ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଗଠିତ ବିଜେପି ସରକାର ସର୍ଭେରେ ଓଡ଼ିଶା ଅର୍ଥନୀତିକୁ ନେଇ ଅନେକ ଗୋଲାପି ଚିତ୍ର ଆଙ୍କିଛନ୍ତି। ଆର୍ଥିକ ଅଭିବୃଦ୍ଧି ଠାରୁ ଆରମ୍ଭ କରି ମୁଣ୍ଡପିଛା ଆୟ ହେଉ ଅବା ବିତ୍ତୀୟ ପରିଚାଳନାରେ ରାଜ୍ୟର ପ୍ରଦର୍ଶନ ଭଲ ରହିଥିବା ଦର୍ଶାଯାଇଛି। ଏଥିସହିତ ଧାନ ଓ ପରିପରିବା ଉତ୍ପାଦନ କ୍ଷେତ୍ରରେ ବି ରାଜ୍ୟର ସ୍ଥିତି ଭଲ ରହିଛି। ସଡ଼କ, ରେଳ ଓ ବିମାନ ସେବା ହେଉ ଅବା ପୁଞ୍ଜିବ୍ୟୟ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ିଛି। ଏଥିସହିତ ଆଗାମୀ ଦିନରେ ମଧ୍ୟରେ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଆଗକୁ ନେବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ସର୍ଭେରେ ଦର୍ଶାଯାଇଛି। ଦେଶର ୨୨ ସହରକୁ ରାଜ୍ୟରୁ ସିଧାସଳଖ ବିମାନ ସଂଯୋଗ କରାଯାଇଛି। ସାମଗ୍ରୀ ରପ୍ତାନି ୯୮.୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୩୦୯୩ କିମିର ରେଳଧାରଣା ରାଜ୍ୟରେ ରହିଛି। ଏସବୁ ତଥ୍ୟକୁ ନେଇ ଆମର ଏହି ସ୍ବତନ୍ତ୍ର ପୃଷ୍ଠା...

Advertisment

ଜଳସେଚନ ଭିତ୍ତିଭୂମିରେ ଉନ୍ନତି
ଖରିଫ ଋତୁରେ ଜଳସେଚନ କ୍ଷେତ୍ର ୨୦୧୯-୨୦ରେ ୪୩.୧ ଲକ୍ଷ ହେକ୍ଟର ରହିଥିଲା। ୨୦୨୩-୨୪ରେ ଏହା ୩.୮ ପ୍ରତିଶତ ବୃଦ୍ଧି ପାଇ ୪୯.୯ ଲକ୍ଷ ହେକ୍ଟରରେ ପହଞ୍ଚିଛି । ସେହିପରି ରବି ଋତୁର ପରିମାଣ ସେହି ସମୟ ମଧ୍ୟରେ ୧୯.୫ ଲକ୍ଷ ହେକ୍ଟରରୁ ୩.୩ ପ୍ରତିଶତରେ ବୃଦ୍ଧି ପାଇ ୨୨.୨ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସ୍ପ୍ରିଙ୍କଲର ଏବଂ ଡ୍ରିପ୍ ଜଳସେଚନକୁ ପ୍ରୋତ୍ସାହିତ କରୁଛି । ୨୦୨୩-୨୪ରେ ପ୍ରାୟ ୫୩୭୩୩ ହେକ୍ଟର ଜମିକୁ ସ୍ପ୍ରିଙ୍କଲର ଓ ଡ୍ରିପ୍ ଜଳସେଚନ ଅଧୀନରେ ଅଣାଯାଇଥିବା ବେଳେ ୨୦୨୪-୨୫ରେ ୧.୫ ଲକ୍ଷ ହେକ୍ଟର ଜମି ଯୋଡ଼ିବାକୁ ଯୋଜନା ରହିଛି।

