ଅର୍ଥନୈତିକ ସର୍ଭେ ମୁଖ୍ୟାଂଶ: କରୋନାରେ ନିର୍ମାଣ କ୍ଷେତ୍ର ସର୍ବାଧିକ ପ୍ରଭାବିତ

ଗ୍ରାମୀଣ ବିକାଶ ଓ ଦ୍ରାରିଦ୍ର୍ୟ ଦୂରୀକରଣରେ ସଫଳତା

ଭୁବନେଶ୍ବର: କରୋନା ପାଇଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁ ଓଡ଼ିଶା ଅର୍ଥନୀତି ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି। ଶିଳ୍ପ ଅଧୀନରେ ଆସୁଥିବା ବିଭିନ୍ନ କ୍ଷେତ୍ରଗୁଡ଼ିକ ୨୦୨୦-୨୧ ଅଗ୍ରିମ ଅଟକଳରେ ବିଯୁକ୍ତାତ୍ମକ ରହିଛି। ନିର୍ମାଣ କ୍ଷେତ୍ରରେ ସର୍ବାଧିକ ୧୦.୭୯ ପ୍ରତିଶତ ସଂକୋଚନ ଦେଖିବାକୁ ମିଳିଥିବାବେଳେ କଳ କାରଖାନା ଉତ୍ପାଦନରେ ବିଯୁକ୍ତ ୯.୯୦ ପ୍ରତିଶତ ଅଭିବୃଦ୍ଧି ‌ରେକର୍ଡ କରାଯାଇଛି। ତେବେ କରୋନା ମହାମାରୀ ପ୍ରଭାବରୁ ଶିଳ୍ପ ଓ ଉଦ୍ୟୋଗ ଜଗତକୁ ରିହାତି ଦେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସୁଧ ରିହାତି ବାବଦରେ ୧୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରତିଷ୍ଠାତାଙ୍କ ଯୋଗଦାନ ବାବଦରେ ୨୭ କୋଟି ଟଙ୍କା ଦେଇଛନ୍ତି। କୋଭିଡ-୧୯ ସହାୟତା ପାଣ୍ଠି ସହ ଯୋଡ଼ି ହେବା ପାଇଁ ଉଦ୍ୟୋଗଗୁଡ଼ିକୁ ୨୦୨୦-୨୧ରେ ୧୦୦ କୋଟି ଟଙ୍କା ସରକାର ଦେଇଛନ୍ତି। ଏଥିସହିତ ଟପ୍ ଅପ୍ ସବସିଡି ବାବଦରେ ୧୦ କୋଟି, ରାଜ୍ୟ ଜିଏସଟି ଫେରସ୍ତ ବାବଦରେ ୩୮ କୋଟି, ବାର୍ଷିକ ରକ୍ଷଣାବେକ୍ଷଣ ଛାଡ଼ ବାବଦରେ ଇ‌ଡକୋକୁ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ପ୍ରଦାନ କରିବାକୁ ଥିବା ୫.୮୪ କୋଟି ଟଙ୍କାକୁ ଛାଡ଼ କରାଯାଇଛି।

ରାଜ୍ୟର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ୨୦୦୪-୦୫ରୁ ୨୦୧୦-୧୧ ମଧ୍ୟରେ ରାଜ୍ୟର ଗ୍ରାମାଞ୍ଚଳରେ ଦାରିଦ୍ୟ ୨୫ ପ୍ରତିଶତ କମିଛି। ୨୦୦୪-୦୫ରେ ଏହା ୬୦.୮ ପ୍ରତିଶତ ଥିବାବେଳେ ୨୦୧୦-୧୧ରେ ୩୫.୬୯ ପ୍ରତିଶତକୁ ଖସିଆସିଛି। କିନ୍ତୁ ଏହି ସମୟ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୧୬ ପ୍ରତିଶତ ହ୍ରାସ ପାଇଛି। ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ପାଇଁ ୨୦୧୯-୨୦ରେ ସରକାରୀ ଯୋଜନାରେ ୩,୯୪,୨୧୨ଟି ଘର ନିର୍ମାଣହୋଇଛି। ଏଥିରୁ ୩,୫୭,୯୧୪ଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ହୋଇଥିବାବେଳେ ୧୫,୫୬୭ଟି ଘର ବିଜୁ ପକ୍କା ଘର ଯୋଜନାରେ, ୧୮୫୮ଟି ଘର ପକ୍କା ଘର ଯୋଜନା (ଖଣି), ୧୦୯୮୩ଟି ଘର ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଏବଂ ୭୮୯୦ଟି ଘର ବିପିଜିୱାଇ (ତିତ୍‌ଲି) ଅଧନୀରେ ହୋଇଛି। ସେହିଭଳି ୨୦୨୦ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୬୦ ହଜାର ନଳକୂପ ସ୍ଥାପନ ହୋଇଥିବାବେଳେ ପରିବାରଗୁଡ଼ିକୁ ୧ କୋଟି ୧ ଲକ୍ଷ ୬୦ ହଜାର ଟ୍ୟାପ୍ ସଂଯୋଗ ଯୋଗାଇ ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବଙ୍କ ପାଇଁ ୨୫,୭୦୧୭୪ଟି ଘରର ନିର୍ମାଣ କାର୍ଯ୍ୟ ଶେଷ କରିପାରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ରାଜସ୍ବ ଆୟରେ ଅଢ଼େଇ ଗୁଣା ବୃଦ୍ଧି

ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି। ୨୦୧୧-୧୨ରେ ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ରାଜସ୍ବ ଆୟର ଭାଗ ୧୬ ପ୍ରତିଶତ ଥିବାବେଳେ ୨୦୧୯-୨୦ ସଂଶୋଧିତ ଅଟକଳରେ ଏହା ୨୧.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍ ଉପରୋକ୍ତ ସମୟ ମଧ୍ୟରେ ରାଜ୍ୟର ରାଜସ୍ବ ଆୟରେ ୨.୫ ଗୁଣା ବୃଦ୍ଧି ଘଟିଛି। ରାଜସ୍ବ ଆୟର ବାର୍ଷିକ ଅଭିବୃଦ୍ଧି ହାର ୧୩.୭ ପ୍ରତିଶତ ରହିଛି ବୋଲି ଅର୍ଥନ‌ୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ସେହିଭଳି ୨୦୧୧-୧୨ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ବ୍ୟୟ ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ (୧୪.୯ ପ୍ରତିଶତ) ରହିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ବ୍ୟୟ ରାଶି ୨୦୧୧-୧୨ରେ ୧୮.୨ ପ୍ରତିଶତ ଥିବାବେଳେ ୨୦୧୯-୨୦ ସଂଶୋଧିତ ଅଟକଳରେ ଏହା ୨୫.୯ ପ୍ରତିଶତରେ ପହଞ୍ଚିଛି। ପୁନଶ୍ଚ, ବ୍ୟୟକୁ ମୁଖ୍ୟତଃ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇଛି। ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟସେବା, ଗ୍ରାମୀଣ ବିକାଶ, ଜଳସେଚନ, ପରିବହନ ଆଦି କ୍ଷେତ୍ରରେ ଅଧିକ ବ୍ୟୟ କରାଯାଇଛି। ଉପରୋକ୍ତ ସମୟ ମଧ୍ୟରେ ରାଜ୍ୟର ବାର୍ଷିକ ପୁଞ୍ଜିବ୍ୟୟ ବୃଦ୍ଧି ହାର ୨୪.୩ ପ୍ରତିଶତ ରହିଛି। ୨୦୧୧-୧୨ରେ ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ପୁଞ୍ଜି ବ୍ୟୟର ଅନୁପାତ ୧.୯୫ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୪.୫୪ ପ୍ରତିଶତକୁ ବୃଦ୍ଧି ପାଇଛି।

ଶିଳ୍ପ ଓ ଖଣିଜ ବିକାଶ
ଦେଶରେ ମୋଟ ଖଣିଜ ସାମଗ୍ରୀ ଉତ୍ପାଦନରେ ଓଡ଼ିଶାର ଯୋଗଦାନ ୨୫ ପ୍ରତିଶତ
୨୦୧୯-୨୦ରେ ଓଡ଼ିଶାର ଖଣି ରାଜସ୍ବ ସଂଗ୍ରହ ୧୧୦୨୦ କୋଟି
ଓଡ଼ିଶା ଖଣି ନିଗମ ପକ୍ଷରୁ ୧୨୩.୮୬ ଲକ୍ଷ ଟନ୍‌ର ଲୁହାପଥ ଓ ୮.୩୫ ଲକ୍ଷ ଟନର କ୍ରୋମାଇଟ୍ ପଥର ଉତ୍ପାଦନ
କଳ କାରଖାନା ଉତ୍ପାଦନ
ବୃହତ୍ ଶିଳ୍ପ
ଦେଶରେ ଇସ୍ପାତ ଓ କଳଙ୍କି ବିହୀନ ଇସ୍ପାତ ଉତ୍ପାଦନରେ ଦେଶରେ ପ୍ରଥମ
ଆଲୁମିନିୟମ ଉତ୍ପାଦନରେ ମଧ୍ୟ ପ୍ରଥମ
ଏମଏସଏମଇ
୨୦୧୯-୨୦ ଶେଷ ସୁଦ୍ଧା ୨୧୮୦୧.୫୧ କୋଟି ଟଙ୍କା ନିବେଶ କରାଯାଇ ଏମଏସଏମଇ କ୍ଷେତ୍ରରେ ୪,୪୯,୩୯୨ଟି ଏମଏସଏମଇ ୟୁନିଟ୍ ସ୍ଥାପନ କରାଯାଇଛି। ଏଗୁଡ଼ିକରେ ମୋଟ ୧୬.୯୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଛି।
ବିଦ୍ୟୁତ୍
ରାଜ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ୭୬୪୭.୬୯ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରହିଛି। ୨୦୧୮-୧୯ ତୁଳନାରେ ଏହା ୨୭ ପ୍ରତିଶତ ବୃଦ୍ଧି ଘଟିଛି।
ମୋଟ ବିଦ୍ୟୁତ୍ ଗ୍ରାହକଙ୍କ ମଧ୍ୟରେ ଶିଳ୍ପ ଏବଂ ଘରୋଇ ଗ୍ରାହକଙ୍କ ଅଂଶ ୪୯.୬୦ ପ୍ରତିଶତ। ଘରୋଇ କ୍ଷେତ୍ର ସର୍ବାଧିକ ୩୭.୪୧ ପ୍ରତିଶତ ବିଦ୍ୟୁତ୍ ବ୍ୟୟ କରୁଛି। ଏଥିରେ ଗ୍ରାମୀଣ ଗ୍ରାହକମାନେ ୨୦୧୯-୨୦ରେ ୭୮ ପ୍ରତିଶତ ବିଦ୍ୟୁତ୍ ବ୍ୟୟ କରିଛନ୍ତି।
୨୦୧୯-୨୦ରେ ୧୦୦ ପ୍ରତିଶତ ଗ୍ରାମ ବିଦ୍ୟୁତ୍‌କରଣ ଲକ୍ଷ୍ୟ ହାସଲ ହୋଇଛି
ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଶକ୍ତି ସଂରକ୍ଷଣ କୋଠା କୋଡ୍ ଜାରି କରିଛି
ରପ୍ତାନି
ରାଜ୍ୟର ମୋଟ ରପ୍ତାନିରେ ଧାତବ ସାମଗ୍ରୀ, ଖଣିଜ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଇଞ୍ଜିନିୟରିଂ, କେମିକାଲ ଏବଂ ଆନୁସଙ୍ଗିକ ସାମଗ୍ରୀ ଏବଂ ସାମୁଦ୍ରିକ ଖାଦ୍ୟର ରପ୍ତାନି ମାତ୍ରା ଅଧିକ ରହିଛି।‌ ମୋଟ ରପ୍ତାନିରେ ଉପରୋକ୍ତ ୫ଟି ବର୍ଗର ରପ୍ତାନିର ଅଂଶ ୯୯ ପ୍ରତିଶତ ରହିଛି। ଧାତବ ସାମଗ୍ରୀର ରପ୍ତାନି ୪୮ ପ୍ରତିଶତ, ଖଣିଜ ସାମଗ୍ରୀର ରପ୍ତାନି ଭାଗ ୨୮ ପ୍ରତିଶତ, ଇଲେକଟ୍ରୋନିକ୍ସ ଓ ସଫ୍ଟଓୟାର ରପ୍ତାନି ଅଂଶ ୯ ପ୍ରତିଶତ, ଇଞ୍ଜିନିୟରିଂ, କେମିକାଲ ଓ ଆନୁସଙ୍ଗିକ ସାମଗ୍ରୀର ରପ୍ତାନି ଅଂଶ ୮.୫ ପ୍ରତିଶତ ଏବଂ ସାମୁଦ୍ରିକ ଉତ୍ପାଦର ରପ୍ତାନି ଅଂଶ ୬ ପ୍ରତିଶତ ରହିଛି।

୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସ୍ଥିତି ବିଭିନ୍ନ କ୍ଷେତ୍ରରେ କ’ଣ ରହିଛି ତାହାର ସୂଚନା ଅର୍ଥନୈତିକ ସର୍ଭେ ୨୦୨୦-୨୧ରେ ପ୍ରଦାନ କରାଯାଇଛି
ମୋଟ ପ୍ରାଥମିକ ବିଦ୍ୟାଳୟ ୩୩,୩୪୦
ମୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୧୭୧୯
ଛାତ୍ର ଶିକ୍ଷକ ଅନୁପାତ (ପ୍ରାଥମିକ) ୧୮:୧
ଛାତ୍ର ଶିକ୍ଷକ ଅନୁପାତ (ଉଚ୍ଚ ପ୍ରାଥମିକ) ୨୦:୧
ଛାତ୍ର ଶିକ୍ଷକ ଅନୁପାତ (ମାଧ୍ୟମିକ) ୧୮:୧
ପାନୀୟଜଳ ସୁବିଧା ଥିବା ସରକାରୀ ଏଲିମେଣ୍ଟାରି ସ୍କୁଲ ୪୭୨୪୭
ପାଇଖାନା ସୁବିଧା ଥିବା ଏଲିମେଣ୍ଟାରି ସ୍କୁଲ (ବାଳିକା) ୪୬୮୩୦
ପ୍ରାଥମିକ ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ିବା ହାର ୧.୬
ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ିବା ହାର ୪.୬
ଉଚ୍ଚ ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ିବା ହାର(୨୦୧୮-୧୯) ୫.୪
ଋଣ ଜମା ଅନୁପାତ ୬୦.୪
ରାଜ୍ୟରେ ବ୍ୟାଙ୍କ ଶାଖା ସଂଖ୍ୟା ୫୪୫୦
ପଞ୍ଜୀକୃତ ଗାଡ଼ି ସଂଖ୍ୟା ୯୧.୨ ଲକ୍ଷ
ପ୍ରତି ୧୦୦ ବର୍ଗ କିମିରେ ରାସ୍ତା ସାନ୍ଧ୍ରତା ୧୭୩ କିମି
ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସଂଖ୍ୟା ୧୩୨୪
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଂଖ୍ୟା ୩୮୧
ଟେଲି ସାନ୍ଧ୍ରତା ୭୬.୫
ଖାଦ୍ୟଶସ୍ୟ ଉତ୍ପାଦନ ୧୧୫୭୧ ହଜାର ଟନ
ନିଟ୍ ଜଳସେଚନ ସାମର୍ଥ୍ୟ ସୃଷ୍ଟି ୪୩୦୭ହଜାର ‌ହେକ୍ଟର
ହେକ୍ଟର ପିଛା ସାର ବ୍ୟବହାର ୮୨.୮ କିଲୋ
ମୁଣ୍ଡ ପିଛା କ୍ଷୀର ଉପଲବ୍ଧତା ଦୈନିକ ୧୩୬ ଗ୍ରାମ
ବାର୍ଷିକ ମୁଣ୍ଡପିଛା ଅଣ୍ଡା ଉପଲବ୍ଧତା ୫୦ଟି
ବାର୍ଷିକ ମୁଣ୍ଡପିଛା ମାଂସ ଉପଲବ୍ଧତା ୪.୩ କିଲୋ
ବାର୍ଷିକ ମୁଣ୍ଡପିଛା ମାଛ ଉପଲବ୍ଧତା ୧୬.୨ କିଲୋ

ସମ୍ବନ୍ଧିତ ଖବର