କୋହଳ ହେଲା ଆୟକର ଇ-ଫାଇଲିଂ, ନୂଆ ପୋର୍ଟାଲ୍‌ରେ ବୈଷୟିକ ସମସ୍ୟା

ନୂଆଦିଲ୍ଲୀ: ଆୟକର ବିଭାଗର ନୂଆ ପୋର୍ଟାଲ୍‌ରେ ଟିକସ ପଇଠ କରିବା ନେଇ ଟିକସଦାତାମାନେ ସମସ୍ୟା ସାମ୍ନା କରୁଛନ୍ତି। ଏହି ପୋର୍ଟାଲ୍‌ରେ ଥିବା ବୈଷୟିକ ତ୍ରୁଟି ଯୋଗୁଁ ଠିକ୍ ଭାବେ ଆୟକରକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପଇଠ କରିହେଉନାହିଁ। ଏହା ଜାଣିବା ପରେ ଆୟକର ଇ-ପଇଠକୁ କେନ୍ଦ୍ର ସରକାର ଆଜି କୋହଳ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏନେଇ ସୂଚନା ଦେଇଛନ୍ତି। ଆୟକର ନିୟମ ୧୯୬୧ ଅନୁଯାୟୀ ଫର୍ମ ୧୫ ସିଏ /୧୫ ସିବିକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦାଖଲ କରିବାକୁ ପଡ଼ିବ। କିନ୍ତୁ ଟିକସଦାତାମାନେ ନୂଆ ପୋର୍ଟାଲ୍ www.incometax.gov.inରେ ଏହି ଫର୍ମ ଅପ୍‌ଲୋଡ୍ କରିପାରୁନାହାନ୍ତି। ଏହି ସମସ୍ୟାକୁ ନଜରରେ ରଖି ସ୍ବୀକୃତିପ୍ରାପ୍ତ ଡିଲରମାନଙ୍କ ନିକଟରେ ମାନୁଆଲ୍ ଉପାୟରେ ଏହି ଫର୍ମଗୁଡ଼ିକୁ ଦାଖଲ କରିବା ଲାଗି ଟିକସଦାତାମାନଙ୍କୁ କୁହାଯାଇଛି। ସେଥିପାଇଁ ସେମାନଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଟିକସଦାତାଙ୍କ ଠାରୁ ଫର୍ମ ଗ୍ରହଣ କରିବା ଲାଗି ମଧ୍ୟ ସ୍ବୀକୃତିପ୍ରାପ୍ତ ଏଜେଣ୍ଟ୍‌ମାନଙ୍କୁ ଅନୁମତି ଦିଆଯାଇଛି। ତେବେ ପରବର୍ତୀ ସମୟରେ ଏହି ଫର୍ମକୁ ପୋର୍ଟାଲ୍‌ରେ ଅପ୍‌ଲୋଡ୍ କରିବା ଲାଗି ଟିକସଦାତାମାନଙ୍କୁ କୁହାଯାଇଛି।

ଚଳିତ ମାସ ୭ ତାରିଖରେ ଆୟକର ବିଭାଗ ତରଫରୁ ଇ-ଫାଇଲିଂ ପାଇଁ ନୂଆ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଥିଲା। ଟିକସ ପଇଠ ଅନୁଭୂତିକୁ ସୁଖଦ ଓ ଆରାମଦାୟକ କରିବା ଥିଲା ଏହାର ମୂଳ ଲକ୍ଷ୍ୟ। କିନ୍ତୁ ପ୍ରଥମ ଦିନରୁ ପୋର୍ଟାଲ୍‌ରେ ଟିକସଦାତାମାନେ ସମସ୍ୟା ସାମ୍ନା କରିଥିଲେ। ସପ୍ତାହକ ପରେ ମଧ୍ୟ ବହୁ ସମସ୍ୟା ସମାଧାନ ହୋଇପାରିନାହିଁ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନଙ୍କ କହିବାନୁସାରେ ଟିକସଦାତାମାନେ ନିଜର ପୂର୍ବ ଇ-ଫାଇଲିଂକୁ ଦେଖିପାରୁନାହାନ୍ତି। ଅନେକ ସୁବିଧା ଶୀଘ୍ର ଉପଲବ୍ଧ ହେବ ବୋଲି ପୋର୍ଟାଲ୍‌ରେ ଲେଖାଯାଇଛି। ପୋର୍ଟାଲ୍‌ରେ ଥିବା ବୈଷୟିକ ତ୍ରୁଟିର ଶୀଘ୍ର ସମାଧାନ କରିବା ଲାଗି ଅର୍ଥମନ୍ତ୍ରୀ ସୀତାରମଣ ପୋର୍ଟାଲ୍ ବିକଶିତ କରିଥିବା ସଂସ୍ଥା ଇନ୍‌ଫୋସିସ୍ ଓ ଏହାର ଅଧ୍ୟକ୍ଷ ନନ୍ଦନ ନିଲେକାନୀଙ୍କୁ ନିର୍ଦେଶ ଦେଇଛନ୍ତି। ନୂଆ ପୋର୍ଟାଲ୍‌ ଉନ୍ମୋଚିତ ହେବା ଦିନଠାରୁ ବ୍ୟବହାରକାରୀମାନେ ସେଥିରେ ଥିବା ତ୍ରୁଟି ବିଷୟରେ ସୋସିଆଲ ମିିଡିଆରେ ସୂଚନା ଦେଇଛନ୍ତି। ସେମାନେ ଅର୍ଥମନ୍ତ୍ରୀଙ୍କୁ ସେଥିରେ ଟ୍ୟାଗ୍ କରିବାକୁ ଭୁଲୁ ନାହାନ୍ତି।

ଆୟକର ବିଭାଗର ନୂଆ ପୋର୍ଟାଲ୍ ବିକଶିତ କରିବା ଲାଗି ଇନ୍‌ଫୋସିସ୍‌ ୨୦୧୯ରେ କାର୍ଯ୍ୟବରାଦ ହାସଲ କରିଥିଲା। ଆୟକର ରିଟର୍ଣ୍ଣର ପ୍ରକ୍ରିୟାକରଣ ସମୟକୁ ୬୩ ଦିନରୁ ଏକ ଦିନରୁ ହ୍ରାସ କରିବା ଏବଂ ତ୍ବରିତ ରିଫଣ୍ଡ୍‌ ଦେବାର ସୁବିଧା ପ୍ରଦାନ କରିବା ଲାଗି କଂପାନିକୁ କୁହାଯାଇଥିଲା। ଏହି ପୋର୍ଟାଲ୍ ଟିକସଦାତାଙ୍କ କାମ ସହଜ କରିବା ପରିବର୍ତ୍ତେ ଅଧିକ ଜଟିଳ କରିଛି।

ସମ୍ବନ୍ଧିତ ଖବର