ଦୈନିକ ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ୧୫୬ ଗ୍ରାମ୍‌
୨୦୨୨-୨୩ ତୁଳନାରେ ୨୦୨୩-୨୪ରେ ଦୁଗ୍ଧ ଉତ୍ପାଦନ ୨୬.୪ ଲକ୍ଷ ମେଟ୍ରିକ୍ ଟନରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ଏହାର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ଥିବା ବେଳେ ଜାତୀୟ ସ୍ତରରେ ଏହା ୩.୮ ପ୍ରତିଶତ ରହିଛି। ଏହି ଅଗ୍ରଗତି ସତ୍ତ୍ୱେ ୨୦୨୩-୨୪ରେ ରାଜ୍ୟର ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ଦୈନିକ ୧୫୬ ଗ୍ରାମ ରହିଛି ବୋଲି ସର୍ଭେରେ ଦର୍ଶାଯାଇଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୨୦୨୪-୨୫ରେ ଗୋମାତା ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା (ଏମ୍‌କେୱାଇ) ଭଳି ପଦକ୍ଷେପ ଆରମ୍ଭ କରିଥିଲେ।

ମୁଣ୍ଡପିଛା ବାର୍ଷିକ ଅଣ୍ଡା ଉପଲବ୍ଧତା ୭୨
ଓଡ଼ିଶାରେ କୁକୁଡ଼ା ପାଳନ କେନ୍ଦ୍ର ଗୁଡ଼ିକର ବ୍ୟାପକ ବିକାଶ ଓ ଉଦ୍ୟୋଗକୁ ପ୍ରୋସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଫଳସ୍ବରୂପ ଓଡ଼ିଶାରେ କୁକୁଡ଼ା ପାଳନ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଓଡ଼ିଶାରେ ଅଣ୍ଡା ଉତ୍ପାଦନ ୨୦୨୨-୨୩ରେ ୩୪୧.୧ କୋଟି ଥିବାବେଳେ ୨୦୨୩-୨୪ରେ ଏହା ୩୭୨.୩ କୋଟିକୁ ବୃଦ୍ଧି ପାଇଛି। ୨୦୨୩-୨୪ରେ ଓଡ଼ିଶାରେ ମୁଣ୍ଡପିଛା ଅଣ୍ଡା ଉପଲବ୍ଧତା ୭୨ରେ ରହିଛି I ରାଜ୍ୟକୁ ଅଣ୍ଡା ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଏବଂ ଅଣ୍ଡାର ଉପଲବ୍ଧତା ବୃଦ୍ଧି ପାଇଁ ରାଜ୍ୟ ସରକାର ବାଣିଜ୍ୟିକ କୁକୁଡ଼ାକୁ ପ୍ରୋତ୍ସାହନ ଦେବା ସମେତ ଅନେକ ପଦକ୍ଷେପ ନେଉଛନ୍ତି।

ମାଛ ଉତ୍ପାଦନରେ ଚତୁର୍ଥ
ଓଡ଼ିଶା ଭାରତର ଚତୁର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ। ଦେଶର ମୋଟ ମାଛ ଉତ୍ପାଦନରେ ଓଡ଼ିଶା ୬ ପ୍ରତିଶତ ଯୋଗଦାନ ଦେଇଥାଏ। ଗତ ପାଞ୍ଚ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ୨୦୧୯-୨୦ରେ ୮.୨ ଲକ୍ଷ ମେଟ୍ରିକ୍ ଟନ୍ ଥିବାବେଳେ ୨୦୨୩-୨୪ରେ ଏହା ୧୧.୨ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି।

୬୦୧୫ଟି ବ୍ୟାଙ୍କ ଶାଖା
ମାର୍ଚ୍ଚ ୨୦୨୦ରେ ରାଜ୍ୟରେ ବ୍ୟାଙ୍କ ଶାଖା ସଂଖ୍ୟା ୫୪୫୦ ଥିବା ବେଳେ ସେପ୍ଟେମ୍ବର ୨୦୨୪ରେ ଏହା ୬୦୧୫କୁ ବୃଦ୍ଧି ପାଇଛି I ବ୍ୟାଙ୍କ ଶାଖା ସଂଖ୍ୟାରେ ସରକାରୀ କ୍ଷେତ୍ରର ପ୍ରମୁଖ ଅଂଶ ଥିବା ବେଳେ ଘରୋଇ କ୍ଷେତ୍ରର ଅଂଶ ୨୦୨୦ ମାର୍ଚ୍ଚରେ ୧୭.୮ ପ୍ରତିଶତ ରହିଥିଲା।  ୨୦୨୪ ସେପ୍ଟେମ୍ବରରେ ଏହା ୨୦.୯ ପ୍ରତିଶତକୁ ବୃଦ୍ଧି ପାଇଛି।
ପୁଞ୍ଜି ବ୍ୟୟରେ ଆଗୁଆ
୨୦୨୪-୨୫ ବଜେଟ ଆକଳନରେ ରାଜ୍ୟ ପୁଞ୍ଜି ବ୍ୟୟ ବରାଦ ବାବଦରେ ପାଖାପାଖି ୫୮,୧୯୫ କୋଟି ଟଙ୍କା ଆବଣ୍ଟନ କରିଛି, ଯାହାକି ମୋଟ ରାଜ୍ୟ ଘରୋଇ ଉତ୍ପାଦର ୬.୧ ପ୍ରତିଶତ । ଭାରତର ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ମୋଟ ରାଜ୍ୟ ଘରୋଇ ଉତ୍ପାଦ ଚୁଳନାରେ ଏହି ରାଜ୍ୟରେ ସର୍ବାଧ‌ିକ ପୁଞ୍ଜି ବ୍ୟୟ ବରାଦ ରହିଛି। ରାଜ୍ୟରେ ଭିତ୍ତିଭୂମି ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତି ଆଣିବା ପାଇଁ ସରକାର ପୁଞ୍ଜିବ୍ୟୟକୁ ପ୍ରାଥମିକତା ଦେଇଛନ୍ତି ।
ଋଣ-ଜିଏସ୍‌ଡିପି ଅନୁପାତ ୧୩.୨ %
୨୦୨୪-୨୫ ବଜେଟ ଆକଳନରେ ବିତ୍ତୀୟ ନିଅଣ୍ଟ ୩.୪ ପ୍ରତିଶତ ଏବଂ ମୋଟ ରାଜ୍ୟ ଘରୋଇ ଉତ୍ପାଦର ୨.୯ ପ୍ରତିଶତ ରାଜସ୍ବ ବଳକାକୁ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖିବା, ଉଚ୍ଚ ଗୁଣବତ୍ତା ବ୍ୟୟ ସୁନିଶ୍ଚିତ କରିବା, ଋଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ବିତ୍ତୀୟ ପରିଚାଳନା ନୀତି ରାଜ୍ୟ ସରକାର ଅନୁସରଣ କରିଛନ୍ତି।  କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ଓଡ଼ିଶାର ଏଫ୍‌ଆର୍‌ବିଏମ୍‌ ଆଇନ ୨୦୦୫ ଦ୍ବାରା ନିର୍ଦ୍ଧାରିତ ୨୫ ପ୍ରତିଶତ ସୀମାଠାରୁ କମ୍‌ ଋଣ-ଜିଏସ୍‌ଡିପି ଅନୁପାତକୁ ଓଡ଼ିଶା ବଜାୟ ରଖିଛି। ୨୦୨୪-୨୫ ବଜେଟ୍‌ ଆକଳନରେ ଋଣ-ଜିଏସ୍‌ଡିପି ଅନୁପାତ ୧୩.୨ ପ୍ରତିଶତ ଥିଲା ଯାହା ଭାରତର ସମସ୍ତ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ। ବିଜ୍ଞତାର ସହ ବିତ୍ତୀୟ ପରିଚାଳନା କାରଣରୁ ନୀତି ଆୟୋଗ ଦ୍ବାରା ପ୍ରକାଶିତ ବିତ୍ତୀୟ ସ୍ବାସ୍ଥ୍ୟ ସୂଚକାଙ୍କ (ଏଫ୍ଏଚ୍ଆଇ) ୨୦୨୫ରେ ଓଡ଼ିଶା ସର୍ବାଧ‌ିକ ୬୭.୮ ଏଫ୍ଏଚ୍ଆଇ ସ୍କୋର ସହ ରାଜ୍ୟମାନଙ୍କ ମଧ୍ୟରେ ଶୀର୍ଷରେ ରହିଛି I

bbc x
୩୦୯୩ କିମିର ରେଳଧାରଣା
ରାଜ୍ୟରେ ରେଳ ଭିଭିଭୂମି ବିକାଶ ପାଇଁ ୨୦୨୪-୨୫ରେ ଓଡ଼ିଶାକୁ ୧୦.୬ ହଜାର କୋଟି ଟଙ୍କାର ରେକର୍ଡ ଆବଣ୍ଟନ କରାଯାଇଛି। ଓଡ଼ିଶାରେ ରେଳବାଇର ଦୈର୍ଘ୍ୟ ୨୦୧୯-୨୦ରେ ୨୬୫୨ କିଲୋମିଟର ଥିବାବେଳେ ୨୦୨୩-୨୪ରେ ଏହା ୪ ପ୍ରତିଶତ ସିଏଜିଆର୍‌ରେ ବୃଦ୍ଧି ପାଇ ୩୦୯୩ କିଲୋମିଟରରେ ପହଞ୍ଚିଛିI ନିକଟରେ ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝରମାଲକାନଗିରି ଭଳି ୯ଟି ଜିଲ୍ଲା ପାଇଁ ୮ଟି ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ସଡ଼କ ନେଟୱର୍କ ବୃଦ୍ଧି
୨୦୧୯-୨୦ରେ ରାଜ୍ୟରେ ସଡ଼କ ଓ ସେତୁ ବାବଦରେ ମୋଟ ବ୍ୟୟ ୭,୯୯୬ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ରେ ଏହା ୧୯,୪୫୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲା ସଡ଼କ ଓ ଗ୍ରାମୀଣ ସଡ଼କ ଭଳି ବିଭିନ୍ନ ରାସ୍ତା ପାଇଁ ରାଜ୍ୟରେ ରାସ୍ତାର ଦୈର୍ଘ୍ୟ ବୃଦ୍ଧି ପାଇଛି। ସମଗ୍ର ଓଡ଼ିଶାରେ ୭୫ ହଜାର କିଲୋମିଟର ଗୁଣାତ୍ମକ ସଡ଼କ ବିକାଶ ପାଇଁ ସରକାର ଯୋଜନା କରିଛନ୍ତି, ଯାହା ରାଜ୍ୟର ଯୋଗାଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତି ଆଣିବ ବୋଲି ସର୍ଭେରେ ଦର୍ଶାଯାଇଛି। 
୨୨ ସହରକୁ ସିଧାସଳଖ ବିମାନ ସଂଯୋଗ
ରାଜ୍ୟରେ ବର୍ତ୍ତମାନ ଗୋଟିଏ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ୫ଟି କାର୍ଯ୍ୟକ୍ଷମ ବିମାନବନ୍ଦର ରହିଛି । ଏତଦ୍ ବ୍ୟତୀତ ରାଜ୍ୟରେ ବିମାନ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପୁରୀରେ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ରାଜ୍ୟରେ ୧୦ଟି ଅତିରିକ୍ତ ଏୟାର ଷ୍ଟ୍ରିପ୍ ବିକଶିତ କରାଯାଉଛି। ଓଡ଼ିଶା ସିଧାସଳଖ ବିମାନ ଚଳାଚଳ ମାଧ୍ୟମରେ ଭାରତର ୨୨ଟି ସହରସହ ସଂଯୋଗ ହୋଇଛି। ବର୍ତମାନ ଓଡ଼ିଶାରୁ ୪ଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ଯଥା ବ୍ୟାଙ୍କକ, ଦୁବାଇ, ସିଙ୍ଗାପୁର ଓ କୁଆଲାଲମ୍ପୁରକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି ଏବଂ ପ୍ରଥମ ତିନୋଟି ଗନ୍ତବ୍ୟସ୍ଥଳ ପାଇଁ ରାଜ୍ୟ ପକ୍ଷରୁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ସହାୟତା ପ୍ରଦାନ କରାଯାଇଛି। ନିକଟରେ ଓଡ଼ିଶା ପକ୍ଷରୁ ନୂଆ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରୁଥିବା ଏୟାରଲାଇନ୍ସ ଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରି ନୂଆ ଗନ୍ତବ୍ୟ ନୀତି-୨୦୨୪ ଅଣାଯାଇଛି। ନୂଆ ନୀତି ଅନୁଯାୟୀ ଭୁବନେଶ୍ବର ଓ ଝାରସୁଗୁଡ଼ାରୁ ୮ଟି ଘରୋଇ ରୁଟ୍‌ରେ ସିଧାସଳଖ ବିମାନ ଚଳାଚଳକୁ ମଞ୍ଜୁରି ମିଳିଛି, ଯାହା ରାଜ୍ୟରେ ବିମାନ ଯାତ୍ରା ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ୨୦୨୧-୨୨ରେ ଓଡ଼ିଶାରୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ୨୧.୬ ଲକ୍ଷ ଥିବାବେଳେ ୨୦୨୩-୨୪ରେ ଏହା ୪୧.୬ ଲକ୍ଷକୁ ବୃଦ୍ଧି ପାଇଛି। 

୧୩୩ଟି ନୂତନ ନିବେଶକୁ ଅନୁମୋଦନ
୨୦୨୪-୨୫ରେ ଓଡ଼ିଶାର ଶିଳ୍ପ କ୍ଷେତ୍ର ୬.୧ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ରାଜ୍ୟ ମୋଟ ସଂଯୋଗିତ ମୂଲ୍ୟରେ ଏହା ୪୩.୯ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।  ୨୦୨୪-୨୫ରେ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜୁନ୍ ୨୦୨୪ରୁ ଜାନୁଆରି ୨୦୨୫ ମଧ୍ୟରେ ରାଜ୍ୟ ସରକାର ୧.୮ ଲକ୍ଷରୁ ଅଧ‌ିକ ନିଯୁକ୍ତି ସମ୍ଭାବନା ଥିବା ୨.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୩୩ଟି ନୂତନ ନିବେଶକୁ ଅନୁମୋଦନ କରିଛନ୍ତି। ସେହିପରି ଉତ୍କର୍ଷ ଓଡ଼ିଶା ୨୦୨୫ରେ ୧୬.୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି। ଏହାଦ୍ବାରା ୨୦ଟି କ୍ଷେତ୍ରରେ ୧୨.୯ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୧୭-୧୮ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର ଖଣିଜ ଉତ୍ପାଦନ ବାର୍ଷିକ ୨୧.୪ ପ୍ରତିଶତ ବୃଦ୍ଧି ପାଇଛି, ଯାହା ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧ‌ିକ । ୨୦୨୩-୨୪ ସୁଦ୍ଧା ଜାତୀୟ ପ୍ରମୁଖ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ ୪୫ ପ୍ରତିଶତ ରହିଛି।

ସାମଗ୍ରୀ ରପ୍ତାନି ୯୮.୮ ହଜାର କୋଟି
ଓଡ଼ିଶାରୁ ସାମଗ୍ରୀ ରପ୍ତାନି ୨୦୧୯-୨୦ରେ ୪୭.୨ ହଜାର କୋଟି ଟଙ୍କା ଥିଲା।  ୨୦୨୩-୨୪ରେ ଏହା ୯୮.୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାର ବାର୍ଷିକ ଅଭିବୃଦ୍ଧି ହାର ୨୦.୩ ପ୍ରତିଶତ ଅଟେ।