟ ବନ୍ଦ ଓ କମ୍‌ କର୍ମଚାରୀରେ କାମ କରିବା ସତ୍ତ୍ବେ ଉଲ୍ଲେଖନୀୟ ସଫଳତା ମିଳିଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ନେତୃତ୍ୱରେ କର୍ମଚାରୀଙ୍କ ସହଯୋଗରେ ସଫଳତା ମିଳିଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର