ଆଗାମୀ ଦିନରେ ଅର୍ଥନୀତିରେ ଦରକାର ଥିବା ସଂସ୍କାର ପଦକ୍ଷେପ ବିଷୟରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆଲୋଚନା କରାଯାଇଛି। ‘ପ୍ରକ୍ରିୟା ସଂସ୍କାର’ ନାମରେ ଥିବା ଏକ ସ୍ବତନ୍ତ୍ର ଅଧ୍ୟାୟରେ କୁହାଯାଇଛି ଯେ ଯେଉଁ ସବୁ କ୍ଷେତ୍ରରେ ସୁବିଧା ପ୍ରଦାନକାରୀ କିମ୍ବା ନିୟାମକ ଭାବେ ସରକାରଙ୍କ ଉପସ୍ଥିତି ରହିଛି ସେଠାରେ ବିଭିନ୍ନ ପ୍ରକ୍ରିୟାର ସରଳୀକରଣ ହେବା ଦରକାର। କିଛି ପ୍ରମୁଖ ସଂସ୍କାର ବିଷୟରେ ସେଥିରେ ବର୍ଣ୍ଣନା କରାଯାଇଛି। ତାହା ହେଉଛି କର୍ପୋରେଟ୍ ସଂସ୍ଥା ସ୍ବେଚ୍ଛାଧୀନ ଭାବେ ବନ୍ଦ ହେବା, ସୀମାପାର ଇନସଲ୍ଭେନ୍ସି ପ୍ରକ୍ରିୟା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା। ପେଟେଣ୍ଟ୍ ବ୍ୟବସ୍ଥା, ଟେଲିକମ୍ ଓ ଡ୍ରୋନ୍ ନିୟମେର ସଂସ୍କାର ଆଣିବା ବିଷୟରେ ମଧ୍ୟ ସର୍ଭେ ରିପୋର୍ଟରେ ଆଲୋଚନା କରାଯାଇଛି
ବ୍ୟବସାୟ ବନ୍ଦ କରିବା ସହଜ ହେଉ
ଯେତେବେଳେ କାରବାରକୁ ବ୍ୟାବସାୟିକ ଦୃଷ୍ଟିକୋଣରୁ ଆଗକୁ ବଢ଼ାଇବା ସହଜ ହେବ ନାହିଁ ସେହି ସମୟରେ ଯେଭଳି କଂପାନି ନିଜ ଇଚ୍ଛାରେ ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ, ଦେଶରେ ସେଭଳି ବ୍ୟବସ୍ଥା ଲାଗୁ କରାଯିବାର ଆବଶ୍ୟକତା ରହିଛି। ଇନ୍ସଲ୍ଭେନ୍ସି, ବ୍ୟାଙ୍କରପ୍ସି କିମ୍ବା ସ୍ବେଚ୍ଛାଧୀନ ଭାବେ ଏକ ସଂସ୍ଥା ଯେଭଳି ବନ୍ଦ ହୋଇପାରିବ ସେଥିପାଇଁ ବ୍ୟବସ୍ଥା ଦରକାର। ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି), ୨୦୧୬ ଲାଗୁ ହେବା ପରେ କାରବାର ବନ୍ଦ କରିବା ପ୍ରକ୍ରିୟା ସହଜ ହୋଇଛି। ଏହାର ଆହୁରି ସରଳୀକରଣ ଜରୁରୀ ବୋଲି ସର୍ଭେରେ କୁହାଯାଇଛି। ନିଜ ଇଚ୍ଛାରେ କାରବାର ବନ୍ଦ କରିବାକୁ ଚାହୁଥିବା ସଂସ୍ଥାଗୁଡ଼ିକୁ ସୁବିଧା ପ୍ରଦାନ କରିବା ଲାଗି ଏକ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଆବଶ୍ୟକ। ସେଥିରେ ସେମାନଙ୍କ ଲାଗି ସବୁ ପ୍ରକାର ସୁବିଧା ରହିବ। ଆବେଦନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମଞ୍ଜୁରି ହାସଲ ଆଦି ସବୁ ସୁବିଧା ସେହି ପୋର୍ଟାଲ୍ରେ ଉପଲବ୍ଧ ହେଲେ ସଂସ୍ଥା ବନ୍ଦ କରିବା ସହଜ ହେବ। ଏବେ ଦୁଇଟି ଉପାୟରେ କାରବାର ବନ୍ଦ କରିଦେଇଛି। ଗୋଟିଏ ହେଉଛି ରେଜିଷ୍ଟ୍ରାର ଅଫ୍ କଂପାନିଜ୍ (ଆର୍ଓସି) ଧାରା ୨୪୮(୨) କିମ୍ବା ଆଇବିସି କୋଡ୍।
ସବୁଜ ଫାଇନାନ୍ସ ବ୍ୟବସ୍ଥା କର
ସବୁଜ ଶକ୍ତି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ପ୍ରଦାନ କରିବା ଲାଗି ଗ୍ରିନ୍ ଫାଇନାନ୍ସିଂ ବ୍ୟବସ୍ଥା ବିକଶିତ କରିବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ସାରା ବିଶ୍ବରେ ବିଭିନ୍ନ ଦେଶ ଗ୍ରିନ୍ ଫାଇନାନ୍ସିଂକୁ ଗୁରୁତ୍ବ ଦେଉଛନ୍ତି। ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ନିରନ୍ତର ଫାଇନାନ୍ସ ଉପରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି।
ସୀମାପାର ଇନ୍ସଲ୍ଭେନ୍ସି ସୁବିଧା ଆଣ
ଏକାଧିକ ଦେଶରେ ସମ୍ପତ୍ତି ରଖିଥିବା ସଂସ୍ଥାଗୁଡ଼ିକର ଋଣ ମାମଲାର ବିଚାର କରିବା ପାଇଁ ସୀମାପାର ଇନ୍ସଲ୍ଭେନ୍ସି ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସର୍ଭେରେ କୁହାଯାଇଛି। ଏବେ ଦେଶରେ ପ୍ରଚଳିତ ଥିବା ଇନ୍ସଲ୍ଭେନ୍ସି ନିୟମରେ କେବଳ ଦେଶ ଭିତରେ ଥିବା ସମ୍ପତ୍ତିଗୁଡ଼ିକୁ ଜବତ କରି ସେଗୁଡ଼ିକୁ ନିଲାମ କରି ଋଣ ଅର୍ଥ ବାହାର କରିବାର ସୁବିଧା ରହିଛି। କିନ୍ତୁ ଯେଉଁ କଂପାନିଗୁଡ଼ିକର ଦେଶ ବାହାରେ ସମ୍ପତ୍ତି ରହିଛି ତାହାକୁ ଜବତ କରିବା ଲାଗି କୌଣସି ସୁବିଧା ନାହିଁ। ଏହି ବ୍ୟବସ୍ଥା କରିବା ଲାଗି ବିଭିନ୍ନ ଦେଶ ସହ ସ୍ବତନ୍ତ୍ର ରାଜିନାମା ସ୍ବାକ୍ଷର କରିବାକୁ ପଡ଼ିବ। ଆନ୍ତର୍ଜାତିକ ବ୍ୟବସାୟ ନିୟମ ସମ୍ପର୍କିତ ଜାତିସଂଘ କମିସନ (ୟୁଏନ୍ସିଟ୍ରାଲ୍)କୁ ଗ୍ରହଣ କରିବା ଲାଗି ସର୍ଭେରେ ପରାମର୍ଶ ଦଆଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ସିଙ୍ଗାପୁର, ବ୍ରିଟେନ, ଆମେରିକା, ଦକ୍ଷିଣ ଆଫ୍ରିକା ଓ କୋରିଆ ଭଳି ୪୯ଟି ଦେଶ ଗ୍ରହଣ କରିଛନ୍ତି।
ପେଟେଣ୍ଟ୍ ଅନୁମୋଦନ ବିଳମ୍ବ କମାଅ
ଆମେରିକା ଓ ଚୀନ୍ ତୁଳନାରେ ଭାରତରେ ପେଟେଣ୍ଟ୍ ନିମ୍ନ ସ୍ତରରେ ରହିଛି। ପେଟେଣ୍ଟ ଅନୁମୋଦନ ପ୍ରକ୍ରିୟାରେ ଅତ୍ୟଧିକ ବିଳମ୍ବ ହେଉଥିବାରୁ ଭାରତ ଏକ୍ଷେତ୍ରରେ ପଛୁଆ ରହିଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ସେଥିପାଇଁ ପ୍ରକ୍ରିୟାରେ ହେଉଥିବା ବିଳମ୍ବ ଓ ଅନ୍ୟାନ୍ୟ ଜଟିଳତା ଦୂର କରିବା ଲାଗି ସର୍ଭେରେ ପରାମର୍ଶ ଦିଆଯାଇଛି। ପେଟେଣ୍ଟ୍ ଆବେଦନର ପ୍ରଥମ ପ୍ରକ୍ରିୟା ଲାଗି ଭାରତରେ ଏବେ ୧୮ ମାସ ସମୟ ଲାଗୁଥିବା ବେଳେ ଜାପାନରେ ମାତ୍ର ୧୦ ମାସ ସମୟ ଲାଗୁଛି। ଆମେରିକା ଓ ଚୀନ୍ ଆଧାରରେ ଏହି ସମୟ ସୀମାକୁ ୧୪-୧୫ ମାସ ପର୍ଯ୍ୟନ୍ତ ହ୍ରାସ କରିବାକୁ ସର୍ଭେରେ ପ୍ରସ୍ତାବ ଦିଆଯାଇଛି। ଚୀନ୍ରେ ପେଟେଣ୍ଟ୍ ନିରୀକ୍ଷକଙ୍କ ସଂଖ୍ୟା ୧୩,୭୦୪, ଆମେରିକାରେ ୮,୧୩୨ ଓ ଜାପାନରେ ୧,୬୬୬ ଥିବା ବେଳେ ଭାରତରେ ସେମାନଙ୍କ ସଂଖ୍ୟା ମାତ୍ର ୬୧୫ ରହିଛି।