ପୂର୍ବତଟ ରେଳପଥର ରାଜସ୍ୱ ଆୟ ୧୧,୫୪୫ କୋଟିକୁ ବୃଦ୍ଧି

୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ଏକ ବାର୍ତାରେ ପୂର୍ବତଟ ରେଳପଥ ପରିବାରର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ପୂର୍ବତଟ ରେଳପଥ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ୨୦୧୭ ଡିସେମ୍ବର ସୁଦ୍ଧା ପୂର୍ବତଟ ରେଳପଥ ୧୩୩.୩୪ ମେଟ୍ରିକ ଟନ୍‌ ମାଲ୍‌ ପରିବହନ କରିଛି। ଯାହା ପୂର୍ବ ଆର୍ଥିକ ବର୍ଷର ଡିସେମ୍ବର ତୁଳନାରେ ୩.୫୧ ମେଟ୍ରିକ ଟନ୍‌ (୨.୭%) ଅଧିକ। ସେହିଭଳି ଗତ ଡିସେମ୍ବର ସୁଦ୍ଧା ପୂର୍ବତଟ ରେଳପଥ ୧୧,୫୪୫.୩୩ କୋଟି ଟଙ୍କାର ରାଜସ୍ୱ ଆୟ କରିଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ଡିସେମ୍ବର ଭିତର ହୋଇଥିବା ରାଜସ୍ୱ ଆୟ ୧୦,୮୩୭.୪୪ କୋଟି ଟଙ୍କା ତୁଳନାରେ ୬.୫୩ ପ୍ରତିଶତ ଅଧିକ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପୂର୍ବତଟ ରେଳପଥର ପରିଚାଳନା ଅନୁପାତ ୫୭.୯୧ ପ୍ରତିଶତ ରହିଛି, ଯାହାକି ଅନ୍ୟ ୧୭ଟି ରେଳ ଜୋନ୍‌ ମଧ୍ୟରେ ସର୍ବୋତ୍ତମ।

• ମାଲ ପରିବହନରେ ୨.୭% ବୃଦ୍ଧି
• ସର୍ବୋତ୍ତମ ପରିଚାଳନା ଅନୁପାତ

ଯାତ୍ରୀ ଓ ମାଲ ପରିବହନ କ୍ଷେତ୍ରର ଅଭିବୃଦ୍ଧିରେ ଏହି ଜୋନ୍‌ର ଯଥେଷ୍ଟ କ୍ଷମତା ରହିଛି। ଏହି ପ୍ରକ୍ରିୟାରେ, ଖୋର୍ଧା ରୋଡ୍‌-ବଲାଙ୍ଗିର ରେଳ ପ୍ରକଳ୍ପ ଅଧୀନରେ ୧୨.୦୮ କିମି ବୋଲଗଡ଼ ରୋଡ୍‌-ନୟାଗଡ଼ ଟାଉନ୍‌ ଏବଂ ଖୋର୍ଧା ରୋଡ୍‌-ବୋଲଗଡ଼ ରୋଡ୍‌ ମଧ୍ୟରେ ୪୧.୫ କିମି ନୂଆ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଟ୍ରେନ୍‌ ଚଳାଚଳ କ୍ଷମତା ବୃଦ୍ଧି ପ୍ରକଳ୍ପ ଅନ୍ତର୍ଗତ ଦିଲିମିଲି-ସିଲାକ୍‌ଝୋରି (୧୧.୪୦କିମି) ଶାଖା ଏବଂ ବୋଦେଆରପୁର-ଦିଲିମିଲି (୧୧.୨୦କିମି) ଶାଖାର ଦୋହରୀକରଣ ଏବଂ କିରଣ୍ଡୁଲ୍‌-ଜଗଦଲପୁର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ଗିଦାମ-ଦାନ୍ତେଓ୍ଵାଡା (୭.୩୨କିମି) ଶାଖା, ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପର ବଇଣ୍ଡା-ଜରପଡ଼ା (୧୫.୧୫କିମି) ଶାଖା, ଚୂଡ଼ଙ୍ଗଗଡ଼-ଭୁବନେଶ୍ୱର(୬.୦୪କିମି ନୂତନ ଶାଖା), ସମ୍ବଲପୁର-ଟିଟିଲାଗଡ଼ ରେଳପଥର ହୀରାକୁଦ-ଗୋଡ଼ଭଗା(୮.୬କିମି), ଚିଲିକିଦାରା-ହରିଚନ୍ଦନପୁର-ନୀଳକଣ୍ଠେଶ୍ୱର-ସୀତାବି (୩୨କିମି), ବାଂଶପାଣି-ଦୈତାରୀ-ଟମ୍‌କା-ଜଖପୁରା ରେଳପଥର ନରଣପୁର-କେନ୍ଦୁଝର-ପର୍ଜନପୁର(୨୫.୮୩କିମି) ଏବଂ ରାୟପୁର-ଟିଟିଲାଗଡ଼ ରେଳ ପ୍ରକଳ୍ପର ଟିଟିଲାଗଡ଼-ତୁରେଇକେଲା-କଣ୍ଟାବାଞ୍ଜି(୩୧.୬୭କିମି) ଶାଖାର ଦୋହରୀକରଣ କାର୍ଯ୍ୟ ରହିଛି। ଚଳିତ ଆର୍ଥିକ ବର୍ଷରେ ଭୁବନେଶ୍ୱର ନ୍ୟୁ ଓ ମଞ୍ଚେଶ୍ୱର (୬.୬୬ କିମି) ମଧ୍ୟରେ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବଇଣ୍ଡା-ବାମୁର(୩୦.୫୪ କିମି), ଟୋକାପାଲ-ବୋଦେଆରପୁର (୫.୬ କିମି) ଏବଂ ବୋଦେଆରପୁର-ଦିଲିମିଲି (୧୧.୨୦ କିମି) ରେଳଶାଖାରେ ବିଦ୍ୟୁତୀକରଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ମଧ୍ୟ ପୂର୍ବତଟ ବିଶେଷ ପଦକ୍ଷେପ ନେଇଛି। ପର୍ବପର୍ବାଣୀ ଓ ଛୁଟିଦିନମାନଙ୍କରେ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ୨୦୧୭ ଡିସେମ୍ବର ସୁଦ୍ଧା ୧୧୯୩ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିଛି। ଟ୍ରେନ୍‌ଗୁଡ଼ିକର କ୍ଷମତା ବୃଦ୍ଧି କରିବା ପାଇଁ ୩୩୬୫ଟି ଅତିରିକ୍ତ ବଗି ସଂଯୋଗ କରାଯାଇଛି। ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ୩ଟି ଷ୍ଟେସନରେ ନୂତନ ରହଣି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରଠାରୁ କୃଷ୍ଣରାଜପୁରମ୍‌ ପର୍ଯ୍ୟନ୍ତ ଏକ ନୂଆ ସାପ୍ତାହିକ ଟ୍ରେନ୍‌ ଚଳାଚଳ କରିଛି। ଦୁଇ ଯୋଡ଼ା ଯାତ୍ରୀବାହୀ ଟ୍ରେନ୍‌କୁ ନୟାଗଡ଼ ସହର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଥିବାବେଳେ ରାଉରକେଲା-ଜମ୍ମୁ ତାଓ୍ଵି ଲିଙ୍କ୍‌ ଏକ୍ସପ୍ରେସ୍‌କୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ବିଶାଖାପାଟଣାଠାରୁ ଜଗଦଲପୁର ପର୍ଯ୍ୟନ୍ତ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍‌କୁ କିରଣ୍ଡୁଲ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବାରୁ ରେଳମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟର ପ୍ରଶଂସା କରିଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ପୂବତଟ ରେଳପଥ ପକ୍ଷରୁ କରାଯାଇଛି। ସାଧାରଣତନ୍ତ୍ର ଦିବସ ଭଳି ପବିତ୍ର ଦିନରେ ରାଷ୍ଟ୍ର ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତାକୁ ପୁନଃସମର୍ପଣ କରିବା ଏବଂ ପୂର୍ବତଟ ରେଳପଥର ନିର୍ଧାରିତ ଲକ୍ଷ୍ୟ ସାଧନ ଲାଗି ସଂକଳ୍ପକୁ ବଜାୟ ରଖିବା ଲାଗି କର୍ମଚାରୀମାନଙ୍କୁ ଶ୍ରୀ ସିଂହ ଏହି ଅବସରରେ ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର