ଅର୍ଥନୈତିକ ସର୍ଭେ : ୧୫ ବର୍ଷରେ ଦେଶର ୪୧ କୋଟି ଲୋକ ଦାରିଦ୍ର୍ୟ ସୀମା ଉପରକୁ ଉଠିଛନ୍ତି

ନୂଆଦିଲ୍ଲୀ : ମଙ୍ଗଳବାରଦିନ ଲୋକସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭରେ କୁହାଯାଇଛି ଯେ ଦେଶରେ ଦାରିଦ୍ର୍ୟ ହାର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ଓ ଅଧିକରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠୁଛନ୍ତି । ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମା ଉପରକୁ ଉଠିଛନ୍ତି । ଏହା ଫଳରେ ଭାରତ ୨୦୩୦ ସୁଦ୍ଧା ଜାତିସଂଘ ଦ୍ବାରା ଧାର୍ଯ୍ୟ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ କରିବାର ଆଶା ଦେଖାଦେଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶର ଗରିବ ରାଜ୍ୟଗୁଡ଼ିକରେ ଦାରିଦ୍ର୍ୟ ସବୁଠାରୁ ଦ୍ରୁତ ଗତିରେ ହ୍ରାସ ପାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଦେଶର ବେକାରୀ ସ୍ଥିତିରେ ଉନ୍ନତି ଆସିବାରେ ଲାଗିଛି । ୨୦୧୮-୧୯ରେ ବେକାରୀ ୫.୮ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ଏହା ୪.୨ ପ୍ରତିଶତକୁ ହ୍ରାସ ପାଇଛି । କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଶ୍ରମ ଓ ରୋଜଗାର କ୍ଷେତ୍ରରେ ଧୀରେ ଧୀରେ ଉନ୍ନତି ଆସୁଛି । ଶ୍ରମ ବଜାର ମହାମାରୀ ପୂର୍ବ ସ୍ଥିତିକୁ ଫେରିଯାଇଛି । ସେହିପରି ଶ୍ରମ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢିଚାଲିଛି। ୨୦୧୮-୧୯ରେ ଏହା ୧୮.୬ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ତାହା ୨୫.୧ ପ୍ରତିଶତକୁ ବୃଦ୍ଧି ପାଇଛି ।

ଉଲ୍ଲେଖନୀୟ ଏବଂ ଉତ୍ସାହର କଥା ହେଉଛି ଯେ ଗ୍ରାମାଞ୍ଚଳରେ ମହିଳାଙ୍କ ଯୋଗଦାନ ୨୦୧୮-୨୯ରେ ୧୯.୭ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ତାହା ୨୭.୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ଯେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ମହିଳା ରୋଜଗାର ପାଇଁ ଆଗେଇ ଆସୁଛନ୍ତି ।

 

ସମ୍ବନ୍ଧିତ ଖବର