ଘାରିଲା ଅର୍ଥନୀତି ଚିନ୍ତା

ନୂଆଦିଲ୍ଲୀ: ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଉଛି। ସରକାରଙ୍କୁ ଏବେ ଏହି ଚିନ୍ତା ଘାରିଛି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହି ପରିପ୍ରେକ୍ଷୀରେ ଆଜି ନବଗଠିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ(ପିଏମ୍‌ଇଏସି)ର ପ୍ରଥମ ବୈଠକରେ ୧୦ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ପରିଷଦ ଚିହ୍ନଟ କରିଥିବା ୧୦ଟି କ୍ଷେତ୍ର ହେଲା ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି, ଅସଙ୍ଗଠିତ କ୍ଷେତ୍ର ଏବଂ ଏହାର ସମନ୍ଵୟ, ବିତ୍ତୀୟ ଢାଞ୍ଚା, ମୁଦ୍ରାନୀତି, ସରକାରୀ ବ୍ୟୟ, ଆର୍ଥିକ ଶାସନ ପ୍ରତିଷ୍ଠାନ, କୃଷି ଏବଂ ପଶୁ ସମ୍ପଦ, ସାମାଜିକ କ୍ଷେତ୍ର ଏବଂ ବ୍ୟୟ ଓ ଉତ୍ପାଦନ ଧାରା। ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ସରକାରଙ୍କୁ ବିତ୍ତୀୟ ଶୃଙ୍ଖଳାକୁ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାରି ଅନୁଯାୟୀ କାର୍ଯ୍ୟ କରିବା ଲାଗି ପରାମର୍ଶ ଦିଆଯାଇଛି। ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଯେଉଁ ପ୍ୟାକେଜ ଘୋଷଣା ହେବ ତାହା ଆର୍ଥିକ ଶୃଙ୍ଖଳା ବିନିମୟରେ ହେବା ଉଚିତ ନୁହେଁ ବୋଲି ପରିଷଦ ସ୍ପଷ୍ଟ କରିଦେଇଛି।
ବିତ୍ତୀୟ ଶୃଙ୍ଖଳାରୁ ହଟିବା ଉଚିତ ନୁହେଁ ବୋଲି ପରିଷଦର ସବୁ ସଦସ୍ୟ ସହମତ ଥିବା ବିଷୟ ବୈଠକ ପରେ ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି।
ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାର ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ପରିପ୍ରେକ୍ଷୀରେ ପରିଷଦ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଏଥିସହିତ ଦେବରାୟ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ବିଷୟ ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ପରିଷଦ ଚିହ୍ନଟ କରିଛି। ସରକାର ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ବଜେଟ ଉପସ୍ଥାପନ କରିବେ। ତେଣୁ ଆସନ୍ତା କିଛିମାସ ପାଇଁ ପରିଷଦ ଆଗାମୀ ବଜେଟ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି ସେ କହିଛନ୍ତି।
ଚଳିତବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଏହି ପରିଷଦ ଗଠନ ହୋଇଛି। ଗତକାଲି ପରିଷଦର ସଦସ୍ୟଙ୍କ ମଧ୍ୟରେ ବିଶେଷ ଆଲୋଚନା ହୋଇଥିବାବେଳେ ଆଜି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।  ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ବ୍ୟତୀତ ଆଜିର ବୈଠକରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଯୋଗଦେଇ ଅର୍ଥନୀତି ସପଂର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।  ପରିଷଦର ଆଜି ପ୍ରଥମ ଅନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଅଂଶଧାରୀଙ୍କ ସହିତ ଆଲୋଚନା ଜାରି ରହିବ। ଏଥିସହିତ ଆସନ୍ତାମାସରେ ପରିଷଦର ଆଉ ଏକ ଆନୁଷ୍ଠାନିକ ବୈଠକ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସୁପାରିସମାନ କରାଯିବ ବୋଲି ଦେବରାୟ କହିଛନ୍ତି।
ଏତଦ୍‌ବ୍ୟତୀତ ଅର୍ଥନୀତିର ପ୍ରମୁଖ ମାନଦଣ୍ଡ ଗୁଡ଼ିକୁ ଠିକ୍‌ ଭାବେ ଅନୁଧ୍ୟାନ କରିବା ସହିତ ସେଗୁଡ଼ିକର ବିଶ୍ଳେଷଣ କରି ଅର୍ଥନୀତିର ବିକାଶ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ପରିଷଦ କହିଛି।
ବିମୁଦ୍ରାକରଣ ପାଇଁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ପରିଷଦ ଆଜିର ବୈଠକରେ ସ୍ୱୀକୃତି ଦେଇଛି କି ବୋଲି ପ୍ରଶ୍ନ ହେବାରୁ ଦେବରାୟ କହିଲେ ମାନ୍ଦାବସ୍ଥାର କାରଣ ଗୁଡ଼ିକ ସମ୍ପର୍କରେ ପରିଷଦ ସହମତ ହୋଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ମାନ୍ଦାବସ୍ଥାର କାରଣ କଣ ସେ ନେଇ କିଛି କହି ନଥିଲେ। ମୁଦ୍ରାନୀତି ସମ୍ପର୍କରେ ଦେବରାୟ କହିଲେ, ରିଜର୍ଭ ବ୍ୟାଙ୍କ ସହିତ ବିଚାରବିମର୍ଶ କରି ଏହି କାର୍ଯ୍ୟ କରାଯିବ। ପରିଷଦ ଏ ନେଇ ଯେଉଁ ସଂସ୍କାର କରିବ ତାହା ଢାଞ୍ଚାଗତ ଦୃଷ୍ଟିରୁ ହେବ ବୋଲି ସେ କହିଛନ୍ତି। ଏଥିସହିତ ପରିଷଦ କୃଷି ଏବଂ ସାମାଜିକ କ୍ଷେତ୍ର ଉପରେ ମଧ୍ୟ ବିଭିନ୍ନ ସୁପାରିସ ମାନ ସରକାରଙ୍କୁ କରିବ। ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ କରି ପରିଷଦ କାର୍ଯ୍ୟ କରିବ। ନିତି ଆୟୋଗ ନିକଟରେ ଥିବା ସମ୍ବଳକୁ ମଧ୍ୟ ଏସବୁ କାର୍ଯ୍ୟରେ ବିନିଯୋଗ କରାଯିବ। ଚଳିତବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୭ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଗତକାଲି ଯେଉଁ ଆକଳନ କରିଛି ସେହି ଆକଳନ ପ୍ରତି ପରିଷଦର ସଦସ୍ୟ ରଥିନ ରାୟ ସହମତ ହୋଇନାହାନ୍ତି। ୮୦ ପ୍ରତିଶତ କ୍ଷେତ୍ରରେ ଆଇଏମ୍‌ଏଫ୍‌ର ଆକଳନ ଠିକ୍‌ ହୋଇ ନଥାଏ ବୋଲି ସେ କହିଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ପରିଷଦର ଅନ୍ୟ ସଦସ୍ୟମାନେ ହେଲେ ସୁରଜିତ ଭାଲା, ଅସୀମା ଗୋୟଲ ଏବଂ ରତନ ଓ୍ଵାତଲ।

ସମ୍ବନ୍ଧିତ ଖବର