ନୂଆଦିଲ୍ଲୀ : ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଆହୁରି ତଳକୁ ଖସିବ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରତିଷ୍ଠାନଗୁଡ଼ିକ ଏଭଳି ଆକଳନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍‌-ଜୁନ୍‌)ରେ ଭାରତର ଜିଡିପି ଅଭିବୃଦ୍ଧି ୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ଜୁଲାଇ-ସେପ୍ଟେମ୍ବର ତିନି ମାସରେ ଏହା ଆହୁରି ତଳକୁ ଖସିଯିବ ବୋଲି ଆକଳନ କରାଯାଇଛି।

Advertisment

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଜାପାନର ନୁମୋରା ଓ ସିଙ୍ଗାପୁରର କ୍ୟାପିଟାଲ୍ ଇକୋନମିକ୍ସ ଲିମିଟେଡ୍ ତରଫରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଆକଳନ କରାଯାଇଛି ଯେ, ଜୁଲାଇ-ସେପ୍ଟେମ୍ବର ତିନି ମାସରେ ଭାରତର ଅଭିବୃଦ୍ଧି ୪.୨-୪.୭% ଭଳି ସ୍ତରରେ ରହିବ। ଚଳିତ ମାସ ୨୯ ତାରିଖରେ ସରକାର ଜିଡିପି ଅଭିବୃଦ୍ଧି ତଥ୍ୟ ଜାରି କରିବାକୁ ଯାଉଛନ୍ତି।

ଜିଡିପି ହିସାବ ଲାଗି କେନ୍ଦ୍ର ସରକାର ୨୦୧୨କୁ ଆଧାର ବର୍ଷ ଭାବେ ଗ୍ରହଣ କରିଛନ୍ତି। ଯଦି ଏଥରର ଅଭିବୃଦ୍ଧି ୪.୨% ଭଳି ତଳକୁ ଖସିଯିବ ତେବେ ଅର୍ଥନୀତିରେ ପ୍ରକୃତରେ କିଛିଟା ସମସ୍ୟା ରହିଛି ବୋଲି ବୁଝିବାକୁ ହେବ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। ନୁମୋରା ତରଫରୁ ଆକଳନ କରାଯାଇଛି ଯେ ଭାରତର ଅଭିବୃଦ୍ଧି ୪.୨ ପ୍ରତିଶତକୁ ହ୍ରାସ ପାଇବ। ଏହାର କାରଣ ବିଷୟରେ ନୁମୋରା ଜଣାଇଛି ଯେ, ବିଶ୍ବ ସ୍ତରରେ ଚାହିଦା ଦୁର୍ବଳ ସ୍ତରରେ ରହିଥିବାର ପ୍ରଭାବରେ ଭାରତରେ ଋଣ ସ୍ଥିତି ଜଟିଳ ରହିଛି। ଏହାର ପ୍ରଭାବରେ ଅର୍ଥନୀତି ହ୍ରାସ ପାଇବ।

ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଞ୍ଚ ଥର ସୁଧ ହାର ହ୍ରାସ କରିଛି। କେନ୍ଦ୍ର ସରକାର ମଧ୍ୟ କଂପାନି ଟିକସରେ ହ୍ରାସ ଭଳି ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟ କାନ୍ତି ଘୋଷ କହିଛନ୍ତି ଯେ, ଆସନ୍ତା ଡିସେମ୍ବରରେ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସୁଧ ହାର ହ୍ରାସ କରିବାକୁ ଯାଉଛି। ତେବେ ତାହା ଅର୍ଥନୀତିରେ ତତ୍କାଳ ସୁଧାର ଆଣିବାରେ ବିଶେଷ ସହାୟକ ହୋଇନପାରେ ବୋଲି ସେ ଅନୁମାନ ଲଗାଇଛନ୍ତି। ସିଙ୍ଗାପୁରର କଂପାନି କ୍ୟାପିଟାଲ୍ ଇକୋନମିକ୍ସପ ପକ୍ଷରୁ ଆକଳନ କରାଯାଇଛି ଯେ ଭାରତର ଅଭିବୃଦ୍ଧି ଜୁଲାଇ-ସେପ୍ଟେମ୍ବରରେ ୪.୭% ରହିବ। କେବଳ ଏହି ୩ ସଂସ୍ଥା ନୁହେଁ, ଆଇଏମ୍‌ଏଫ୍‌ ଓ ବିଶ୍ବ ବ୍ୟାଙ୍କ ଭଳି ସଂସ୍ଥା ମଧ୍ୟ ଆକଳନ କରିଛନ୍ତି ଯେ ୨୦୧୯-୨୦ରେ ଭାରତର ଅଭିବୃଦ୍ଧି ଆହୁରି କମିବ।